ନୂଆଦିଲ୍ଲୀ: ଦ୍ୱିତୀୟ ବିବାହ କରିଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍। ପାକିସ୍ତାନର ଜଣେ ମୁସ୍ଲିମ ମହିଳାଙ୍କୁ ଦାଉଦ ଦ୍ୱିତୀୟ ବିବାହ କରିଥିବା ସୂଚନା ମିଳିଛି । ଏନେଇ ଏନ୍ଆଇଏର ପଚରାଉଚରା ବେଳେ ଖୁଲସା କରିଛି ଦାଉଦର ଭଉଣୀ ହସିନା ପାରକର୍ର ପୁଅ ତଥା ଭଣଜା
ଯାଞ୍ଚ ଏଜେନ୍ସି କିଛି ଦିନ ତଳେ ଦାଉଦ୍ ଇବ୍ରାହିମର ଟେରର ନେଟୱାର୍କକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା। ଏହି ରେଡ୍ ସମୟରେ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏହି ସମୟରେ ହସିନା ପାରକରର ପୁଅ ମଧ୍ୟ ଏନ୍ଆଇଏ ହାତରେ ଧରାପଡିଥିଲା। ଏବେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ପଚରାଉଚରା ପରେ ସେ ଦାଉଦ୍କୁ ନେଇ ଏହି ସୂଚନା ଦେଇଛି।
ହସିନା ପାରକରର ପୁଅ ଅଲିଶାହାର କହିବା ମୁତାବକ, ମାମୁ ଦାଉଦ୍ ଇବ୍ରାହିମ୍ ପାକିସ୍ତାନରେ ଦ୍ୱିତୀୟ ବିବାହ କରିସାରିଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘର ପାକିସ୍ତାନରେ ହୋଇଥିବାବେଳେ, ସେ ମୁସଲିମ ପରିବାରର। ତେବେ ଦ୍ୱିତୀୟ ବିବାହ ସହିତ ଦାଉଦ୍ ତାଙ୍କ ପ୍ରଥମ ପତ୍ନୀ ମହଜବିନ୍ଙ୍କୁ ତଲାକ୍ ଦେଇଥିବା ମଧ୍ୟ ସୂଚନା ମିଳିଛି। ହେଲେ ଏହି କଥାକୁ ଅଲିଶାହା ମିଛ ବୋଲି କହିଛି।
ଅଲିଶାହର କହିବା ମୁତାବକ, ଦାଉଦ ନିଜ ଠିକଣା ବଦଳାଇ ଦେଇଛି। ସେ ଏବେ କରାଚିର ଅବ୍ଦୁଲ୍ଲା ଗାଜି ବାବା ଦରଘା ପଛରେ ଥିବା ରହିମ ଫାକି ନିକଟସ୍ଥ ଡିଫେନ୍ସ ଏରିଆରେ ରହୁଛି। ଦାଉଦ ଏବଂ ମହଜବିନ୍ କିଛି ମାସ ପୂର୍ବେ ଜୁଲାଇ ୨୦୨୨ରେ ଦୁବାଇରେ ଦେଖାସାକ୍ଷାତ କରିଥିଲେ। ଦାଉଦ ଏବେ କାହା ସମ୍ପର୍କରେ ନାହିଁ। କିନ୍ତୁ ପତ୍ନୀ ମହଜବିନ ପ୍ରତିଟି ପର୍ବ ଓ ଉତ୍ସବ ଅବସରରେ ତା ସହ ହ୍ୱାଟସଅପ୍ କଲ୍ ଜରିଆରେ କଥାବାର୍ତ୍ତା ହେଉଛନ୍ତି।
ଏନ୍ଆଇଏ ପକ୍ଷରୁ ମିଳିଥିବା ଖବର ମୁତାବକ, ଦାଉଦର ଦ୍ୱିତୀୟ ବିବାହ ଏକ ଚାଲ ବି ହୋଇପାରେ। ଏପରି କରି ଅଣ୍ଡର ୱାର୍ଲ୍ଡ ଡନ୍ ନିଜ ପ୍ରଥମ ପତ୍ନୀ ଉପରେ ଯାଞ୍ଚ ଏଜେନ୍ସିର ନଜର ହଟାଇବାକୁ ଚେଷ୍ଟା କରିଥାଇପାରେ। ହେଲେ ଏପରି ସ୍ଥିତିରେ ଏହି ଘଟଣା କେତେ ସତ ଏବଂ କେତେ ମିଛ ସେନେଇ ସୂଚନା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।