ନୂଆଦିଲ୍ଲୀ: ୟୁକ୍ରେନରୁ ରୋମାନିଆ ଦେଇ ଏୟାର ଇଣ୍ଡିଆର ବିମାନ ୨୧୯ ଭାରତୀୟଙ୍କୁ ଧରି ଶନିବାର ମୁମ୍ବାଇରେ ପହଞ୍ଚିଛି। ଶନିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଏହି ମିଶନର ନାମ ଗଙ୍ଗା ରଖାଯାଇଛି। ଯୁଦ୍ଧ ଯୋଗୁ ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଛି। ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି।
ଭାରତୀୟ ନାଗରିକ ୟୁକ୍ରେନରୁ ବସ୍ ଜରିଆରେ ରୋମାନିଆ ପହଞ୍ଚୁଛନ୍ତି। ରୋମାନିଆ ସହରର ବୁଖାରେଷ୍ଟରୁ ୨୧୯ ଭାରତୀୟ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଞ୍ଚିଛନ୍ତି। ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ସେମାନଙ୍କୁ ସ୍ଵାଗତ କରିଛନ୍ତି।
ଏହା ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ଵିଟ୍ କରି ଭାରତୀୟ ନାଗରିକଙ୍କ ସ୍ଵାଗତ କରିଛନ୍ତି। ସେ ଲେଖିଛନ୍ତି, ‘ଓ୍ଵେଲକମ୍ ବ୍ୟାକ୍। ଅନ୍ୟପଟେ ଛାତ୍ର-ଛାତ୍ରୀଙ୍କୁ ସ୍ଵାଗତ କରିବାର ଭିଡିଓ ସେୟାର କରି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଲେଖିଛନ୍ତି, ମାତୃଭୂମିରେ ଆପଣଙ୍କୁ ସ୍ଵାଗତ। ମୁମ୍ବାଇର ବିମାନ ବନ୍ଦରରେ ୟୁକ୍ରେନରୁ ସୁରକ୍ଷିତ ପହଞ୍ଚିବା ପରେ ଭାରତୀୟ ବେଶ ଆନନ୍ଦିତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।