ଦେଶରେ ପ୍ରଥମ: ବୃଦ୍ଧ ବାପାମା’ଙ୍କ ସହ ସମୟ କାଟିବାକୁ ମିଳିବ ୪ ଦିନ ଛୁଟି

ଗୌହାଟୀ: ବୃଦ୍ଧ ବାପା ମା’ ଓ ପରିବାର ଲୋକଙ୍କ ସହ ବର୍ଷକୁ ଥରେ ସମୟ କାଟିବା ପାଇଁ ସ୍ୱତନ୍ତ୍ର ଛୁଟିରେ ବ୍ୟବସ୍ଥା ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଆସାମ କ୍ୟାବିନେଟ ଆସନ୍ତା ବର୍ଷ ପ୍ରଥମ ସପ୍ତାହରେ ହିଁ ସବୁ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ୪ ଦିନ ଛୁଟି ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି। ୱିକେଣ୍ଡ ପାଇଁ ଦୁଇ ଦିନ ଓ ଏହା ସହ ଆଉ […]

Parents

Hemant Lenka
  • Published: Thursday, 25 November 2021
  • , Updated: 25 November 2021, 03:19 PM IST

ଗୌହାଟୀ: ବୃଦ୍ଧ ବାପା ମା’ ଓ ପରିବାର ଲୋକଙ୍କ ସହ ବର୍ଷକୁ ଥରେ ସମୟ କାଟିବା ପାଇଁ ସ୍ୱତନ୍ତ୍ର ଛୁଟିରେ ବ୍ୟବସ୍ଥା ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଆସାମ କ୍ୟାବିନେଟ ଆସନ୍ତା ବର୍ଷ ପ୍ରଥମ ସପ୍ତାହରେ ହିଁ ସବୁ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ୪ ଦିନ ଛୁଟି ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି।

ୱିକେଣ୍ଡ ପାଇଁ ଦୁଇ ଦିନ ଓ ଏହା ସହ ଆଉ ୨ଟି ଅତିରିକ୍ତ ସରକାରୀ ଛୁଟିକୁ ଯୋଡ଼ା ଯାଇଛି। ପ୍ରତିବର୍ଷ ଆରମ୍ଭରୁ ଅଧିକାରୀମାନେ ଏହି ଛୁଟିର ବ୍ୟବହାର କରିପାରିବେ। ଏହି ଛୁଟିରେ ସେମାନେ ନିଜର ବୃଦ୍ଧ ବାପା ମା’ କିମ୍ବା ଶାଶୂ ଶ୍ୱଶୁରଙ୍କ ସହ ସମୟ ଅତିବାହିତ କରିବେ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ୨୦୨୨ ଜାନୁଆରୀ ୬ ଓ ୭କୁ ଅତିରିକ୍ତ ଛୁଟି ତାଲିକାରେ ଯୋଡ଼ା ଯାଇଛି। ଏହାସହ ୮ ତାରିଖ ଶନିବାର ଓ ୯ ତାରିଖ ରବିବାର ପଡ଼ୁଛି। ତେଣୁ ଅଧିକାରୀମାନେ ଏହି ଦୁଇ ସ୍ୱତନ୍ତ୍ର ଛୁଟି ସହ ୱିକେଣ୍ଡର ଫାଇଦା ଉଠାଇବେ।

ତେବେ ଅଧିକାରୀମାନେ ୬-୭ ତାରିଖ ଛୁଟିକୁ କେବଳ ନିଜର ବୃଦ୍ଧ ବାପା ମା’ କିମ୍ବା ଶାଶୂ ଶ୍ୱଶୁରଙ୍କୁ ଦେଖା କରିବା ପାଇଁ କିମ୍ବା ସେମାନଙ୍କୁ କୌଣସି ଟୁର୍‌ରେ ନେବା ପାଇଁ ହିଁ ବ୍ୟବହାର କରିପାରିବେ। ଏହାବାଦ୍‌ ଆଉ କୌଣସି କାରଣ ପାଇଁ ଏହି ଛୁଟି ମିଳି ପାରିବ ନାହିଁ ବୋଲି ଆସାମ ସରକାର ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ନୂଆ ବର୍ଷ ଆରମ୍ଭରୁ ସମସ୍ତ ଅଧିକାରୀ ଓ ମନ୍ତ୍ରୀମାନେ ସେମାନଙ୍କ ବାପା ମା’ଙ୍କ ଆଶୀର୍ବାଦ ଲାଭ କରିବାର ସୁଯୋଗ ପାଇବେ। ଏହା ମୋ ପାଇଁ ବହୁତ ଖୁସିର କଥା। ଏହି ଆଶୀର୍ବାଦ ମିଳିବା ପରେ ସେମାନେ ରାଜ୍ୟ ପାଇଁ ବର୍ଷ ତମାମ ଭଲ କାମ କରିପାରିବେ। ଏହି ଅତିରିକ୍ତ ଛୁଟିକୁ ଆଇଏଏସ୍‌, ଆଇପିଏସ୍‌, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ ସବୁ ବର୍ଗର ଅଧିକାରୀମାନେ ବ୍ୟବହାର କରିପାରିବେ। କେବଳ ଫିଲ୍ଡରେ କାମ କରୁଥିବା ଲୋକଙ୍କୁ ଏହା ମିଳିବ ନାହିଁ। ମନ୍ତ୍ରୀମାନେ ଏହି ଛୁଟିର ହକଦାର ନୁହନ୍ତି। କିନ୍ତୁ ସରକାର ସେମାନଙ୍କୁ ମଧ୍ୟ ବାପା ମା’ଙ୍କ ସହ କିଛି ସମୟ କାଟିବା ପାଇଁ ଛୁଟି ପ୍ରଦାନ କରିବେ।”

ଚଳିତ ବର୍ଷ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ସରକାରୀ ଅଧିକାରୀଙ୍କୁ ନିଜ ବୃଦ୍ଧ ବାପାମା’ଙ୍କ ସହ ଉତ୍ତମ ସମୟ ବିତାଇବାକୁ ନୂଆବର୍ଷରେ ଅତିରିକ୍ତ ଛୁଟିର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଏହି ଘୋଷଣା ଅନୁଯାୟୀ ଏବେ କ୍ୟାବିନେଟ ଅତିରିକ୍ତ ଛୁଟି ଉପରେ ମୋହର ମାରିଛି।

Related story