ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବଙ୍କ ନିଷ୍ପତ୍ତିକୁ ବଦଳାଇଲେ ସିନ୍ଦେ

ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଏବେ ଉଦ୍ଧବ ଠାକରେଙ୍କ ସରକାର ନେଇଥିବା ନିଷ୍ପତ୍ତିକୁ ବଦଳାଇବା ଆରମ୍ଭ କରିଛନ୍ତି। ବିବାଦୀୟ ମେଟ୍ରୋ କାର ଶେଡ ପ୍ରକଳ୍ପ ବା କାର ପାର୍କିଂ ପ୍ରକଳ୍ପ ଉପରେ ଉଦ୍ଧବ ସରକାର ନେଇଥିବା ନିଷ୍ପତ୍ତିକୁ ସିନ୍ଦେ ବଦଳାଇଥିବା ଜଣାପଡ଼ିଛି। ୨୦୧୯ରେ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଅମଳରେ ମେଟ୍ରୋ କାର ଶେଡ ମୁମ୍ବାଇର ଆରେ କଲୋନୀରେ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ […]

Eknath

Hemant Lenka
  • Published: Friday, 01 July 2022
  • , Updated: 01 July 2022, 05:17 PM IST

ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଏବେ ଉଦ୍ଧବ ଠାକରେଙ୍କ ସରକାର ନେଇଥିବା ନିଷ୍ପତ୍ତିକୁ ବଦଳାଇବା ଆରମ୍ଭ କରିଛନ୍ତି। ବିବାଦୀୟ ମେଟ୍ରୋ କାର ଶେଡ ପ୍ରକଳ୍ପ ବା କାର ପାର୍କିଂ ପ୍ରକଳ୍ପ ଉପରେ ଉଦ୍ଧବ ସରକାର ନେଇଥିବା ନିଷ୍ପତ୍ତିକୁ ସିନ୍ଦେ ବଦଳାଇଥିବା ଜଣାପଡ଼ିଛି।

୨୦୧୯ରେ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଅମଳରେ ମେଟ୍ରୋ କାର ଶେଡ ମୁମ୍ବାଇର ଆରେ କଲୋନୀରେ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହାକୁ ଅନ୍ୟ ଏକ ସ୍ଥାନରେ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏଠାରେ ପାର୍କିଂ ପାଇଁ ଗଛ କଟାକୁ ସାମାଜିକ କର୍ମୀମାନେ ଜୋରଦାର ବିରୋଧ କରିଥିଲେ।

ତେବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ଫଡନାଭିସଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀକୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଆଡଭୋକେଟ ଜେନେରାଲ ଆଶୁତୋଷ କୁମ୍ଭାକୋନିଙ୍କୁ କୋର୍ଟରେ ତଥ୍ୟ ଦାଖଲ କରି ଆରେ କଲୋନୀରେ ହିଁ ମେଟ୍ରୋ କାର ଶେଡ ହେବ ବୋଲି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୯ରେ ଆରେ କଲୋନୀରେ ମେଟ୍ରୋ କାର ଶେଡ ପ୍ରକଳ୍ପକୁ ନେଇ ମୁମ୍ବାଇରେ ବଡ଼ଧରଣର ବିକ୍ଷୋଭ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ମୁମ୍ବାଇ ମେଟ୍ରୋ ରେଲ କର୍ପୋରେସନ ଗଛ କାଟିବାକୁ ଚାହୁଁଥିବା ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି)କୁ ଅନୁମତି ମାଗିବା ପରେ ବିବାଦ ସୃଷ୍ଟି ହୋଇଥିଲା। ମୁମ୍ବାଇର ଗ୍ରୀନ ଲଙ୍ଗ ଭାବେ ପରିଚିତ ଆରେ କଲୋନୀରୁ ଗଛ କାଟିବାକୁ ଉଦ୍ୟମ ହେବାରୁ ଏହାକୁ ପରିବେଶ ପ୍ରେମୀ ଓ ସାଧାରଣ ଲୋକ ବିରୋଧ କରିଥିଲେ।

ବିବାଦକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ମେଟ୍ରୋ କାର ଶେଡ ପ୍ରକଳ୍ପକୁ କନୁଜମାର୍ଗକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ୨୦୨୦ରେ ବିମ୍ବେ ହାଇକୋର୍ଟରେ ପହଞ୍ଚି କନୁଜମାର୍ଗ ଜମି ସଲ୍ଟ ବିଭାଗର ବୋଲି କହିଥିଲେ। ଏହା ଶୁଣିବା ପରେ ପ୍ରକଳ୍ପ କାମ ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଥିଲେ। ଏହି ରୋକ ଯୋଗୁ ଏଯାଏ ପ୍ରକଳ୍ପ କାମ ଆରମ୍ଭ ହୋଇନି। ଏବେ ପୁଣି ଆରେ କଲୋନୀରେ ମେଟ୍ରୋ କାର ଶେଡ ପ୍ରକଳ୍ପ ଆରମ୍ଭ କରିବା ଯୋଜନା ବିବାଦ ସୃଷ୍ଟି କରିପାରେ।

Related story