ହିନ୍ଦୁ କେବେ ଦୁଷ୍କର୍ମ କରେନି: ବିଲକିସ୍ ବାନୋଙ୍କ ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଦୁଷ୍କର୍ମ ଘଟଣାରେ ଦୋଷୀମାନେ ଜେଲ୍‌ରୁ ମୁକୁଳି ସାରିଛନ୍ତି। ସେମାନେ ସାମାଜିକ ଜୀବନକୁ ଫେରିଲେଣି। ଏହି ଅପରାଧର ୧୧ ଦୋଷୀଙ୍କ ମଧ୍ୟରୁ ଗୋବିନ୍ଦ ନାଇ ହେଉଛନ୍ତି ଜଣେ। ବିଲ୍‌କିସ୍ ବାନୋଙ୍କ ଦୁଷ୍କର୍ମ ଘଟଣାକୁ ନେଇ ସେ ଏବେ ଏକ ଅଜବ ବୟାନ ଦେଇଛନ୍ତି। ନିଜ ଅପରାଧକୁ ନେଇ ରଖିଛନ୍ତି ଅଜବ ଯୁକ୍ତି।

ଦୋଷୀ ଗୋବିନ୍ଦ ନାଇ କହିଛନ୍ତି, ହିନ୍ଦୁ କେବେ ଦୁଷ୍କର୍ମ କରେନି। ସେ ଓଲଟି ପ୍ରଶ୍ନ କରିଛନ୍ତି “ଆମେ ନିର୍ଦ୍ଦୋଷ। କ’ଣ ଆପଣ କକା ପୁତୁରାକୁ ସାମ୍ନାସାମ୍ନି କାହାକୁ ଦୁଷ୍କର୍ମ କରିବା ଦେଖିଛ କି? କ’ଣ ହିନ୍ଦୁ ସମ୍ପ୍ରଦାୟରେ ଏମିତି ହୁଏ? ନା ହିନ୍ଦୁ ଏମିତି କରେ ନାହିଁ।”

ସୂଚନା ଥାଉକି ଗୋବିନ୍ଦ ନାଇ ଓ ଅନ୍ୟ କିଛି ଦୋଷୀ ପାରୋଲରେ ଜେଲ୍‌ରୁ ମୁକୁଳିବା ପରେ ସାକ୍ଷୀଙ୍କୁ ଧମକ ଚମକ୍ ଦେଇଥିବା ଅଭିଯୋଗ ହୋଇଥିଲା। ତଥାପି ଉତ୍ତମ ବ୍ୟବହାର ଆଳରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।

୨୦୧୭ରେ ବିଲକିସ୍ ବାନୋ ମାମଲାରେ ଗୋବିନ୍ଦ ନାଇ ତାଙ୍କ ବିରୋଧରେ ସାକ୍ଷୀ ଦେଇଥିବା ଲୋକଙ୍କୁ ଧମକ ଚମକ ଦେଇଥିଲେ।

୨୦୦୨ରେ ବିଲ୍‌କିସ୍ ବାନୋ ଦୁଷ୍କର୍ମ ଘଟଣା ଘଟିଥିଲା। ସେହି ଦିନ ଠାରୁ ବିଲକିସ୍ ବାନୋ ନିଜ ଗାଁରେ ରୁହନ୍ତି ନାହିଁ। ତାଙ୍କ ଘର ଏବେ ଏକ ଦୋକାନ ପାଲଟିଛି। ଭୟରେ ସେ ଉକ୍ତ ଅଞ୍ଚଳ ଛାଡ଼ି ଆଉ ଏକ ସ୍ଥାନକୁ ନିଜର ବାସସ୍ଥାନ ବାଛି ନେଇଛନ୍ତି ବିଲ୍‌କିସ୍ ବାନୋ। ଦୁଷ୍କର୍ମ ମାମଲାରେ ଥିବା ସବୁ ଦୋଷୀଙ୍କ ଘର ଦାହୋଦ ଜିଲ୍ଲାର ରାଧିକପୁର ଗାଁ ଆଖପାଖ ଅଞ୍ଚଳର। ଏଠି ୪ ହଜାରରୁ ଅଧିକ ଲୋକ ରହୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।