ହୋମିଓପାଥି ମେଡିସିନ୍ ଖାଇ ପରିବାରର ୮ ମୃତ

ରାୟପୁର: କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି, ଯାହା ଅତ୍ୟନ୍ତ ଘାତକ ମଧ୍ୟ ସାବ୍ୟସ୍ତ ହେଉଛି। ଏଭଳି ଏକ ଘଟଣା ଛତିଶଗଡ଼ର ବିଳାସପୁରରୁ ଆସିଛି । ଏଠାରେ ହୋମିଓପାଥି ମେଡିସିନ୍ ସେବନ କରିବା ପୂରା ପରିବାରକୁ ମହଙ୍ଗା ପଡ଼ିଛି । ମେଡିସିନ୍ ଖାଇ ପରିବାରର ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବିଳାସପୁରର ସିଏମଓ କହିଛନ୍ତି, ସମସ୍ତେ ହୋମିଓପାଥି ମେଡିସିନ୍ ଖାଇଛନ୍ତି, ଯେଉଁକାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ଜଣଙ୍କଚୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଏମଓ କହିଛନ୍ତି, ପରିବାର ଲୋକେ ଯେଉଁ ହୋମିଓପାଥି ମେଡିସିନ୍ ଖାଇଥିଲେ, ସେଥିରେ ଆଲକହଲ୍ ମାତ୍ରା ଅଧିକ ଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ମାମଲାର ଯାଞ୍ଚ କରୁଛି । ଯାଞ୍ଚ ହେବା ପରେ ବିଭାଗର ରିପୋର୍ଟରୁ ସ୍ପଷ୍ଟ ହେବ ଯେ ମୃତ୍ୟୁର ଅସଲ କାରଣ କ’ଣ । ତେବେ ପ୍ରାଥମିକ ମୃତ୍ୟୁର କାରଣ ହୋମିଓପାଥି ମେଡିସିନ୍ ନେଇଥିବା ଜଣାପଡ଼ିଛି ।

ସିଏମଓ କହିଛନ୍ତି, ପୂରା ପରିବାର ହୋମିଓପାଥି ମେଡିସିନ୍ ଡ୍ରୋସେରା-୩୦ ନେଇଥିଲେ । ଏଥିରେ ୯୧ ପ୍ରତିଶତ ଆଲକହଲ୍ ଥାଏ, ଯାହା ଦେଶୀ ମଦ ସହ ମିଶା ଯାଇଥାଏ । ଏହାକୁ ନେବା ଦ୍ୱାରା ବହୁତ ବିପଜ୍ଜନକ ହୋଇଥାଏ ଏବଂ ଅନେକ କ୍ଷେତ୍ରରେ ଏହାକୁ ସେବନ କରୁଥିବା ଲୋକଙ୍କ ପାଇଁ ବିଷ ସଦୃଶ ହୋଇଥାଏ ।

ସିଏମଓ ଆହୁରି ସୂଚନା ଦେଇଛନ୍ତି, ପରିବାର ଲୋକଙ୍କ ମୃତ୍ୟୁ ହେବା ସହ ଏହି ଖବର ଦ୍ରୁତ ଗତିରେ ବ୍ୟାପି ଯାଇଛି ଏବଂ ଏହା ପରେ ହୋମିଓପାଥି ମେଡିସିନ୍ ଦେଉଥିବା ଡାକ୍ତର ମଧ୍ୟ ଫେରାର୍ ହୋଇଯାଇଛି । ପୁଲିସ୍ ଏବେ ଉକ୍ତ ଚିକିତ୍ସକଙ୍କୁ ଖୋଜିବା ଆରମ୍ଭ କରିଦେଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।