ଜେଲ ଯାଇଥିଲେ ଯୁବକ, ୭ ବର୍ଷ ପରେ ହତ୍ୟା ହୋଇଥିବା ଯୁବତୀଙ୍କୁ ଖୋଜି ପାଇଲେ ମା’

ଲକ୍ଷ୍ନୌ: ଯେକୌଣସି କ୍ରାଇମଥଲର ମଧ୍ୟ ଏହି ଘଟଣା ଆଗରେ ଫିବା ପଡ଼ିଯିବ। ମା’ର ସଂଘର୍ଷ ଯୋଗୁ ହତ୍ୟା ଅଭିଯୋଗରେ ଫସିଥିବା ପୁଅ ପାଇଛି ନୂଆ ଜୀବନ। ଦୀର୍ଘ ୭ ବର୍ଷ ଧରି ମା’ ଜଣଙ୍କ ପୁଅକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଜାରି ରଖିଥିବା ଉଦ୍ୟମ ଶେଷରେ ସଫଳତାର ସ୍ୱାଦ ଚାଖିଛି। ଦୀର୍ଘ ୭ ବର୍ଷ ତଳେ ମରି ଯାଇଥିବା ଯୁବତୀ ପ୍ରକୃତରେ ବଞ୍ଚିଥିବା ଏବେ ଜଣାପଡ଼ିଛି। ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ […]

women

  • Published: Wednesday, 07 December 2022
  • , Updated: 07 December 2022, 05:46 PM IST

ଲକ୍ଷ୍ନୌ: ଯେକୌଣସି କ୍ରାଇମଥଲର ମଧ୍ୟ ଏହି ଘଟଣା ଆଗରେ ଫିବା ପଡ଼ିଯିବ। ମା’ର ସଂଘର୍ଷ ଯୋଗୁ ହତ୍ୟା ଅଭିଯୋଗରେ ଫସିଥିବା ପୁଅ ପାଇଛି ନୂଆ ଜୀବନ। ଦୀର୍ଘ ୭ ବର୍ଷ ଧରି ମା’ ଜଣଙ୍କ ପୁଅକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଜାରି ରଖିଥିବା ଉଦ୍ୟମ ଶେଷରେ ସଫଳତାର ସ୍ୱାଦ ଚାଖିଛି।

ଦୀର୍ଘ ୭ ବର୍ଷ ତଳେ ମରି ଯାଇଥିବା ଯୁବତୀ ପ୍ରକୃତରେ ବଞ୍ଚିଥିବା ଏବେ ଜଣାପଡ଼ିଛି। ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଯୁବକଙ୍କ ମା’ ହିଁ ପୂରା ରହସ୍ୟ ଉପରକୁ ପରଦା ହଟାଇଛନ୍ତି।

ବର୍ତ୍ତମାନ ୨୨ ବର୍ଷରେ ପାଦ ଦେଇଥିବା ଯୁବତୀ ରିୟା(ଛଦ୍ମନାମ)ଙ୍କୁ ୭ ବର୍ଷ ତଳେ ଉତ୍ତର ପ୍ରଦେଶର ଆଲିଗଡ଼ରେ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବିଷ୍ଣୁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା। ବିଷ୍ଣୁଙ୍କୁ ଏବେ ୨୫ ବର୍ଷ। ତେବେ ବିଷ୍ଣୁଙ୍କ ମା’ ଉକ୍ତ ଯୁବତୀ ରିୟାଙ୍କୁ ଜୀବନ୍ତ ଅବସ୍ଥାରେ ହାଥରସରୁ ଠାବ କରିଛନ୍ତି। ରିୟାଙ୍କୁ ଦେଖିବା ପରେ ବିଷ୍ଣୁଙ୍କ ମା’ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ରିୟାଙ୍କୁ ଧରିବା ସହ ତାଙ୍କ ଡିଏନଏ ପରୀକ୍ଷା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆଗକୁ ନେଇଛି।

