ନୂଆଦିଲ୍ଲୀ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପିର ଉତ୍ତର ପ୍ରଦେଶ ବିଧାୟକ ସୁରେନ୍ଦ୍ର ସିଂହ ଏମିତି କିଛି ପ୍ରସ୍ତାବ ଦେଇଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଦେଶରେ ହିନ୍ଦୁତ୍ୱବାଦକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ହିନ୍ଦୁ ଦମ୍ପତି ୫ଟି ସନ୍ତାନ ଜନ୍ମ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଭାରତରେ ହିନ୍ଦୁ ସଂପ୍ରଦାୟର ଜନସଂଖ୍ୟା ବୃଦ୍ଧି ପାଇବା ଦରକାର। ସମସ୍ତ ହିନ୍ଦୁ ଧର୍ମଗୁରୁ ଏଭଳି ଚାହୁଁଛନ୍ତି। ତେଣୁ ଏହାକୁ ସଫଳ କରିବାକୁ ହେଲେ ପ୍ରତିଟି ହିନ୍ଦୁ ଦମ୍ପତି ଅତିକମ୍ରେ ୫ଟି ସନ୍ତାନ ଜନ୍ମ କରିବା ଉଚିତ। ନହେଲେ ଦେଶରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଯିବେ ବୋଲି ସେ କହିଛନ୍ତି। ପୂର୍ବରୁ ସୁରେନ୍ଦ୍ର କହିଥିଲେ ଭଗବାନ ରାମ ମଧ୍ୟ ଚାହିଁଲେ ଦେଶରେ ଦୁଷ୍କର୍ମକୁ ରୋକି ପାରିବେ ନାହିଁ। ଏଭଳି ବୟାନର ଦୁଇ ମାସ ପୂର୍ବରୁ ସେ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।