ସାମ୍ବିଧାନିକ ସଂସ୍ଥା ମିଡିଆ ରିପୋର୍ଟ ଉପରେ ଅଭିଯୋଗ କରିବା ବନ୍ଦ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଅଭିଯୋଗ କରିବା ଅପେକ୍ଷା ଅଧିକ ଭଲ କାମ କରିପାରିବେ। ସେମାନେ ମିଡିଆ ରିପୋର୍ଟ ଉପରେ ଆପତ୍ତି ଉଠାଇବା ଠିକ୍‌ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ମାଡ୍ରାସ ହାଇକୋର୍ଟ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ନିର୍ବାଚନ କମିଶନକୁ ଦାୟୀ କରିଥିଲେ। ସଂକ୍ରମଣ ବୃଦ୍ଧି ଓ ଲୋକଙ୍କ ମୃତ୍ୟୁ ପାଇଁ କମିଶନଙ୍କ ବିରୋଧରେ ସମ୍ଭବତଃ ହତ୍ୟା ମାମଲା ରୁଜୁ କରିବା ଦରକାର ବୋଲି ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି ବେଳେ ଟିପ୍ପଣୀ କରିଥିଲେ। ଏହାର […]

SC

Hemant Lenka
  • Published: Thursday, 06 May 2021
  • , Updated: 06 May 2021, 03:24 PM IST

ନୂଆଦିଲ୍ଲୀ: ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଅଭିଯୋଗ କରିବା ଅପେକ୍ଷା ଅଧିକ ଭଲ କାମ କରିପାରିବେ। ସେମାନେ ମିଡିଆ ରିପୋର୍ଟ ଉପରେ ଆପତ୍ତି ଉଠାଇବା ଠିକ୍‌ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ମାଡ୍ରାସ ହାଇକୋର୍ଟ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ନିର୍ବାଚନ କମିଶନକୁ ଦାୟୀ କରିଥିଲେ। ସଂକ୍ରମଣ ବୃଦ୍ଧି ଓ ଲୋକଙ୍କ ମୃତ୍ୟୁ ପାଇଁ କମିଶନଙ୍କ ବିରୋଧରେ ସମ୍ଭବତଃ ହତ୍ୟା ମାମଲା ରୁଜୁ କରିବା ଦରକାର ବୋଲି ମାଡ୍ରାସ ହାଇକୋର୍ଟ ମାମଲାର ଶୁଣାଣି ବେଳେ ଟିପ୍ପଣୀ କରିଥିଲେ।

ଏହାର ରିପୋର୍ଟ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ହାଇକୋର୍ଟ କେବଳ ନିଜର ଶୁଣାଣି ବେଳେ ଏପରି କଥା କହିଥିବାରୁ ଏହାର ରିପୋର୍ଟିଂ ବନ୍ଦ କରିବାକୁ ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ କୋର୍ଟ ଆଜି ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “ସମ୍ବିଧାନର ଧାରା ୧୯ରେ ଥିବା ବାକ୍‌ ସ୍ୱାଧୀନତା କେବଳ ଲୋକଙ୍କ ଅଧିକାର ନୁହେଁ, ଏହି ଅଧିକାର ମିଡିଆର ମଧ୍ୟ ରହିଛି। ତେଣୁ ମିଡିଆ ଉପରେ ଅଙ୍କୁଶ ଲଗାଇବା ସୁପ୍ରିମକୋର୍ଟଙ୍କ ପକ୍ଷରେ ସମ୍ଭବ ନୁହେଁ। ମିଡିଆର କୋର୍ଟ ରିପୋର୍ଟିଂ ଉପରେ ରୋକ ଲଗାଇବାକୁ ଇସି କରିଥିବା ଆବେଦରେ ଆମେ କୌଣସି ଯର୍ଥାର୍ଥତା ପାଉନାହୁଁ।”

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀ ଜଜ୍‌ମେଣ୍ଟର ଅଂଶ ନଥିଲା। ବିଚାରପତିମାନଙ୍କୁ ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ। ଅଦାଲତର ଶୁଣାଣି ବେଳେ ହତାଶ ଓ କଡ଼ା ଟିପ୍ପଣୀ କରିବାର ଆବଶ୍ୟକ ନାହିଁ।

ମିଡିଆ ଅଦାଲତଙ୍କ ରାୟ ଓ ଟିପ୍ପଣୀ ଉପରେ ଲେଖିବାର ଅଧିକାର ପାଇଛି। ମିଡିଆ ଉପରେ ଅଙ୍କୁଶ ଲଗାଇବା ଅଦାଲତଙ୍କ ପାଇଁ ଠିକ୍‌ ହେବନି। ନ୍ୟାୟପାଳିକାର ଭାଷା ସାମ୍ବିଧାନିକ ଗାରିମା ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀ କୌଣସି ରେକର୍ଡରେ ନାହିଁ। ତେଣୁ ଏହାକୁ କେମିତି ଖାରଜ କରାଯିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଏହାପରେ ଇସିଙ୍କ ଆବେଦନକୁ ରଫାଦଫା କରି ସୁପ୍ରିମକୋର୍ଟ ମାମଲାର ଶୁଣାଣି ବନ୍ଦ କରିଛନ୍ତି।

Related story