ପୁଡୁଚେରୀରେ ରାଜନୀତିକ ସଙ୍କଟ: ସଂଖ୍ୟା ଗରିଷ୍ଠତା ହରାଇଲା କଂଗ୍ରେସ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ବହୁତ ବଡ଼ ଝଟକା ଲାଗିଛି। ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ିବାରୁ କଂଗ୍ରେସ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହରାଇଛି। ଏକଦା ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କଂଗ୍ରେସ ଏବେ ସଂଖ୍ୟା ଲଘୁ ସରକାରେ ପରିଣତ ହୋଇଛି। ପୂର୍ବରୁ ୩ ବିଧାୟକ ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ଏ ଜନ କୁମାର ସମାନ ପଦକ୍ଷେପ ନେଇଛନ୍ତି। କୁମାର ୨୦୧୯ ଉପ […]

Congress

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 03:19 PM IST

ନୂଆଦିଲ୍ଲୀ: ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ବହୁତ ବଡ଼ ଝଟକା ଲାଗିଛି। ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ିବାରୁ କଂଗ୍ରେସ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହରାଇଛି। ଏକଦା ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କଂଗ୍ରେସ ଏବେ ସଂଖ୍ୟା ଲଘୁ ସରକାରେ ପରିଣତ ହୋଇଛି।

ପୂର୍ବରୁ ୩ ବିଧାୟକ ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ଏ ଜନ କୁମାର ସମାନ ପଦକ୍ଷେପ ନେଇଛନ୍ତି। କୁମାର ୨୦୧୯ ଉପ ନିର୍ବାଚନ ବେଳେ କାମରାଜ ନଗରରୁ ବିଜୟୀ ହୋଇଥିଲେ। ତାଙ୍କ ଇସ୍ତଫା ପରେ କ୍ଷମତାସୀନ କଂଗ୍ରେସର ଆସନ ସଂଖ୍ୟା ୧୦କୁ ଖସି ଆସିଛି। ଦଳ ସହ ୩ ଡିଏମକେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ତଥାପି ଏମାନଙ୍କୁ ମିଶାଇ କଂଗ୍ରେସ ସରକାର ସପକ୍ଷରେ ୧୪ ବିଧାୟକଙ୍କ ସମର୍ଥନ ରହିଛି। ପୁଡୁଚେରୀ ବିଧାନସଭାକୁ ୩୦ ଜଣ ସଦସ୍ୟ ନିର୍ବାଚିତ ହେଉଥିବା ବେଳେ ୩ ଜଣ ମନୋନୀତ ହୋଇଥାଆନ୍ତି।

ବିରୋଧୀ ଗୋଷ୍ଠୀଙ୍କ କଥା ବିଚାରକୁ ନେଲେ ଅଲ ଇଣ୍ଡିଆ ଏନଆର କଂଗ୍ରେସର ୭ ବିଧାୟକ ଥିବା ବେଳେ ଏଆଇଏଡିଏମକେର ୪ ସଦସ୍ୟ ବିଧାନସଭାରେ ରହିଛନ୍ତି। ବିଜେପିର ୩ ଜଣ କାର୍ଯ୍ୟକର୍ତ୍ତା ପୁଡୁଚେରୀ ବିଧାନସଭାକୁ ମନୋନୀତି ହୋଇଛନ୍ତି। ଏହାର ଅର୍ଥ ଉଭୟ ସରକାର ଓ ବିରୋଧୀଙ୍କ ପାଖରେ ଏବେ ୧୪ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଭି ନାରାୟଣସାମୀଙ୍କ କ୍ୟାବିନେଟରୁ ପ୍ରଥମେ ଦୁଇ ଜଣ ସଦସ୍ୟ ଏ ନମଶିବାୟମ ଓ ମାଲ୍ଲାଦି କ୍ରିଷ୍ଣା ରାଓ ଇସ୍ତଫା ଦେଇଥିଲେ। ଏହାପରେ ୨ ବିଧାୟକ ଇ ଥୀପ୍ପାଇନାଥନ ଓ ଜନ କୁମାର ସମାନ ପଦକ୍ଷେପ ନେଇଛନ୍ତି। କଂଗ୍ରେସ ବିଧାୟକ ଏନ ଧାନାଭେଲୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

୫ ବିଧାୟକ ବିଧାନସଭାକୁ ବାଦ ପଡ଼ିବାରୁ ଏବେ ମୋଟ ଆସନ ସଂଖ୍ୟା ୨୮ ହୋଇଯାଇଛି। ତେଣୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୫। କଂଗ୍ରେସ ଏହାଠାରୁ ଗୋଟିଏ ଆସନ ପଛରେ ରହିଛି। ଆସନ୍ତା ମାସରେ ପୁଡୁଚେରୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସରେ ଏଭଳି ସଙ୍କଟ ଦଳର ଚିନ୍ତା ବଢ଼ାଇ ଦେଇଛି।

ସେହିପରି ଆସନ୍ତାକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଡୁଚେରୀ ଗସ୍ତରେ ଯାଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାର ଥିଲା। କିନ୍ତୁ ଏହା ପୂର୍ବରୁ କ୍ଷମତାସୀନ କଂଗ୍ରେସ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି। ରାଜନୀତିକ ସଙ୍କଟ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି।

Related story