ଜମ୍ମୁ: ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ନିପାତ ହୋଇଛନ୍ତି ୧୭୨ ଆତଙ୍କବାଦୀ। ଏମାନଙ୍କ ମଧ୍ୟରେ ଅଛନ୍ତି ୪୨ ଜଣ ବିଦେଶୀ ଆତଙ୍କୀ। ନିପାତ ହୋଇଥିବା ଆତଙ୍କୀଙ୍କ ମଧ୍ୟରୁ ସର୍ବାଧିକ ଲସ୍କର ଇ ତୋଇବା ସଂଗଠନର । ଏହି ସୂଚନା ଦେଇଛନ୍ତି କାଶ୍ମୀର ADGP ବିଜୟ କୁମାର। ସେହିପରି ଆତଙ୍କୀ ସଂଗଠନରେ ନୂଆ ଆତଙ୍କୀ ଭର୍ତ୍ତି ବହୁ ପରିମାଣରେ କମିଛି । ନୂଆକରି ଆତଙ୍କୀ ସଂଗଠନରେ ଭର୍ତ୍ତି ହୋଇଥିବା ୬୫ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି । ସେହିପରି ଚଳିତ ବର୍ଷ ପ୍ରଚୁର ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏନ୍କାଉଣ୍ଟର ବେଳେ ୩୬୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ତାମଧ୍ୟରୁ ୧୨୧ଟି AK ସିରିଜ୍ ରାଇଫଲ୍ସ, ୮ଟି M4 କାର୍ବାଇନ୍, ୨୩୧ଟି ପିସ୍ତଲ ରହିଛି। ଏହାସହ ବିପୁଳ ପରିମାଣର IED, ଷ୍ଟିକି ବୋମା, ଗ୍ରେନ୍ଡ ମଧ୍ୟ ଜବତ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଏହି ବର୍ଷ ୨୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତା ମଧ୍ୟରେ ରହିଛନ୍ତି ୨୧ ଜଣ ସ୍ଥାନୀୟ ବାସିନ୍ଦା । ତେବେ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୧ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅଛନ୍ତି ୩ ଜଣ କଶ୍ମୀର ପଣ୍ଡିତ।
ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ସମସ୍ତ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ନିପାତ କରିଛନ୍ତି । ତେବେ ଆକ୍ରମଣରେ ସଂପୃକ୍ତ ଦୁଇ ଆତଙ୍କୀ ବସିତ୍ ଦର ଓ ଆଦିଲ୍ ଓ୍ୱାନିଙ୍କୁ ଖୁବଶୀଘ୍ର ନିପାତ କରାଯିବ ବୋଲି କହିଛନ୍ତି କଶ୍ମୀର ADGP ବିଜୟ କୁମାର । ଏହି ବର୍ଷ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ବେଳେ ୨୬ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସହିଦଙ୍କ ଭିତରେ ଅଛନ୍ତି ୧୪ ଜଣ ଜମ୍ମୁ ଓ କଶ୍ମୀର ପୋଲିସ କର୍ମୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।