୨୦୧୫ ମସିହା। ହଠାତ୍‌ ଆଲିଗଡ଼ ଜିଲ୍ଲାର ଗୋଟିଏ ଗାଁରେ ରହୁଥିବା ୧୫ ବର୍ଷୀୟ ଝିଅ ରିୟା ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଗୋଣ୍ଡା ପୁଲିସ୍‌ ଷ୍ଟେସନରେ ଅଭିଯୋଗ ଦାଖଲ କରିବା ପରେ ମାମଲା ରୁଜୁ ହୋଇଥିଲା। କିଛି ଦିନ ପରେ ରିୟାଙ୍କ ବାପା ଆଗ୍ରାରେ ଘଟିଥିବା ଗୋଟିଏ ହତ୍ୟା ଘଟଣା ସମ୍ପର୍କରେ ଖବର ପାଇଥିଲେ।

ପୁଲିସ ଉକ୍ତ ହତ୍ୟା ଘଟଣାର ଶିକାର ହୋଇଥିବା ଜଣେ ନାବାଳାକଙ୍କ ମୃତଦେହ ରିୟାଙ୍କ ବାପାଙ୍କୁ ଦେଖାଇଥିଲେ। ସେ ମଧ୍ୟ ଏହାକୁ ଦେଖି ମୃତଦେହଟି ରିୟାଙ୍କର ବୋଲି କହିଥିଲେ। ଫଳରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ରିୟାଙ୍କ ବାପା ପଡ଼ୋଶୀ ଭାବେ ରହୁଥିବା ବିଷ୍ଣୁଙ୍କୁ ପୂରା ଘଟଣା ପାଇଁ ଦାୟୀ କରିଥିଲେ। ପୁଲିସ୍‌ ତାଙ୍କ କଥାରେ ଅଧିକ ତଦନ୍ତ ନ କରି ବିଷ୍ଣୁଙ୍କୁ ଗିରଫ କରିଥିଲା ଓ ଜେଲ ପଠାଇ ଦେଇଥିଲା।

ତେବେ ପୁଲିସ୍‌ ତଦନ୍ତରେ ଆରମ୍ଭରୁ ସନ୍ଦେହ ପ୍ରକାଶ କରୁଥିବା ବିଷ୍ଣୁଙ୍କ ମା’ ନିଜେ ନିଜେ ଘଟଣାର ଛାନଭିନ ଆରମ୍ଭ କରିଥିଲେ। ପୁଅକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ପଣ କରିଥିବା ମା’ଙ୍କୁ ପୂରା ଘଟଣା ଉପରୁ ପରାଦ ହଟାଇବାକୁ ୭ ବର୍ଷ ସମୟ ଲାଗିଛି। ଶେଷରେ ହତ୍ୟାର ଶିକାର ହୋଇ ସାରିଥିବା ଯୁବତୀ ରିୟାଙ୍କୁ ବିଷ୍ଣୁଙ୍କ ମା’ ହାଥରସରୁ ଠାବ କରିଛନ୍ତି।

ରିୟା ସେଠାକୁ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ରିୟାଙ୍କୁ ଖୋଜି ଖୋଜି ବିଷ୍ଣୁଙ୍କ ମା’ ସେଠାରେ ଥିବା ଜଣେ ବାବାଙ୍କ ପାଖକୁ ଯାଇଥିଲେ। ରିୟାଙ୍କ ଫଟୋ ବାବାଙ୍କୁ ଦେଖାଇଥିଲେ। ବାବା ତୁରନ୍ତ ରିୟାଙ୍କୁ ଚିହ୍ନଟ କରି ସେ ଏଠାରେ ଆୟୋଜିତ ସତସଙ୍ଗକୁ ଆସିଥିବା କହିଥିଲେ। ତେଣୁ ବିଷ୍ଣୁଙ୍କ ମା’ ସେଠାରେ ରିୟାଙ୍କୁ ଖୋଜିବା ପରେ ତାଙ୍କ ପତ୍ତା ପାଇ ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ ରିୟାଙ୍କୁ ସେଠାରୁ ଆଣିବା ପରେ ସୋମବାର ଆଲିଗଡ଼ର ଗୋଟିଏ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା। ମଙ୍ଗଳବାର ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ ଯୁବତୀଙ୍କ ଡିଏନଏ ଟେଷ୍ଟ କରିବୁ। ଏହା ତାଙ୍କ ବାପାମା’ଙ୍କ ସହ ମିଶୁଛି କି ନାହିଁ ପ୍ରଥମେ ଦେଖିବାକୁ ପଡ଼ିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story