ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ଗଲା ଘର, ୯ ମୃତ

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷା ଯୋଗୁ ତାମିଲନାଡୁର ଭେଲୋରରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘର ଭୁଶୁଡ଼ି ୪ ଜଣ ଛୋଟ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୋକ ପ୍ରକାଶ କରିବା ସହ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲାଣି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଚେନ୍ନାଇଠାରୁ ଆରମ୍ଭ […]

Rain

Hemant Lenka
  • Published: Friday, 19 November 2021
  • , Updated: 19 November 2021, 01:38 PM IST

ଚେନ୍ନାଇ: ଅବିଶ୍ରାନ୍ତ ବର୍ଷା ଯୋଗୁ ତାମିଲନାଡୁର ଭେଲୋରରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘର ଭୁଶୁଡ଼ି ୪ ଜଣ ଛୋଟ ପିଲାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୋକ ପ୍ରକାଶ କରିବା ସହ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେଲାଣି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଚେନ୍ନାଇଠାରୁ ଆରମ୍ଭ କରି ଭେଲୋର ଯାଏ ଅବିଶ୍ରାନ୍ତ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁ ଭେଲୋରରେ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ଘର ଭୁଶୁଡ଼ିବା ବେଳେ ମୃତକମାନେ ଏହା ମଧ୍ୟରେ ଶୋଇଥିଲେ।

ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା, ୪ ଜଣ ମହିଳା ଓ ଜଣେ ବ୍ୟକ୍ତି ରହିଛନ୍ତି। ସେହିପରି ଏହି ଘର ଭୁଶୁଡ଼ିବା ଘଟଣାରେ ଆଉ ୮ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ଧ୍ୱଂସାବଶେଷ ତଳୁ ବାହାର କରି ପେରନମବେଟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଭୁଶୁଡ଼ି ପଡ଼ିଥିବା ଘରଟି ପେରନାମବୁଟ ସହରରେ ରହିଥିଲା। ଆଜି ସକାଳ ପ୍ରାୟ ୬.୩୦ରେ ପ୍ରବଳ ବର୍ଷା ଯୋଗୁ ଏହା ଭୁଶୁଡ଼ି ଯାଇଛି। ବର୍ଷା ପାଣି ମାଡ଼ି ଯାଇଥିବାରୁ ଉକ୍ତ ଘରେ ପରିବାର ବର୍ଗଙ୍କ ସହ ଆଉ କିଛି ପଡ଼ୋଶୀ ରହୁଥିଲେ। ଆଜି ସକାଳୁ ଏହା ଭୁଶୁଡ଼ି ପଡ଼ିବାରୁ ସମସ୍ତେ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ।

ଖବର ପାଇ ତାମିଲନାଡୁ ଅଗ୍ନିଶମ ଓ ଉଦ୍ଧାରକାରୀ ସେବାର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ସେଠାରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଧ୍ୱଂସାବଶେଷ ତଳୁ ଜୀବନର ସନ୍ଧାନ କରାଯାଉଛି। ଆହତଙ୍କ ପାଇଁ ୫୦ ହଜାର ଓ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଆଜି ମଧ୍ୟ ତାମିଲନାଡୁ ସମେତ ଆନ୍ଧ୍ର ଓ କର୍ଣ୍ଣାଟକାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Related story