ମୁମ୍ବାଇ: ପୁଣି ୨୬/୧୧ ହମଲାର ପୁନରାବୃତ୍ତି କରିବାକୁ ଯୋଜନା କରିଥିଲେ କି ଆତଙ୍କୀ? ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ରକ୍ତିରଞ୍ଜିତ କରିବାକୁ ହୋଇଥିଲା କି ସାଂଘାତିକ ଷଡ଼ଯନ୍ତ୍ର? କାରଣ ଆଜି ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ହରିହରେଶ୍ୱର ସମୁଦ୍ର କୂଳରୁ ମିଳିଛି ଗୋଟିଏ ପରିତ୍ୟକ୍ତ ଡଙ୍ଗା। ଏହି ଡଙ୍ଗାରେ ରହିଛି ୩ଟି ଏକେ ୪୭, ଅନେକ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ।
୨୦୦୮ ମସିହା ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଠିକ୍ ଅନୁରୂପ ଭାବେ ଡଙ୍ଗାରେ ଅସ୍ତ୍ରଶସ୍ତ୍ର ଆଣି ମୁମ୍ବାଇରେ ୩ ଦିନ ଧରି ଭୟଙ୍କର ହମଲା କରିଥିଲେ। ତେଣୁ ଏହା ପଛରେ ମଧ୍ୟ ଆତଙ୍କୀଙ୍କ ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ପୂରା ମହାରାଷ୍ଟ୍ରରେ ହଇଚଇ ସୃଷ୍ଟି ହୋଇଛି। ଏଟିଏସ୍ ଓ ରାଇଗଡ଼ ପୁଲିସ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଏନଆଇଏ ମଧ୍ୟ ଦିଲ୍ଲୀରୁ ରାଇଗଡ଼ ଅଭିମୁଖେ ବାହାରିଛି। ଏହାର ଯାଞ୍ଚ ଚାଲିଥିବା ବେଳେ ସେହି ରାଇଗଡ଼ରୁ ଆଉ ଗୋଟି ପରିତ୍ୟକ୍ତ ଡଙ୍ଗା ମିଳିଛି।
ଆତଙ୍କୀ ଷଡ଼ଯନ୍ତ୍ରର ଆଶଙ୍କା କରାଯାଉଥିବା ବେଳେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ବଡ଼ ବୟାନ ଦେଇଛନ୍ତି। ସେ ଏହି ଅସ୍ତ୍ରଶସ୍ତ୍ର ଭର୍ତ୍ତି ପରିତ୍ୟକ୍ତ ଡଙ୍ଗାଟି ଜଣେ ଅଷ୍ଟ୍ରେଲିଆ ଦମ୍ପତିଙ୍କର ବୋଲି କହିଛନ୍ତି। ଏହାର ଇଞ୍ଜିନ ଖରାପ ହେବା ପରେ ସେମାନେ ଏହାକୁ ସମୁଦ୍ର ମଧ୍ୟରେ ହିଁ ଛାଡ଼ି ଦେଇଥିଲେ। ଉଚ୍ଚ ଜୁଆର ଯୋଗୁ ଏହା ଭାସି ଆସି ରାଇଗଡ଼ରେ ଲାଗିଛି। ପ୍ରାଥମିକ ତଦନ୍ତରୁ ଏହା ପଛରେ କୌଣସି ଆତଙ୍କୀ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇନି। ତଥାପି ଘଟଣାର ସବୁ ଦିଗକୁ ବିଚାରକୁ ନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଇଞ୍ଜିନ ଖରାପ ଥିବା ଡଙ୍ଗାଟି ମୁମ୍ବାଇ ଠାରୁ ୧୯୦ କିମି ଦୂର ରାଇଗଡ଼ର ହରିହରେଶ୍ୱର ସମୁଦ୍ରକୂଳରୁ ମିଳିଛି। କିଛି ସ୍ଥାନୀୟ ଲୋକ ଡଙ୍ଗାଟି ସମୁଦ୍ରରେ ଭାସୁଥିବାରୁ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ କର୍ମଚାରୀମାନେ ଡଙ୍ଗାକୁ ପାଣିରୁ ଆଣି ଯାଞ୍ଚ କରିବା ପରେ ଏହା ମଧ୍ୟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏହାପରେ ପୂରା ରାଇଗଡ଼ରେ ଆତଙ୍କୀ ହମଲା ଆଶଙ୍କାରେ ହାଇଆଲର୍ଟ ଜାରି କରାଯାଇଛି।
ଜବତ ଡଙ୍ଗାର ନାଁ ଲେଡି ହାନ। ଏହାର ମାଲିକାର ଅଷ୍ଟ୍ରେଲିଆର ହାନା ଲାଉଣ୍ଡେରଗନଙ୍କ ନାଁରେ ରହିଛି। ତାଙ୍କ ସ୍ୱାମୀ ଜେମ୍ସ ହାର୍ବଟ ଏହି ଡଙ୍ଗାର କ୍ୟାପ୍ଟେନ। ୧୬ ମିଟର ଲମ୍ବ ଡଙ୍ଗାଟି ମସ୍କଟ ଦେଇ ୟୁରୋପ ଯିବାର ଥିଲା। କିନ୍ତୁ ଜୁନ୍ ୨୬ରେ ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲେ। ଉଦ୍ଧାରକାରୀ ଦଳ ଏଥିରେ ଥିବା ଲୋକଙ୍କୁ ସେଦିନ ଦିନ ୧ଟା ବେଳେ ସମୁଦ୍ରରୁ ଉଦ୍ଧାର କରିଥିଲେ। ହେଲେ ଡଙ୍ଗାଟିକୁ କୂଳକୁ ନିଆଯାଇ ପାରି ନଥିଲା। ଉଚ୍ଚ ଜୁଆର ଯୋଗୁ ଏହା ଗଭୀର ସମୁଦ୍ର ମଧ୍ୟକୁ ଭାସିଯାଇଥିଲା। ଶେଷରେ ଆଜି ଏହାକୁ ରାଇଗଡ଼ର ହରିହରେଶ୍ୱର ସମୁଦ୍ର କୂଳରୁ ଠାବ କରାଯାଇଥିବା କୁହାଯାଉଛି।
କିନ୍ତୁ ଡଙ୍ଗାରେ ଅସ୍ତ୍ରଶସ୍ତ୍ର କାହିଁକି ରହିଥିଲା ଓ ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରେ କେତେ ସତ୍ୟତା ରହିଛି, ସେକଥା ଏଯାଏ ସ୍ପଷ୍ଟ ହୋଇନି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତଟରକ୍ଷୀ ବାହିନୀ ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ରାଇଗଡ଼ ବିଧାୟକ ଆଦିତି ଟାଟକେର ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଏପରି ଅସ୍ତ୍ରଶସ୍ତ୍ର ମିଳିବା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।
ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି, ସୁରକ୍ଷା ପ୍ରତି କୌଣସି ପ୍ରକାରର ବିପଦ ନାହିଁ। ଡଙ୍ଗାଟି ଓମାନରୁ ୟୁରୋପ ଯିବାର ଥିଲା। ତେବେ ମସ୍କଟ ନିକଟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏଥିରେ ଥିବା ଲୋକମାନେ ସାହାଯ୍ୟ ପାଇଁ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରିଥିଲେ। ସମସ୍ତଙ୍କୁ ଜୁନ୍ ୨୬ରେ ଉଦ୍ଧାର କରାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।