ନୂଆଦିଲ୍ଲୀ: ପେଗାସସ ପ୍ରସଙ୍ଗରେ ବିରୋଧୀ ଏବେ ସଂସଦକୁ ଅଚଳ କରି ଦେଇଛନ୍ତି। ଏହାକୁ ନେଇ ବିରୋଧୀ କଂଗ୍ରେସକୁ ବାଣ ମାରିଛନ୍ତି କେନ୍ଦ୍ର ଅଳ୍ପ ସଂଖ୍ୟକ ମନ୍ତ୍ରୀ ତଥା ରାଜ୍ୟସଭାର ଉପନେତା ମୁଖତାର ଆବାସ ନକଭୀ। ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ ତେଣୁ ସେମାନେ ଏକ ମନଗଢା କାହାଣୀକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ କଂଗ୍ରେସ କ୍ଷମତାରେ ଥିଲା ବେଳେ ଯେଉଁଭଳି ଭାବରେ ଗୁଇନ୍ଦାଗିରି କରିଛି ତାହା ଜେମ୍ସ ବଣ୍ଡ ସଦୃଶ ବୋଲି ସେ କହିଛନ୍ତି।
ନକଭୀ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ପ୍ରଥମେ କରୋନା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ, ପରେ ଏଥିରେ ରାଜି ହୋଇନଥିଲେ। ତା’ପରେ ତିନି କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଥିଲେ। ଏଥିରେ ମଧ୍ୟ ସହମତ ହେଲେ ନାହିଁ। ବନ୍ୟା ଏବଂ ମୁଦ୍ରାସ୍ଫୀତି ବିଷୟରେ ମଧ୍ୟ ଆଲୋଚନା କରିବାକୁ ସେମାନେ ଆଗ୍ରହ ଦେଖାଉ ନାହାନ୍ତି ବୋଲି ସେ କହିଛନ୍ତି।
ପେଗାସସ୍ ଏକ ଗୁଜବ ଏବଂ ମନ ଗଢ଼ା ପ୍ରସଙ୍ଗ। ଯଦି ବିରୋଧୀ ଏଭଳି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଚାହାଁନ୍ତି, ତେବେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିବୃତ୍ତି ଚାହିଁଥାନ୍ତେ। କିନ୍ତୁ ସେମାନଙ୍କ ଆଭିମୁଖ୍ୟ କିଛି ଅଲଗା ଥିଲା। ମନ୍ତ୍ରୀ ଯେତେବେଳେ ଉତ୍ତର ରଖିଥିଲେ ସେମାନେ ହୋ ହାଲ୍ଲା କରିଥିଲେ। ସେ କହିଛନ୍ତି ଯେ ଅଧିକାଂଶ ବିରୋଧୀ ଦଳ ଆଲୋଚନା ଚାହୁଁଛନ୍ତି, କିନ୍ତୁ ଦୁର୍ଭାଗ୍ୟଜନକ ଯେ କଂଗ୍ରେସ ଏବଂ ତାର ନୂଆ ସହଯୋଗୀ ଆଲୋଚନାରେ ବାଧା ସୃଷ୍ଟି କରୁଛନ୍ତି।
କଂଗ୍ରେସ ପେଗାସସକୁ ରାଫେଲ ଭଳି ବଡ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି କି ବୋଲି ଉଠୁଥିବା ପ୍ରଶ୍ନରେ ନକଭୀ କହିଛନ୍ତି କଂଗ୍ରେସ ନିଜେ ଗୁଇନ୍ଦାଗିରିର ଜେମ୍ସ ବଣ୍ଡ। ସେ କହିଛନ୍ତି ରାଫେଲରେ କଣ ହେଲା ଆପଣ ଜାଣନ୍ତି। ଯେତେବେଳେ ସେମାନେ କ୍ଷମତାରେ ଥିଲେ ଗୁଇନ୍ଦା ଜାଲ ବିଛାନ୍ତି। ବିରୋଧୀ ଆସନରେ ବସିଲେ ସେମାନେ ଗୁପ୍ତଚର ସୃଷ୍ଟି କରନ୍ତି। ତାଙ୍କ ସମୟର ଅର୍ଥମନ୍ତ୍ରୀ ତାଙ୍କ ସରକାରକୁ ଗୁଇନ୍ଦାଗିରି ଅଭିଯୋଗ ଆଣିଥିଲେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ନକଭୀ ଏଭଳି କହି ତତ୍କାଳୀନ ୟୁପିଏ ସରକାରରେ ଅର୍ଥମନ୍ତ୍ରୀ ପ୍ରଣବ ମୂଖାର୍ଜୀ ଆଣିଥିବା ଅଭିଯୋଗ କଥା ପରୋକ୍ଷରେ କହିଛନ୍ତି। ପ୍ରଣବ ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରର ଗୃହ ବିଭାଗ ତାଙ୍କ ଉପରେ ଗୁଇନ୍ଦାଗିରି କରୁଛି ବୋଲି ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ୨୦୧୧ରେ ମନମୋହନ ସିଂ ନେତୃତ୍ୱାଧୀନ କଂଗ୍ରେସ ସରକାର ବିବାଦକୁ ଆସିଥିଲା।
ସେ କହିଛନ୍ତି ଯେ ନିର୍ଦ୍ଧାରିତ ତାରିଖ ଅଗଷ୍ଟ ୧୩ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା କଥା କେବଳ ଗୁଜବ। ସରକାର ବିରୋଧୀ ଦଳଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବାରୁ ଯେଉଁ ଅବରୋଧ ଚାଲିଛି ତାହା ଭାଙ୍ଗିଯିବ। ଉଭୟ ସଦନ ସୁରୁଖୁରୁରେ ଚାଲିବ ବୋଲି ନକଭୀ ଆଶା ପ୍ରକଟ କରିଛନ୍ତି। କହିରଖୁଛୁ, ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା, କିନ୍ତୁ ପେଗାସସ ପ୍ରସଙ୍ଗକୁ ନେଇ ଉଭୟ ଗୃହ କାର୍ଯ୍ୟ ବ୍ୟାହତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।