ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ସହଯୋଗୀ, ଶପଥ ନେଲେ ୧୫ ଜଣ

ଜୟପୁର: କଂଗ୍ରେସ ଶାସିତ ରାଜସ୍ଥାନରେ ବହୁ ଚର୍ଚ୍ଚିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାମ ଶେଷ ହୋଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ବି ଦେଖାଦେଥିଲେ। ଶେଷରେ ବିବାଦର ପ୍ରାୟ ଦେଢ଼ ବର୍ଷ ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ […]

Minister

Hemant Lenka
  • Published: Sunday, 21 November 2021
  • , Updated: 21 November 2021, 05:09 PM IST

ଜୟପୁର: କଂଗ୍ରେସ ଶାସିତ ରାଜସ୍ଥାନରେ ବହୁ ଚର୍ଚ୍ଚିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କାମ ଶେଷ ହୋଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ବି ଦେଖାଦେଥିଲେ। ଶେଷରେ ବିବାଦର ପ୍ରାୟ ଦେଢ଼ ବର୍ଷ ପରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଗେହଲଟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି।

ନୂଆ କରି ଗଠନ ହୋଇଥିବା ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ଜଣ ସହଯୋଗୀ ସ୍ଥାନ ପାଇଛନ୍ତି। ସେହିପରି ଆଜି ୧୫ ଜଣ ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲରାଜ ମିଶ୍ର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ଥିବା ଗୋବିନ୍ଦ ସିଂହ ଦୋତାସ୍ର, ହରିଶ ଚୌଧୁରୀ ଓ ରଘୁ ଶର୍ମାଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ନିଜର ପଦ ବଜାୟୀ ରଖିଛନ୍ତି। ଏହାର ଅର୍ଥ ଏବେ ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୩୦ରେ ପହଞ୍ଚିଛି।

ଆଜି ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ ଗେହଲଟଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ। ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

ଗତବର୍ଷ ସଚିନ ପାଇଲଟଙ୍କ ସହ ମିଶି ବିଦ୍ରୋହ ଘୋଷଣା କରିଥିବା ବିଶଭେନ୍ଦର ସିଂହ ଓ ରମେଶ ମୀନା ଆଜି ଗେହଲଟଙ୍କ କ୍ୟାବିନେଟକୁ କମବ୍ୟାକ କରିଛନ୍ତି। ପାଇଲଟଙ୍କ ସହ ଏମାନଙ୍କୁ ବିଦ୍ରୋହ ପାଇଁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ମହେନ୍ଦ୍ରଜିତ ସିଂହ ମାଲବ୍ୟ, ରାମଲାଲ ଜାଠ, ମହେଶ ଯୋଶୀ, ମମତା ଭୂପେଶ, ଟିକାରାମ ଜୁଲି, ଭଜନଲାଲ ଜାତବ, ଗୋବିନ୍ଦ ରାମ ମେଘୱାଲ ଓ ଶୁକାନ୍ତଲାଲ ରାୱତ ନୂଆ ଚେହରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଜାହିଦା ଖାନ ଓ ରାଜେନ୍ଦ୍ର ସିଂହ ଗୌଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସଚିନ ପାଇଲଟ ବେଶ ଖୁସି ବ୍ୟକ୍ତ କରିଛନ୍ତି। ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସର ସବୁ ନେତା ଏକାଠି ହୋଇ ଲଢ଼ିବେ ଓ ବିଜେପିକୁ ହରାଇବେ ବୋଲି ସେ କହିଛନ୍ତି। ଗେହଲଟ ମଧ୍ୟ ସବୁ କଥାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି।

ସେ ଦଳୀୟ କର୍ମୀମାନଙ୍କୁ କହିଛନ୍ତି, ଉତ୍ତମ ଶାସନ ପାଇଁ ମନ୍ତ୍ରିମଣ୍ଡଳରେ ନଥିବା ଲୋକଙ୍କର ଦାୟିତ୍ୱ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ କରିଛନ୍ତି।

Related story