ନୂଆଦିଲ୍ଲୀ: ଏବେବି ୟୁକ୍ରେନ୍ର ୱାର୍ ଜୋନ୍ରେ ପ୍ରାୟ ୧୦୦୦ ଭାରତୀୟ ଫସିଛନ୍ତି। ସୁମ୍ୟ ଇଲାକାରେ ୭୦୦ ଏବଂ ଖାରକିଭ୍ରେ ୩୦୦ ଜଣ ଫସିଛନ୍ତି। ପୂର୍ବ ୟୁକ୍ରେନ୍ରେ ଏହି ଜାଗାରେ ଭାରତୀୟମାନେ ଫସିଥିବା କେନ୍ଦ୍ର ସରକାର କହିଛନ୍ତି। ସେମାନଙ୍କୁ ବସ୍ ଯୋଗେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ବଡ଼ ଚ୍ୟଲେଞ୍ଜ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏଥିପାଇଁ ‘ଅପରେଶନ ଗଙ୍ଗା’ ଅଭିଯାନ ଜାରି ରହିଛି। ସବାଶେଷରେ ରହିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିବ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି। ସେ କହିଛନ୍ତି ଯେ, ୟୁକ୍ରେନ୍ରୁ ଛାତ୍ରଙ୍କୁ ଉଦ୍ଧାର କରିବର ଆମର ପ୍ରାଥମିକ ଲକ୍ଷ୍ୟ ।
ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଆମେ ଉଭୟ ୟୁକ୍ରେନ୍ ଏବଂ ରୁଷ ସରକାରଙ୍କ ସହ ଆଲୋଚନା କରିଛୁ। ଯଥା ସମ୍ଭବ ଭାରତୀୟଙ୍କୁ ୟୁକ୍ରେନ୍ରୁ ଫେରେଇ ଆଣିବା ଆମର ଏକମାତ୍ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଗତକାଲି ୩୦୦୦ ଛାତ୍ରଙ୍କୁ ଉଦ୍ଧାର କରି ବିଭିନ୍ନ ବିମାନରେ ଭାରତକୁ ଫେରାଇ ଅଣାଯାଇଛି। ୟୁକ୍ରେନ୍ରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ ଜାରି ରହିବ । ଏଥିପାଇଁ ଅଧିକ ବିମାନ ପଠାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନର ନାମ ‘ଅପରେଶନ ଗଙ୍ଗା’ ରଖାଯାଇଛି।
ଭାରତ ସରକାରଙ୍କ ପକ୍ଷରୁ ଗାଇଡ୍ ଲାଇନ୍ ଜାରି ପରେ ୧୮,୦୦୦ ଭାରତୀୟ ୟୁକ୍ରେନ୍ ଛାଡ଼ିସାରିଲେଣି। ଅପରେଶନ୍ ଗଙ୍ଗା ଅଭିଯାନରେ ୩୦ଟି ବିମାନରେ ୬,୪୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଭାରତକୁ ଅଣାଯାଇଛି। ୟୁକ୍ରେନ୍ ସୀମାରେ ଶହ ଶହ ଭାରତୀୟ ମାନେ ଅଟକି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଉଦ୍ଧାର ପାଇଁ ନିବେଦନ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।