ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ କଂଗ୍ରେସ। ଉଭୟ ମୋଦି ଏବଂ ଅମିତ୍ ଶାହ ଆଜି ଗୁଜରାଟ ନିର୍ବାଚନ ପାଇଁ ମତଦାନ ଲାଗି ଆସିଥିବା ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ମୁଖପାତ୍ର ପୱନ ଖେରା ଅଭିଯୋଗ କରିଛନ୍ତି ଯେ, ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଦେବା ସମୟରେ ଭାରତୀୟ ଜନତା ପାର୍ଟି ପ୍ରଚାର କରିଛି। ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଜଣେ ସାଂସଦଙ୍କ ସହ ଆଲୋଚନା ବେଳେ ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳଥିଲା।
ସେହିପରି ଭୋଟ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍ ସୋ’ କରିଥିଲେ। ଏହା ବିରୋଧରେ ସେ ଇସିରେ ଆବେଦନ କରିବେ। ନିର୍ବାଚନ ଆୟୋଗ କେତେ ଚାପରେ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ଆଜି ସାବରମତୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶାନ୍ ପବ୍ଲିକ୍ ସ୍କୁଲ୍ରେ ହୋଇଥିବା ବୁଥ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେଇଛନ୍ତି।
ସକାଳ ୯ଟା ବାଜିବାର କିଛି ସମୟ ଆଗରୁ ଗାନ୍ଧୀନଗର ରାଜଭବନରୁ ତାଙ୍କ ଗାଡ଼ି ବୁଥ୍ ଅଭିମୁଖେ ବାହାରିଥିଲା। ବୁଥ୍ ନିକଟରେ ଗାଡ଼ିରୁ ପ୍ରଧାନମନ୍ତ୍ରୀ ମୋଦି ଚାଲି ଚାଲି ବୁଥ୍ ଭିତରକୁ ଯିବା ବାଟରେ ଉପସ୍ଥିତ ଜନତାଙ୍କୁ ଆଡ଼କୁ ହାତ ହଲାଇଥିଲେ। ଭୋଟ୍ ଦେଇ ଫେରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ, ହିମାଚଳ ପ୍ରଦେଶ ଓ ଦିଲ୍ଲୀବାସୀ ବଡ଼ ଉଦ୍ଦୀପନାର ସହିତ ଗଣତନ୍ତ୍ର ମହୋତ୍ସବ ପାଳନ କରୁଛନ୍ତି। ଦେଶବାସୀଙ୍କୁ ମୋର କୃତଜ୍ଞତା। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଉଥିବାରୁ ନିର୍ବାଚନ କମିସନ୍ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।