ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌, ୩ ମୃତ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଏହା ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆରଭି ପୁରମ ନିକଟରେ ଥିବା ଏଲଜି ପଲିମର […]

ds

Hemant Lenka
  • Published: Thursday, 07 May 2020
  • , Updated: 07 May 2020, 08:50 AM IST

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇଛି। ଏହା ସଂସ୍ପର୍ଶରେ ଆସି ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ବିଶାଖାପଟନମର ନାଇଡୁ ଥୋଟା ଅନ୍ତର୍ଗତ ଆରଆରଭି ପୁରମ ନିକଟରେ ଥିବା ଏଲଜି ପଲିମର କମ୍ପାନୀରୁ ଏହି ଗ୍ୟାସ  ରାତି ପ୍ରାୟ ୨.୩୦ରେ ଲିକ ହେବା ଆରମ୍ଭ ହୋଇଛି। ବିଷାକ୍ତ ଗ୍ୟାସ ଯୋଗୁ ସ୍ଥାନୀୟ ଗାଁରେ ଆତଙ୍କ ଖେଳିଯାଇଛି।

ଗାଁର ଶତାଧିକ ଲୋକ ମୁଣ୍ଡ ବିନ୍ଧା, ଆଖିରେ ପୋଡ଼ାଜଳା, ବାନ୍ତି ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ ଲିକର ଖବର ପାଇ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିଛନ୍ତି। ଗାଁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ନୌସେନାର ଯବାନମାନଙ୍କୁ ମୁତୟନ କରାଯାଇଛି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୧୫୦ରୁ ୧୭୦ ଜଣଙ୍କୁ ବିଭିନ୍ନ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଉ କିଛି ଲୋକଙ୍କୁ ଗୋପାଲପୁରମର ଘରୋଇ ହସ୍ପିଟାଲକୁ ନିଆଯାଇଛି। ପ୍ରାୟ ୧୫ଶହରୁ ୨ହଜାର ଲୋକଙ୍କ ପାଇଁ ବିଭନ୍ନ ହସ୍ପିଟାଲରେ ବେଡ ପ୍ରସ୍ତୁତ କରାଯାଇଛି।

ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ଘରୁ ପଦାକୁ ଆସିବାକୁ ବାରଣ କରାଯାଇଛି। ସେହିପରି ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି।  ଗ୍ରେଟର ବିଶାଖାପଟନମ ପୌରପାଳିକା ପକ୍ଷରୁ ଗ୍ୟାସ ଲିକକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପାଣି ସ୍ପ୍ରେ କରାଯାଉଛି।

୧୯୬୧ ମସିହାରେ ହିନ୍ଦୁସ୍ତାନ ପଲିମର୍ସ ନାଁରେ ଏହା ପ୍ରତିଷ୍ଠା ହୋଇଥିଲା। ତେବେ ପରବର୍ତ୍ତୀ ସମ୍ପର୍କରେ ଏହାକୁ ଦକ୍ଷିଣ କୋରିଆର ଏଲଜି କେମିକାଲ କିଣି ନେଇଥିଲା। ଏହାପରେ ୧୯୭୭ରେ ଏହାର ନାଁ ବଦଳାଇ ଏଲଜି ପଲିମର୍ସ ଇନ୍‌ ଇଣ୍ଡିଆ ବୋଲି ରଖାଯାଇଥିଲା।

Related story