ଆରଏସ୍‌ଏସ୍‌ର ଅନୁମତି ପରେ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇଛି ବିଜେପି!

ନୂଆଦିଲ୍ଲୀ: ନିଜର ବେଧଡ଼କ ବୟାନ ପାଇଁ ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ବିଜେପି ମୁଖ୍ୟ ତଥା ଆରଏସଏସ୍‌ ସହ ଜଡ଼ିତ ଗଡ଼କରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନକୁ କେହି ସହଜରେ ହଜମ କରିପାରି ନଥିଲେ। ତେବେ ଗଡ଼କରୀ ପରୋକ୍ଷରେ ସରକାର ଓ ଦେଶର ରାଜନୀତିକ ସ୍ଥିତି ସମ୍ପର୍କରେ ମଞ୍ଜି […]

Gadkari

  • Published: Thursday, 25 August 2022
  • , Updated: 25 August 2022, 08:35 AM IST

ନୂଆଦିଲ୍ଲୀ: ନିଜର ବେଧଡ଼କ ବୟାନ ପାଇଁ ବେଶ କିଛି ଦିନ ହେଲା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଗଡ଼କରୀଙ୍କୁ ବିଜେପିର ସଂସଦୀୟ ବୋର୍ଡରୁ ବିଦା କରାଯାଇଥିଲା। ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ବିଜେପି ମୁଖ୍ୟ ତଥା ଆରଏସଏସ୍‌ ସହ ଜଡ଼ିତ ଗଡ଼କରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନକୁ କେହି ସହଜରେ ହଜମ କରିପାରି ନଥିଲେ।

ତେବେ ଗଡ଼କରୀ ପରୋକ୍ଷରେ ସରକାର ଓ ଦେଶର ରାଜନୀତିକ ସ୍ଥିତି ସମ୍ପର୍କରେ ମଞ୍ଜି କଥା କହୁଥିବାରୁ ଏହା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ତାଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। କେହି କେହି ଗଡ଼କରୀ ବିଜେପିର ଦ୍ୱିତୀୟ ଏଲକେ ଆଡଭାନୀ ହେବେ ବୋଲି ମଧ୍ୟ କହୁଛନ୍ତି। ଏହାର ଅର୍ଥ ଆଡଭାନୀଙ୍କୁ ଏକ ଘରକିଆ କରିବା ଭଳି ବିଜେପି ଗଡ଼କରୀଙ୍କୁ ମଧ୍ୟ କୋଣଠେସା କରିବାକୁ ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି।

ଏସବୁ ଭିତରେ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇବା ପଛରେ ଆରଏସଏସ୍‌ର ସହମତି ଥିବା ଖବର ସାମ୍ନାକୁ ଆସିଛି। ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ବିଜେପି ହଟାଇବାକୁ ଚାହୁଁଥିଲା। ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଦଳର ବରିଷ୍ଠ ନେତା ଆରଏସଏସ୍‌ର ମୁଖିଆ ଓ ଅନ୍ୟମାନଙ୍କ ସହ କଥା ହୋଇଥିଲେ। ଆରଏସଏସର ଅନୁମତି ମିଳିବା ପରେ ହିଁ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟା ଯାଇଥିବା ବିଜେପି ସୂତ୍ରରୁ ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଛି।

ଏକାଧିକ ବରିଷ୍ଠ ବିଜେପି ନେତାଙ୍କ ସୂତ୍ରରୁ ପ୍ରକାଶିତ ଖବର ଅନୁଯାୟୀ, ଗଡ଼କରୀ ଦେଉଥିବା ବୟାନ ତାଙ୍କୁ ଗଣମାଧ୍ୟମରେ ଚର୍ଚ୍ଚାରେ ରଖୁଥିଲେ ହେଁ ଏହା ଦଳ ଓ ସରକାର ସମେତ ସଂଘ ପରିବାର ପ୍ରତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଥିଲା। ଏହି ବୟାନକୁ ଆଧାର କରି ବିରୋଧୀମାନେ ମଧ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି।

ତେଣୁ ଆରଏସଏସ ଗଡ଼କରୀଙ୍କୁ ଏପରି ବୟାନ ନ ଦେବାକୁ ସତର୍କ କରାଇଥିଲା। ତେବେ ସଙ୍ଘ ପରିବାରର ଏପରି ପରାମର୍ଶ ଓ ସତର୍କତାକୁ ଗଡ଼କରୀ ଅଣଦେଖା କରିଥିଲେ। ତେଣୁ ଆରଏସଏସ ପକ୍ଷରୁ ଗଡ଼କରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପିକୁ କୁହାଯାଇଥିଲା ବୋଲି ଜଣାପଡ଼ିଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯଦି ଗଡ଼କରୀ ଆଗକୁ ନିଜ ବୟାନରେ ବ୍ରେକ ନ ଲଗାଇବେ, ତା’ହେଲେ ତାଙ୍କ ବିରୋଧରେ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଡ଼କରୀଙ୍କ ବିରୋଧରେ ଆରଏସଏସର କଠୋର ଆଭିମୁଖ୍ୟ ବିଜେପି ହାଇକମାଣ୍ଡଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହାୟତା କରିଛି। କାରଣ ବିଜେପି ନେତୃବୃନ୍ଦ ପୂର୍ବରୁ ହିଁ ଗଡ଼କରୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ହେଲେ ସେ ଆରଏସଏସର ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକମାଣ୍ଡ ସାମାନ୍ୟ ପଞ୍ଚଘୁଞ୍ଚା ଦେଇଥିଲେ। ଏବେ କିନ୍ତୁ ଆରଏସଏସ୍ ମଧ୍ୟ ଗଡ଼କରୀଙ୍କ ବୟାନରେ ଖପ୍ପା ହୋଇଛି।

ଜଣେ ବ୍ୟକ୍ତି ଯେତେ ଉପରକୁ ଗଲେ ମଧ୍ୟ ତାଙ୍କୁ ସାଂଗଠନିକ ଆଚରଣ ବିଧି ବିରୋଧରେ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ଉଭୟ ବିଜେପି ଓ ଆରଏସଏସ ନେତୃବୃନ୍ଦ ଏକମତ ହୋଇଛି। ଯଦି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏହାକୁ ଉଲ୍ଲଙ୍ଘନ କରିନ୍ତି କିମ୍ବା ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଅଲଗା ନଜରରେ ଦେଖିନ୍ତି, ତା’ହେଲେ ଆଗକୁ ଆହୁରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି ସୂତ୍ରକୁ ଆଧାର କରି ଟାଇମ୍ସ ଅଫ ଇଣ୍ଡିଆ ଖବର ପ୍ରକାଶ କରିଛି।

Related story