ଦର ବଢ଼ିବାରୁ ପିଆଜର ଷ୍ଟକ୍‌ ସୀମା ଧାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ପିଆଜ ଦର ସରକାରଙ୍କ ଚିନ୍ତା ବଢ଼ାଇଛି। ପୂର୍ବରୁ ପିଆଜ ଷ୍ଟକ ଉପରେ କଟକଣା ପ୍ରତ୍ୟାହାର କରି ନେଇଥିବା କେନ୍ଦ୍ର ସରକାର ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ପିଆଜର ବର୍ଦ୍ଧିତ ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପିଆଜର ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି। ଏହାର ଅର୍ଥ ଖୁଚୁରା ବ୍ୟବସାୟୀ ଓ ହୋଲସେଲ ବ୍ୟବସାୟୀ କେତେ ପରିମାଣର ପିଆଜ ନିଜ ପାଖରେ ରଖିବେ, ତାହା ସରକାର ହିଁ ନିଷ୍ପତ୍ତି ନେବେ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, […]

gt

Hemant Lenka
  • Published: Friday, 23 October 2020
  • , Updated: 23 October 2020, 06:32 PM IST

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ପିଆଜ ଦର ସରକାରଙ୍କ ଚିନ୍ତା ବଢ଼ାଇଛି। ପୂର୍ବରୁ ପିଆଜ ଷ୍ଟକ ଉପରେ କଟକଣା ପ୍ରତ୍ୟାହାର କରି ନେଇଥିବା କେନ୍ଦ୍ର ସରକାର ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ପିଆଜର ବର୍ଦ୍ଧିତ ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପିଆଜର ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି। ଏହାର ଅର୍ଥ ଖୁଚୁରା ବ୍ୟବସାୟୀ ଓ ହୋଲସେଲ ବ୍ୟବସାୟୀ କେତେ ପରିମାଣର ପିଆଜ ନିଜ ପାଖରେ ରଖିବେ, ତାହା ସରକାର ହିଁ ନିଷ୍ପତ୍ତି ନେବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଖୁଚୁରା ବ୍ୟବସାୟୀ ସର୍ବାଧିକ ୨ ଟନ୍‌ ପିଆଜ ନିଜ ପାଖରେ ରଖିପାରିବେ। ହୋଲସେଲ ବ୍ୟବସାୟୀ ୨୫ ଟନ୍‌ ପିଆଜ ଷ୍ଟକରେ ରଖିପାରିବେ।  ଯଦି ଏହା ଠାରୁ କେହି ଅଧିକ ରଖିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ନିୟମ ଆଜି ଠାରୁ ଆସନ୍ତା ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ।

ବର୍ତ୍ତମାନ ପିଆଜର ଦର ବଢ଼ୁଥିବାରୁ କିଛି କଳା ବେପାରୀ ଏହାକୁ ଷ୍ଟକ କରି ରଖି ଦେଉଛନ୍ତି। ବଜାରକୁ ପିଆଜ ଆସିବା ବନ୍ଦ ହୋଇଯିବାରୁ ଦର ୧୦୦ ଟଙ୍କା ପାର କରିବାକୁ ବସିଲାଣି। ସାଧାଣ ଖାଉଟି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ବେଳେ ସରକାରଙ୍କ ଉପରେ ଚାପ ବଢ଼ିଥିଲା। ଏହି କାରଣରୁ କେନ୍ଦ୍ର ସରକାର ପିଆଜର ଷ୍ଟକ ଧାର୍ଯ୍ୟ କରିଛନ୍ତି।

ସରକାରଙ୍କ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୨ରେ ମୁମ୍ବାଇରେ ପିଆଜ କେଜି ପିଛା ୮୬ ଟଙ୍କା, ଚେନ୍ନାଇରେ ୮୩, କୋଲକାତାରେ ୭୦ ଓ ଦିଲ୍ଲୀରେ ଏହାର ଦର ୫୫ ଟଙ୍କା ରହିଛି। ସରକାର ଏହି ତଥ୍ୟ ଦେଇଥିଲେ ହେଁ କିଛି ସ୍ଥାନରେ ଏହାଠାରୁ ଅଧିକ ମୂଲ୍ୟରେ ପିଆଜ ବିକ୍ରି ହେଉଛି। ଏଥିପାଇଁ କେନ୍ଦ୍ର ସରକାର ପିଆଜର ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି।

ସରକାରଙ୍କ କହିବା କଥା, ୪୩ ଲକ୍ଷ ଟନ୍‌ ପିଆଜ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୬ ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି। ଏହି କାରଣରୁ ଦର ବୃଦ୍ଧି ଘଟୁଛି।

ଲୋକଙ୍କୁ କଳା ବଜାରୀରଙ୍କ କବଳରୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ସରକାରମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଷ୍ଟକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story