- ବାବ୍ରି ମସଜିଦ୍ ମାମଲା: ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ
- ୨୮ ବର୍ଷ ପରେ ଆସିଲା ମାମଲାର ରାୟ
- ମୋଟ ୪୯ ଅଭିଯୁକ୍ତ ଥିଲେ, ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି
- ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଏବଂ କଲ୍ୟାଣ ସିଂହଙ୍କ ଭଳି ବଡ଼ ନେତାଙ୍କ ନାମ ଥିଲା
- ମାମଲାର ଶୁଣାଣି କଲେ ସିବିଆଇର ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ଏସ. କେ ଯାଦବ
- କୋର୍ଟଙ୍କ ରାୟକୁ ସ୍ୱାଗତ କଲେ ବାବ୍ରି ମାମଲାର ପକ୍ଷ ରଖିଥିବା ଇକବାଲ ଅନସାରୀ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବାବ୍ରି ମସଜିଦ୍ ମାମଲାର ଶୁଣାଣି କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ। ୨୮ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇଛି। ମସଜିଦ୍ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇନଥିଲା ବୋଲି ବିଚାରପତି କହିଥିବା ସୂଚନା ରହିଛି। ଘଟଣାସ୍ଥଳରେ ହଠାତ୍ ଉପୁଜିଥିବା ସ୍ଥିତି ପାଇଁ ମସଜିଦ୍ ଭଙ୍ଗା ହୋଇଛି ବୋଲି କୋର୍ଟ କହିଛନ୍ତି। ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ଲାଲକୃଷ୍ଣ ଆଡ଼ଭାନୀ ମଧ୍ୟ ବୟାନ ରେକର୍ଡ କରିବା ବେଳେ ଏହା କହିଥିଲେ।
କୋର୍ଟ ଏବେ ଏହି ମାମଲାରେ ସମସ୍ତ ୩୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସାକ୍ଷୀ ଅଭାବ ରହିବା ସହିତ ମସଜିଦ୍ ଭଙ୍ଗାର ଭିଡିଓ ଓ ଫଟୋ ଏବଂ ଅଡିଓ ନମୁନା ପ୍ରମାଣ ଭାବରେ ଦର୍ଶାଯାଇଛି ସେଥିରେ କୋର୍ଟ ସନ୍ତୁଷ୍ଟ ପ୍ରକାଶ କରିନାହାନ୍ତି। ବାବ୍ରି ମାମଲାର ପକ୍ଷ ରଖିଥିବା ଇକବାଲ ଅନସାରୀ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି।
ବାବ୍ରି ମସଜିଦ୍ ଭାଙ୍ଗିବା ମାମଲାରେ ମୋଟ ୪୯ ଅଭିଯୁକ୍ତ ଥିଲେ। ଏଥିମଧ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଆଜି ୩୨ ଅଭିଯୁକ୍ତଙ୍କ ଉପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ନିଷ୍ପତ୍ତି ନେଇଛନ୍ତି। ମୃତକଙ୍କ ବିରୋଧରେ ମାମଲା ବନ୍ଦ ହୋଇସାରିଛି।
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ଏବଂ ବିନୟ କାଟିଆରଙ୍କ ସମେତ ୩୨ ଅଭିଯୁକ୍ତଙ୍କ ନାମରେ ମାମଲା ରହିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ମାମଲାର ରାୟ ଶୁଣାଇବାକୁ କୁହିଥିଲେ।
ଅଗଷ୍ଟ ମାସରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଜଷ୍ଟିସ୍ ଏସ.କେ ଯାଦବ ଏହି ମାମଲାର ବିବରଣୀ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଦେଖିବା ପରେ ୧୯୯୨ ମସିହାର ଏହି ବାବ୍ରି ମସଜିଦ୍ ମାମଲାର ଶୁଣାଣି ଅବଧିକୁ ମାସେ ପାଇଁ ବୃଦ୍ଧି କରିଥିଲେ ସର୍ବୋଚ୍ଚ କୋର୍ଟ। ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ରାୟ ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର କୋର୍ଟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସିଆରପିସିର ଧାରା ୩୧୩ ଅନୁଯାୟୀ ୩୨ ଅଭିଯୁକ୍ତଙ୍କ ବିବୃତ୍ତି ମଧ୍ୟ ରେକର୍ଡିଂ କରିଥିଲେ। ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତ ହେଲେ ବିଶ୍ୱ ହିନ୍ଦୁ ପରିଷଦର ନେତା ଗିରିରାଜ କିଶୋର, ଅଶୋକ ସିଙ୍ଗଲ ଏବଂ ବିଷ୍ଣୁ ହରି ଡାଲମିଆ। ଏହି ତିନି ଜଣଙ୍କର କିନ୍ତୁ ମୃତ୍ୟୁ ହୋଇସାରିଛି। ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ କରାଯାଇଛି।
ଡିସେମ୍ବର ୬, ୧୯୯୨ରେ ଷୋଡଶ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁମାନେ ଭାଙ୍ଗି ଦେଇଥିଲେ। ଏହା ପ୍ରଭୁ ରାମଙ୍କ ଜନ୍ମସ୍ଥାନ, ରାମ ମନ୍ଦିର ଉପରେ ମନ୍ଦିର ତିଆରି ହୋଇଛି ବୋଲି ଦାବି କରି ହିନ୍ଦୁ କର୍ମୀ ଏଭଳି କରିଥିଲେ ବୋଲି ଅଭିଯୋଗ ରହିଥିଲା।
ଏହି ମାମଲାରେ ବତିଶ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଏପ୍ରିଲ ୧୯, ୨୦୧୭ରେ ସୁପ୍ରିମ କୋର୍ଟ ଅନୁଭବ କରିଥିଲେ। ଏହାପରେ ଏପ୍ରିଲ ୨୦୧୭ରେ ସୁପ୍ରିମକୋର୍ଟ ଏହି ପୁରାତନ ମାମଲାର ଶୁଣାଣି ୨ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେପ୍ଟେମ୍ୱର ୨୦୧୯ରେ ବିଚାରପତିଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। ଏହାପରେ ସିବିଆଇ ବିଚାରପତି ଜଷ୍ଟିସ ଏସ. କେ ଯାଦବଙ୍କ କାର୍ଯ୍ୟକାଳ ବଢ଼ାଇଥିଲେ।
ବାବ୍ରି ମସଜିଦକୁ ନେଇ ଦୁଇଟି ଅପରାଧିକ ମାମଲା ଉତ୍ତର ପ୍ରଦେଶର ରାଏବରେଲି ଏବଂ ଲକ୍ଷ୍ମୌ କୋର୍ଟରେ ରହିଥିଲା। ସୁପ୍ରିମକୋର୍ଟ କିନ୍ତୁ ମାମଲାର ବିଚାର ଶୀଘ୍ର କରିବାକୁ ଯାଇ ଲକ୍ଷ୍ମୌରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ କରିଥିଲେ।
ରାଏବରେଲିରେ ଯେଉଁ ମାମଲା ଥିଲା ତାହା ବିଜେପି ନେତା ଓ ଦକ୍ଷୀଣ ପନ୍ଥୀ ନେତାଙ୍କ ବିରୋଧରେ ରହିଛି। ମସଜିଦ ଭାଙ୍ଗିବା ପାଇଁ ବିଜେପି ନେତାମାନେ ଉସକେଇବା ଭଳି ମତ ରଖିଥିଲେ। ସେହିପରି ଲକ୍ଷ୍ମୌ ମାମଲା ‘କର ସେବକ’ଙ୍କ ନାମରେ ରହିଛି।
ସୂଚନାଯୋଗ୍ୟ, ୧୬୦୦ ଶତାବ୍ଦୀରେ ମୋଗଲଙ୍କ ଦ୍ୱାରା ଉତ୍ତର ପ୍ରଦେଶରେ ବାବ୍ରି ମସଜିଦ୍ ତିଆରି ହୋଇଥିଲା। ୧୯୯୨ରେ ଆଡଭାନୀ ରଥଯାତ୍ରା କରି ରାମ ମନ୍ଦିର ନିର୍ମାଣ କରିବା ପାଇଁ ରଥଯାତ୍ରା କରିଥିଲେ। ଏହାପରେ କରସେବକମାନେ ମସଜିଦ ଭାଙ୍ଗିଥିବା ଅଭିଯୋଗ ଥିଲା।
ତେବେ ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବାବ୍ରି ମସଜିଦକୁ ନେଇ ଯେଉଁ ବିବାଦ ଥିଲା ତାହା ସୁପ୍ରିମକୋର୍ଟ ସମାଧାନ କରିଛନ୍ତି। ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁମାନଙ୍କୁ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ସେହିପରି ମୁସଲମାନଙ୍କ ପାଇଁ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ସରକାର ଯୋଗାଇଛନ୍ତି।