ନୂଆଦିଲ୍ଲୀ: ଦଳ ଛାଡ଼ିଲେ କଂଗ୍ରେସର ବରିଷ୍ଠ ନେତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର କଂଗ୍ରେସ ଛାଡ଼ିଛନ୍ତି। ୪ ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଆଜି ଦଳରୁ ବିଦାୟ ନେଇଛନ୍ତି ଅଶ୍ୱିନୀ। ୨୦୦୦୯ରୁ ୨୦୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ଅଶ୍ୱିନୀ ଆଇନ ମନ୍ତ୍ରୀ ଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଦେଇ ଅଶ୍ୱିନୀ ବ୍ୟକ୍ତିଗତ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା ଉଲ୍ଲେଖ କରିଛନ୍ତି। ଇସ୍ତଫାପତ୍ରରେ ତାଙ୍କୁ ତଥା ବରିଷ୍ଠ ନେତାଙ୍କୁ ଅବହେଳା କରାଯାଉ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ନିର୍ବାଚନରେ ଲଗାତାର କଂଗ୍ରେସର ବିପର୍ଯ୍ୟୟକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି ।
ସେହିପରି କଂଗ୍ରେସ ବିପକ୍ଷରେ ଆସୁଥିବା ଫଳାଫଳରୁ ଦଳ ପ୍ରତି ଲୋକଙ୍କ ସମର୍ଥନ ନଥିବା ସେ କହିଛନ୍ତି । ଏଥିରେ ଦଳ ବିଚାର କରିବା କଥା ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ସେ ଭରସା କରି ପାରୁ ନାହାନ୍ତି। ରାହୁଲ ଗାନ୍ଧୀ କେବେ ଭବିଷ୍ୟତରେ ଜାତୀୟ ରାଜୀତିରେ ବିକଳ୍ପ ଚେହେରା ହୋଇ ପାରିବେ ନାହିଁ ବୋଲି ଅଶ୍ୱିନୀ ଦର୍ଶାଇଛନ୍ତି। କଂଗ୍ରେସ ଦଳ ଦିନକୁ ଦିନ ଦୁର୍ବଳ ହେଉଥିବା ସେ କହିଛନ୍ତି । ପୂର୍ବରୁ କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କ କୋର ଟିମ୍ର ସଦସ୍ୟ ଆରପିଏନ ସିଂ ଦଳରୁ ଇସ୍ତଫା ଦେଇଛନ୍ତି।
ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଥିବା ଆରପିଏନ ସିଂ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରୁ ହାଇପ୍ରୋଫାଇଲ ନେତା ଦଳ ଛାଡ଼ିବା ପ୍ରକ୍ରିୟା ୨୦୨୦ରୁ ଆରମ୍ଭ ହୋଇଛି। ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ଏବେ କେନ୍ଦ୍ରର ମନ୍ତ୍ରୀ ଅଛନ୍ତି। ଗତ ବର୍ଷ ୟୁପି କଂଗ୍ରେସ ନେତା ଜିତନ ପ୍ରସାଦ ମଧ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ତେବେ ୨୦୧୪ ପରଠାରୁ ଜଣେ ବରିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦଳ ଛାଡ଼ିବାରେ ଅଶ୍ୱିନୀ ହେଉଛନ୍ତି ପ୍ରଥମ। ଗାନ୍ଧୀ ପରିବାର ଖୁବ୍ ଅନୁଗତ ଥିବା ଅଶ୍ୱିନୀ ଦଳ ଛାଡ଼ିବା କଂଗ୍ରେସ ପାଇଁ ବଡ଼ ଧକ୍କା ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।