ନୂଆଦିଲ୍ଲୀ: ପୁଣି ଟେନ୍ସନ୍ରେ ସମୀର ୱାଙ୍ଖଡ଼େ। ମୁମ୍ବାଇର ହାଇପ୍ରୋଫାଇଲ ଡ୍ରଗସ୍ କାରବାରରେ ଶାହରୁଖ ଖାନ୍ଙ୍କ ପୁଅଙ୍କୁ ଗିରଫ ପରଠାରୁ ହରଡ଼ଘଣାରେ ଫସିଛନ୍ତି ସମୀର। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ପୂର୍ବତନ ମୁମ୍ବାଇ ଜୋନ୍ ମୁଖ୍ୟ ସମୀର ୱାଙ୍ଖଡ଼େଙ୍କୁ ଜେରା ପାଇଁ ସମନ କରାଯାଇଥିଲା। ଦିଲ୍ଲୀରେ ଆଜି ତାଙ୍କୁ ପଚରାଉଚରା କରାଯାଇଛି। ଡ୍ରଗସ୍ କାରବାରରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ଙ୍କୁ ଗିରଫ ମାମଲାରେ ଏନସିବିର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ଏନ୍ସିବି ଟିମ୍ ତଦନ୍ତ କରୁଥିବା ବେଳେ ଆଜିର ଜେରାକୁ ମିଶାଇ ସମୀରଙ୍କୁ ୩ ଥର ପଚରାଉଚରା କରାଗଲାଣି। ମୁମ୍ବାଇ କ୍ରୁଜ୍ରୁ ଡ୍ରଗସ୍ ମାମଲାର ପର୍ଦ୍ଦାଫାଶ କରିଥିବା ଏନସିବିର ପ୍ରଥମ ତଦନ୍ତକାରୀ ଅଧିକାରୀ ଭିଭି ସିଙ୍କୁ ଗତ ଶନନିବାର ୧୦ ଘଣ୍ଟା ଧରି ଜେରା କରାଯାଇଥିଲା। ତାଙ୍କୁ ପ୍ରାୟ ୨୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା। ଆର୍ଯ୍ୟନ୍ ଖାନ୍ ଡ୍ରଗସ୍ ମାମଲାରେ ସାକ୍ଷୀ ପାଇଁ ପ୍ରଭାକର ସେଲ ନାମକ ଜଢ଼ଣେ ବ୍ୟକ୍ତିଙ୍କୁ ସମୀର ୱାଙ୍ଖଡ଼େ ୨୫ କୋଟି ଟଙ୍କା ଲାଞ୍ଚ ଯାଚିଥିବା ଅଭିଯୋଗ ହୋଇଥିଲା।
ଏହା ପରେ ୨୦୨୧ ଅକ୍ଟୋବର ମାସରେ ଏନ୍ସିବି ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଷ ଦିଆଯାଇଥିଲା। ମୁମ୍ବାଇର ଏକ କ୍ରୁଜ୍ରେ ରେଭ ପାର୍ଟି ଚାଲିଥିବା ବେଳେ ଗତ ଅକ୍ଟୋବର ୨ରେ ଏନ୍ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରେ ନିଶା କାରବାର ଧରାପଡ଼ିବା ସହ ଆର୍ଯ୍ୟନ ଖାନ୍ଙ୍କ ସହ ୨୦ ଜଣଙ୍କୁ ଗିରଫ କରାଯାଇଥିଲା।
ସମୀରଙ୍କ ନେତୃତ୍ୱରେ ଏହି ରେଡ୍ କରାଯାଥିଲା। ଉକ୍ତ ରେଭ ପାର୍ଟରୁ ଏନ୍ସବି ୧୩ ଗ୍ରାମ କୋକେନ୍, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ, ୨୨ ପିଲ ଏମଡିଏମଏ ଏବଂ ୧,୩୩ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଥିଲା। ତେବେ ଆର୍ଯ୍ୟନ ଖାନ୍ଙ୍କଠାରୁ କୌଣସି ଡ୍ରଗସ୍ ଜବତ ହୋଇ ନଥିଲା। ପରେ ଏହି ଘଟଣାରେ ଆଇନ୍ ଜାଲରେ ବହୁ ହଲାପଟା ହେବା ପରେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।