ଭୋପାଲ: ଆଜିଠୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର (ଶିବସେନା-ଏନସିପି-କଂଗ୍ରେସ)ଦାୟିତ୍ୱ ନେବ । ନିର୍ବାଚନ ବେଳେ ଯଦିଓ ଶିବସେନା ଏହି ଏନସିପି ଓ କଂଗ୍ରେସ ବିରୋଧରେ ସ୍ୱର ଶାଣିତ କରି ଅନେକ ସ୍ଥାନରେ ଜିତିଛି। ହେଲେ ନିର୍ବାଚନ ଫଳାଫଳ ପରେ ସେହି ଦଳ ସହ ମିଶି ଶିବସେନା ସରକାର ଗଢ଼ିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଶିବସେନା ଭଳି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଦଳ କଂଗ୍ରେସ ସହ ମିଶି ସରକାର ଗଠନ କରିଛି। ଯାହାକି, ଦେଶର ରାଜନୀତିକୁ ନୂଆ ଦିଗ ଦେଇଛି।
ତେବେ ଶିବସେନାକୁ କଂଗ୍ରେସ ସହ ମେଣ୍ଚ କରାଇବା ପଛରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ମାଧ୍ୟମ ସାଜିଥିବା ବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପ୍ରଚ୍ଛଦ ପଟରେ ରହି ଯୋଡ଼ିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଶିବସେନା ସହ ମେଣ୍ଟ ନେଇ ଶରଦ ପାଓ୍ୱାର ନଭେମ୍ୱର ୧୧ରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଶରଦ ଓ ସୋନିଆଙ୍କ ବୈଠକ ପରେ ଶିବସେନା ସହ କଂଗ୍ରେସ ମେଣ୍ଟ କରିବାକୁ ରାଜି ନଥିବା ସୂଚନା ମିଳିଥିଲା। ଏମିତିକି ଏହି ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଦଳ ଶିବସେନା ସହ ମେଣ୍ଟ ନେଇ ଏବେ ନିଷ୍ପତ୍ତି ନେଇନାହିଁ। ଏହାପରେ ବିଜେପି ଭାବିଥିଲା କଂଗ୍ରେସ ଓ ଶିବସେନା ସହ ମେଣ୍ଟ ସମ୍ଭବ ନୁହେଁ।
ଏହାପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ସରକାର ଗଢ଼ିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶିବସେନା ସରକାର ଗଢ଼ି ପାରିନଥିଲା କଂଗ୍ରେସର ସମର୍ଥନ ପତ୍ର ମିଳିନଥିବାରୁ। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ତା’ପର ଦିନ ଜଣେ ଶିବସେନା ନେତା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଫୋନ କରି ମେଣ୍ଟ ପାଇଁ ହସ୍ତକ୍ଷେପ କରିବାକୁ କହିଥିଲେ। ଆଉ ଏଇଠୁ ପରଦା ପଛରେ ସରକାର ଗଢ଼ିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯାହାକି ବିଜେପି ବୁଝି ପାରିନଥିଲା।
କଂଗ୍ରେସ ନିଜର ବିଚାରଧାରା ସହ ବୁଝାମଣା କରିବାକୁ ଚେଷ୍ଟା କରୁନଥିଲା। ଅନ୍ୟପଟେ ଶିବସେନା ସମସ୍ତ ପ୍ରକାର ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇବାକୁ ଚାହୁଁଥିଲା। ଏହାରି ଭିତରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରରେ ଶିବସେନା ସହ ଦଳ ମେଣ୍ଚ କଲେ କୌଣସି ଅସୁବିଧା ହେବନି ବୋଲି ସୋନିଆ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ବୁଝାଇଥିଲେ।
ନଭେମ୍ୱର ୧୮ରୁ ୨୧ ମଧ୍ୟରେ କମଲନାଥ ମଧ୍ୟପ୍ରଦେଶରେ ରହି ଦଳୀୟ ନେତା ଓ ଏନସିପି ସହ କଥା ହୋଇ ସରକାର ଗଢ଼ିବା ପାଇଁ ରାଜି କରାଇଥିଲେ। ଫଳରେ ନଭେମ୍ୱର ୨୨ ତାରିଖରେ ତିନି ଦଳ ଏକ ହୋଇ ସରକାର ଗଢ଼ିବେ ବୋଲି ସନ୍ଧ୍ୟାରେ ମିଳିତ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ।
ଶିବସେନା ସରକାର ଗଢ଼ିବ ବୋଲି ଜଣାପଡ଼ିବା ପରେ ବିଜେପି ରାତି ଅଧିଆ ସରକାର ଗଢ଼ିବା ପାଇଁ ପ୍ରୟାସ କରିଥିଲା। ଏଥିରେ ସଫଳ ହୋଇଥିଲେ ମଧ୍ୟ ମାତ୍ର ୩ ଦିନରେ ଫଡ଼ନାବିସ ସରକାରର ପତନ ହୋଇଥିଲା।