ନୂଆଦିଲ୍ଲୀ: ପୁଲ୍ୱାମା ଆତ୍ମଘାତୀ ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ-ଭାରତ ସୀମାରେ ବେଆଇନ ଅନୁପ୍ରବେଶ ୪୩% କମିଥିବା ସୂଚନା ଦେଇଛନ୍ତି ସରକାର। ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ କ୍ୟାମ୍ପ ଉପରେ ହୋଇଥିବା ଆକ୍ରମଣ ପରେ ଜମ୍ମୁକଶ୍ମୀରରେ ସ୍ଥିତି ସୁଧୁରିଛି।
ଚଳିତ ବର୍ଷ ଫେବୃଆରୀରେ ପାକିସ୍ତାନ ସୀମା ଭିତରେ ପଶି ବାଲାକୋଟ୍ଠାରେ କରାଯାଇଥିବା ଏହି ଆକ୍ରମଣ ସୀମାପାର ଆତଙ୍କବାଦ ଏବଂ ବେଆଇନ ଅନୁପ୍ରବେଶ ଉପରେ କିଭଳି ପ୍ରଭାବ ପକାଇଛି ସେନେଇ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁରକ୍ଷା କର୍ମୀଙ୍କ ସମ୍ମିଳିତ ଉଦ୍ୟମ ଫଳରେ ରାଜ୍ୟରେ ସୁରକ୍ଷା ସମ୍ପର୍କିତ ସ୍ଥିତିରେ ଉନ୍ନତି ଆସିଛି। ୨୦୧୮ ତୁଳନାରେ ଚଳିତ ବର୍ଷର ଅର୍ଦ୍ଧଭାଗରେ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ବେଆଇନ ଅନୁପ୍ରବେଶ ଉପରେ କେନ୍ଦ୍ର ସରକାରଙ୍କର ‘ଜିରୋ ଟଲେରାନ୍ସ’ ପଲିସି କାମ କରୁଛି।
ସେ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବରେ ବେଆଇନ ଅନୁପ୍ରବେଶର ମୁକାବିଲା କରୁଛନ୍ତି। ଏହି ମୁକାବିଲା ମଧ୍ୟରେ ରହିଛି, ଅନ୍ତର୍ଜାତୀୟ ସୀମା ଏବଂ ଏଲ୍ଓସିର ବିଭିନ୍ନ ସ୍ତରରେ ଯବାନ ନିୟୋଜନ, ସୀମାରେ ବିଭିନ୍ନ ବାଡ଼ ନିର୍ମାଣ, ସୁଦୃଢ଼ ଗୁଇନ୍ଦା ବିଭାଗ, ସମନ୍ୱିତ ପରିଚାଳନା, ଉନ୍ନତ ଟେକ୍ନୋଲୋଜି ସମ୍ପନ୍ନ ଅସ୍ତ୍ର ଏବଂ ଅନୁପ୍ରବେଶକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଇତ୍ୟାଦି।
ସେ ଅନ୍ୟ ଏକ ପ୍ରଶ୍ନରେ କହିଛନ୍ତି, ଆଣ୍ଟି ଇନ୍ଫିଲଟ୍ରେସନ୍ ଅବଷ୍ଟାକାଲ୍ ସିଷ୍ଟମ୍ (ଏଆଇଓଏସ୍) ନାମରେ ବୈଦ୍ୟୁତିକ ବାଡ଼ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ଏଲ୍ଓସିରେ ଅନୁପ୍ରବେଶ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ନିକଟସ୍ଥ ପାୱାରଗ୍ରୀଡ୍ରୁ ଏହି ଏଆଇଓଏସ୍ ପାଇଁ ବିଦ୍ୟୁତ ଯୋଗାଣ କରାଯାଉଛି। ଏପରିକି ଅବିରତ ବିଦ୍ୟୁତ ସଂଯୋଗ ପାଇଁ ଜେନେରେଟରର ସହାୟତା ମଧ୍ୟ ନିଆଯାଉଛି।