ଚଣ୍ଡିଗଡ: ଭାରତ ଯୋଡୋ ଯାତ୍ରା ବେଳେ କଂଗ୍ରେସ ସାଂସଦଙ୍କୁ ହୃଦ୍ଘାତ। ଚାଲିଗଲା ସନ୍ତୋଖ ସିଂହ ଚୌଧୁରୀଙ୍କ ଜୀବନ। ଆଜି ସକାଳେ ପଞ୍ଜାବର ଫିଲୌର୍ଠାରେ ଭାରତ ଯୋଡ଼ୋ ଯାତ୍ରାରେ ଯାଉଥିବା ବେଳେ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ଆଜି ସକାଳେ କଂଗ୍ରେସ ସଂସଦ ରାହୁଲ ଗାନ୍ଧିଙ୍କ ସହ ସନ୍ତୋଖ ସିଂହ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ। ତାଙ୍କ ସହ ପଦ ଯାତ୍ରା କରିବା ବେଳେ ସନ୍ତୋଖଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଲୁଧିଆନାର ଫଗ୍ୱାରାସ୍ଥିତ ବିର୍କ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି।
ଏହି ଖବର ପାଇବା ପରେ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ଛାଡି ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି। ସେପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି। ଜଳନ୍ଧରର କଂଗ୍ରେସ ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ଅକାଳ ବିୟୋଗ ଯୋଗୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ଆତ୍ମା ଶାନ୍ତି ଲାଭ କରୁ ବୋଲି ଟୁଇଟ୍ କରି ଲେଖିଛନ୍ତି।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଆଜି ହୃଦ୍ଘାତ ଯୋଗୁଁ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଖୁବ୍ ଦୁଃଖିତ। ଏଭଳି ଦୁଃଖଦାୟକ ସମୟରେ ତାଙ୍କର ପରିବାରବର୍ଗଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳେ ରାହୁଲ୍ ଗାନ୍ଧିଙ୍କ ନେତୃତ୍ୱରେ ପଞ୍ଜାବର ଫତେଗଡ଼ ସାହିବ୍ ଅନ୍ତର୍ଗତ ସିର୍ହିନ୍ଦ୍ରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରାଯାଇଥିଲା।
https://twitter.com/ANI/status/1614112263690125312?s=20&t=Djkk6S91pT5Z4NT3KvOL4w
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।