ନୂଆଦିଲ୍ଲୀ: ସାଧାରଣ ବଜେଟ୍ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦ ଗୃହରେ ଇକନମିକ୍ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ବାବଦରେ ତଥ୍ୟ ଦିଆଯିବା ସହିତ ବିଭିନ୍ନ ସମସ୍ୟାର ମୁକାବିଲା କରିବା ପାଇଁ କ’ଣ କ'ଣ ପଦକ୍ଷେପ ନିଆଯିବ, ସେ ବାବଦରେ ମଧ୍ୟ ତଥ୍ୟ ରଖାଯାଇଛି। ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣିଅନ୍ ଏବଂ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ ଦେଶର ଜିଡିପିରେ ଅଭିବୃଦ୍ଧି ହାର ୭% ରହିବ। ଯଦିଓ ଏହା ବେଶି ନୁହେଁ, ତଥାପି ୨୦୧୮-୧୯ର ୬.୮% ହାର ଠାରୁ ନିଶ୍ଚୟ ଅଧିକ। ଏଥିରେ କୁହାଯାଇଛି ମାଇକ୍ରୋ ଇକନମି ଦୃଷ୍ଟିରୁ ଯଦି ସବୁକିଛି ଠିକ୍ଠାକ୍ ଚାଲେ, ତେବେ ଏହା ହାସଲ କରିହେବ।
କେଭି ସୁବ୍ରମଣିଅନ୍ କହିଛନ୍ତି, ସରକାର ପୂର୍ବରୁ ନେଇଥିବା ପଦକ୍ଷେପ ଅର୍ଥନୀତିକ ପ୍ରଗତି ପାଇଁ ମାର୍ଗ ପ୍ରସ୍ତୁତ କରିଛି। ବର୍ତ୍ତମାନ ଏଥିରେ ସଂସ୍କାର ଅଣାଯିବା ସହ ସର୍ମନିମ୍ନ ଆୟ କ୍ଷେତ୍ରରେ ରହିଥିବା ଅସମାନତା ଦୂର କରାଯିବ। ବିଶେଷ କରି ନିବେଶ କ୍ଷେତ୍ରରେ ନିଆଯିବାକୁ ଥିବା ପଦକ୍ଷେପ ଅର୍ଥନୀତିକ ପ୍ରଗତିରେ ସହାୟକ ହେବ।
ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭% ରହିବ ବୋଲି କଳନା କରାଯାଇଛି। ୨୦୧୮-୨୦୧୯ ଆର୍ଥିକ ବର୍ଷର ଶେଷ ୩ ମାସରେ ଅର୍ଥନୀତିକ ଅଭିବୃଦ୍ଧି ମନ୍ଥର ହେବା ପଛରେ ନିର୍ବାଚନ ଜନିତ ଅନିଶ୍ଚିତତା ମୁଖ୍ୟ କାରଣ ରହିଥିଲା।
ଏହି ପ୍ରସଙ୍ଗରେ କେଭି ସୁବ୍ରମଣିଅନ୍ ଟ୍ୱିଟ୍ କରି କହିଛନ୍ତି, ଅଭିବୃଦ୍ଧି ହାର ୮% ରେ ସ୍ଥିର ରଖିବା କ୍ଷେତ୍ରରେ ପୁଞ୍ଜି ନିବେଶ ବଡ଼ ଭୂମିକା ନେବ। ନିବେଶର ମାତ୍ରାରେ ବୃଦ୍ଧି ନହେଲେ ଭାରତ ବର୍ତ୍ତମାନର ସ୍ଥିତିରୁ ମୁକୁଳି ପାରିବନି। ଏହି ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଅଧିକାଂଶ ସମୟରେ ଆମ ଅର୍ଥନୀତି ଭଲ ପ୍ରଦର୍ଶନ କରିଛି। ତେବେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିପାରୁ ଥିବା ନିବେଶ ହେଲେ ଅଭିବୃଦ୍ଧି ହାର ବଢ଼ିବ।
ଅର୍ଥମନ୍ତ୍ରୀ ସୀତାରମଣ ଉପସ୍ଥାପନ କରିଥିବା ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଯେତେ ବ୍ୟାପକ କରାଯିବ, ଦେଶର ଅର୍ଥନୀତି ପାଇଁ ସେତିକି ଶୁଭଙ୍କର ହେବ। ଏଥିରେ କୁହାଯାଇଛି, ଏମ୍ଏସ୍ଏମ୍ଇ କ୍ଷେତ୍ର ବଢ଼ିବା କେବଳ ଯେ ଉଦ୍ୟୋଗୀଙ୍କୁ ଫାଇଦା ଦେବ ତାହା ନୁହେଁ, ଏହା ନିଯୁକ୍ତି ସୃଷ୍ଟି କରିବାରେ ମଧ୍ୟ ବେଶ ସହାୟକ ହେବ।
୨୦୨୪-୨୫ ସୁଦ୍ଧା ଭାରତ ୫ ଟ୍ରିଲିଅନ୍ ଅର୍ଥନୀତିରେ ପହଞ୍ଚିବାର ଲକ୍ଷ୍ୟ ରଖିଥିବାରୁ ଏହି ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସର୍ଭେରେ କୁହାଯାଇଛି, ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ପାରମ୍ପରିକ ମାର୍ଗରୁ ବାହାରି କିଛି ନୂତନ ଉପାୟ ଆପଣାଇବାକୁ ହେବ।
କେଭି ସୁବ୍ରମଣିଅନ୍ କହିଛନ୍ତି, ଇକନମିକ୍ ସର୍ଭେ-୨୦୧୯ରେ ଶ୍ରମିକ ସଂସ୍କାର ବାବଦରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ପର୍ଯ୍ୟଟନ ଏବଂ ନିର୍ମାଣ କ୍ଷେତ୍ର ଆଦି ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଉପରେ ଅଧିକ ଫୋକସ୍ ରହିବା ଦରକାର। ଏଭଳି ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ରକୁ ସବୁ ସ୍ତରରେ ପ୍ରୋତ୍ସାହନ ମିଳିବା ଦରକାର।