ଶ୍ରୀନଗର: ଗତ ସାଧାରଣ ନିର୍ବାଚନରେ ମୟୁରଭଞ୍ଜରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚାରେ ଥିଲେ ବରିଷ୍ଠ ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ। ଏପରିକି ବେଶ କିଛି ସ୍ଥାନୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ସମ୍ବନ୍ଧରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଥିବା ପ୍ରମାଣିତ ହୋଇଛି। ୨ କେନ୍ଦ୍ର ମନ୍ତ୍ରୀ, ୨ ରାଜ୍ୟପାଳ ଏବଂ ଆରବିଆଇ ଗଭର୍ଣ୍ଣର ପରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ବଡ଼ ଦାୟିତ୍ୱ ମିଳିଛି। ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତା ଅକ୍ଟୋବର ୩୧ରୁ ଏହି ଦାୟିତ୍ୱ ତୁଲାଇବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି।। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ ଏହି ୧୯୮୫ ବ୍ୟାଚ୍ ଆଇଏଏସ୍ଙ୍କ ଜନ୍ମିତ ଏହି ଆଇଏଏସ୍ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ଜମ୍ମୁ-କଶ୍ମୀର ସହ ଲଦାଖରେ ମଧ୍ୟ ପ୍ରଥମ ଥର ପାଇଁ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଧାକୃଷ୍ଣ ମାଥୁରଙ୍କୁ ଏହି ଦାୟିତ୍ୱ ମିଳିଛି। ଅନ୍ୟପକ୍ଷରେ ବର୍ତ୍ତମାନର ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ବର୍ତ୍ତମାନ ଗୋଆ ରାଜ୍ୟାପଳ ଦାୟିତ୍ୱ ତୁଲାଇବେ। ସେହିଭଳି ପି ଶ୍ରୀଧରନ୍ ପିଲାଇଙ୍କୁ ମିଜୋରାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଦିନେଶ୍ୱର ଶର୍ମା ଲାକ୍ଷାଦ୍ୱୀପ ପ୍ରଶାସକ ନିଯୁକ୍ତି ପାଇଛନ୍ତି।
ମୁର୍ମୁ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇସାରିଛନ୍ତି। ସେ ନରେନ୍ଦ୍ର ମୋଦିଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ରୂପେ ପରିଚିତ ଥିଲେ। ସେ ଅର୍ଥ ମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ବା ବ୍ୟୟ ସଚିବ ହିସାବରେ ବଜେଟ୍ ପ୍ରସ୍ତୁତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇସାରିଛନ୍ତି।
ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ଏବଂ ଲଦାଖ୍ ୨ଟି ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ହେବା ନେଇ ପୂର୍ବରୁ ଘୋଷଣା ସରିଥିଲେ ହେଁ ଏହା ଅକ୍ଟୋବର ୩୧ରୁ ହିଁ ବିଧିବଦ୍ଧ ଭାବେ ଲାଗୁ ହେବ। ଏହି ଦିନଠାରୁ ହିଁ ଗିରୀଶ ଦାୟିତ୍ୱ ନେବେ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ସହ ଏଥିନେଇ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ ଗିରୀଶ। ସେ ଦାୟିତ୍ୱ ନେବାପରେ ଜମ୍ମୁ-କଶ୍ମୀର ବିଧାନସଭାର ପୁର୍ନଗଠନ ହେବ।
ବିଧାନସଭାର କ୍ଷମତା ଅତିବେଶୀରେ ୧୦୭ ରହିବା ନେଇ ନିୟମ ଅଛି ଯାହାକି ବର୍ତ୍ତମାନ ପରିବର୍ତ୍ତନ କରି ୧୧୪କୁ ବୃଦ୍ଧି କରାଯିବ। ପୂର୍ବବତ୍ ଜମ୍ମୁ-କଶ୍ମୀରର ଅଭିନ୍ନ ଅଙ୍ଗ ପିଓକେ ପାଇଁ ୨୪ ଆସନ ଛଡ଼ାଯିବ। ଗିରୀଶଙ୍କୁ ମିଳିବାକୁ ଥିବା ବିଭିନ୍ନ କ୍ଷମତା ମଧ୍ୟରେ ସମସ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୁଲିସ୍ ସେବା (ଆଇପିଏସ୍) ଏବଂ ଆଣ୍ଟି କରପସନ୍ ବ୍ୟୁରୋ (ଏସିବି) ଉପରାଜ୍ୟପାଳଙ୍କ ଅଧୀନରେ ରହିବେ। କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚିତ ସରକାର ହାତରେ ଏହିସବୁ କ୍ଷମତା ରହିବନି। ଅକ୍ଟୋବର ୩୧ ବା ଗିରୀଶଙ୍କ ନିଯୁକ୍ତି ତାରିଖ ପରଠାରୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖର ଗୋଟିଏ ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ ରହିବ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ପିକେ ମିଶ୍ର। ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ସମ୍ବଲପୁର ବାସିନ୍ଦା। ଏହି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ପିକେ ମିଶ୍ର ମଧ୍ୟ ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି। ତାଙ୍କ ବ୍ୟତୀତ ଆରବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ। ସେହିଭଳି ମୟୁରଭଞ୍ଜ ଜନ୍ମିତ ଦ୍ରୌପଦୀ ମୁର୍ମୁ ଏବଂ ବିଶ୍ୱଭୁଷଣ ହରିଚନ୍ଦନ ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।