ଲକ୍ଷ୍ନୌ: ପୁଣି ଏକ ଝଟକା। ବିଧାୟକ କ୍ୱାର୍ଟର ଛାଡ଼ିବେ ଆଜମ ଖାନ୍। ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଲକ୍ଷ୍ନୌରେ ଦାରୁଲ ସାଫା ଇଲାକାରେ ଥିବା ବିଧାୟକ କ୍ୱାର୍ଟରକୁ ଛାଡ଼ିବାକୁ ପଡ଼ିବ। ଏହି କ୍ୱାର୍ଟରଟିରେ ଏବେ ବିଜେପିର ନୂଆ ରାମପୁର ବିଧାୟକ ଆକାଶ ସକ୍ସସେନା ରହିବ। ଆଗରୁ ଆଜମ ଖାନଙ୍କ ନାମରେ ଥିବା କ୍ୱାର୍ଟରଟିକୁ ରାଜ୍ୟ ସରକାର ରଦ୍ଦ କରି ଆକାଶଙ୍କ ନାମରେ ଆଲର୍ଟ କରିଛନ୍ତି। ଲକ୍ଷ୍ନୌରେ ଥିବା ଦାରୁଲ ସାଫା ଇଲାକାରେ ଥିବା ୩୪ ବି କ୍ୱାର୍ଟରଟି ଆକାଶ ଏବେ ରହିବେ।
ନିକଟରେ ହୋଇଥିବା ଉପନିର୍ବାଚନରେ ରାମପୁର ସଦର ଆସନରେ ବିଜେପି ପ୍ରାର୍ଥୀ ଆକାଶ ସକ୍ସସେନା ସମାଜବାଦୀ ପାର୍ଟିର ଅସିମ୍ ରାଜାଙ୍କୁ ୩୩ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। ରାମପୁର ସଦର ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେପି ଉପନିର୍ବାଚନ ଜିତିବାକୁ ସକ୍ଷମ ହୋଇଛି। ସ୍ୱାଧୀନତା ପରଠାରୁ ଏହି ଆସନରେ କେବଳ ମୁସଲିମ ପ୍ରାର୍ଥୀମାନେ ହିଁ ଜିତି ଆସୁଥିଲେ। ଗତ ୧୯୮୦ରୁ ଏହି ଆସନ ସମାଜବାଦୀ ପାର୍ଟିର ଆଜମ ଖାଁଙ୍କ ପରିବାର କବଜାରେ ଥିଲା । କେବଳ ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ଏହି ଆସନକୁ ଅଫରୋଜ ଅଲି ଖାଁ ଜିତିଥିଲେ। ଏଣୁ ପ୍ରଥମ ଥର ପାଇଁ ବିଜେପି ଏହି ଆସନରୁ ଜିତିବାରେ ସକ୍ଷମ ହୋଇଛି।
୨୦୧୯ରେ ଏକ ଘୃଣାସୃଷ୍ଟିକାରୀ ଭାଷଣ ଯୋଗୁଁ ଆଜମ ଖାଁଙ୍କୁ ବିଧାନସଭା ସଦସ୍ୟ ପଦ ଲାଗି ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏହି କାରଣରୁ ଏହି ଆସନରେ ଉପନିର୍ବାଚନ ହୋଇଥିଲା। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଘୃଣିତ ମନ୍ତବ୍ୟ ପାଇଁ ବରିଷ୍ଠ ନେତା ଆଜମଙ୍କୁ ଗୁରୁବାର ରାମପୁର ଜିଲାର ଏକ ସ୍ୱତନ୍ତ୍ର ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଜନପ୍ରତିନିଧି ଆଇନ ଅନୁଯାୟୀ କୌଣସି ବିଧାୟକ, ବିଧାନ ପରିଷଦ ସଦସ୍ୟ କିମ୍ବା ଏମ୍ପି କୌଣସି ଆପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଯଦି ସର୍ବନିମ୍ନ ୨ ବର୍ଷ ଜେଲ ଯାଆନ୍ତି, ତେବେ ସେ ଗୃହର ସଦସ୍ୟତା ହରାଇବେ। ଏପରିକି ଜେଲଦଣ୍ଡ ଭୋଗିସାରିବା ପରେ ମଧ୍ୟ ସେ ପରବର୍ତ୍ତୀ ୬ ବର୍ଷ ନିର୍ବାଚନ ଲଢ଼ିବା ଲାଗି ଯୋଗ୍ୟ ବିବେଚିତ ହେବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।