ଜେନେରାଲ ବିପିନ ରାୱତ: ମିଆଁମାର ଅପରେସନରୁ ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପ୍ରଥମ ସିଡିଏସ୍‌ ବା ତିନି ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ। ତାମିଲନାଡୁର କନ୍ନୁର ଠାରେ ଘଟିଥିବା ହେଲିକପ୍ଟର କ୍ରାଶରେ ଦେଶ ରାୱତଙ୍କ ଭଳି ଜଣେ ବୀରଙ୍କୁ ହରାଇଛି। ତାଙ୍କ ସହ ଏହି ଘଟଣାରେ ଆଉ ୧୨ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ଶ୍ରୀ ରାୱତଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଛନ୍ତି। ଏହି ୪ ଷ୍ଟାର ଜେନେରାଲ ସୁଲୁର ଏୟାରବେସ୍‌ରୁ ୱେଲିଂଟନ ଯାଉଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ସବୁ […]

Rawat

Hemant Lenka
  • Published: Wednesday, 08 December 2021
  • , Updated: 08 December 2021, 07:30 PM IST

ନୂଆଦିଲ୍ଲୀ: ଆଉ ନାହାନ୍ତି ଦେଶର ପ୍ରଥମ ସିଡିଏସ୍‌ ବା ତିନି ସେନାର ମୁଖ୍ୟ ଜେନେରାଲ ବିପିନ ରାୱତ। ତାମିଲନାଡୁର କନ୍ନୁର ଠାରେ ଘଟିଥିବା ହେଲିକପ୍ଟର କ୍ରାଶରେ ଦେଶ ରାୱତଙ୍କ ଭଳି ଜଣେ ବୀରଙ୍କୁ ହରାଇଛି। ତାଙ୍କ ସହ ଏହି ଘଟଣାରେ ଆଉ ୧୨ ଜଣ ପ୍ରାଣ ହରାଇଛନ୍ତି।

ଏମାନଙ୍କ ମଧ୍ୟରେ ଶ୍ରୀ ରାୱତଙ୍କ ପତ୍ନୀ ମଧୁଲିକା ମଧ୍ୟ ରହିଛନ୍ତି। ଏହି ୪ ଷ୍ଟାର ଜେନେରାଲ ସୁଲୁର ଏୟାରବେସ୍‌ରୁ ୱେଲିଂଟନ ଯାଉଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଛି।

ଜେନେରାଲ ରାୱତଙ୍କ ପରାକ୍ରମର ତାଲିକା ବେଶ ଲମ୍ବା। ସେ ୨୦୧୯ରେ ଦେଶର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ନେଇଥିଲେ। ଜେନେରାଲ ରାୱତ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବା ପରେ ତାଙ୍କୁ ଭାରତ ସରକାର ଏହି ନୂଆ ଦାୟିତ୍ୱ ଦେଇଥିଲେ। ଗୋର୍ଖା ରେଜିମେଣ୍ଟର ଅଫିସର ରାୱତ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଯବାନମାନେ ମିଆଁମାରରେ କରିଥିବା ସ୍ୱତନ୍ତ୍ର ଅପରେସନ କରିବା ବେଳେ ଜେନାରାଲ ରାୱତ ଏହାର ସୂତ୍ରଧର ସାଜିଥିଲେ।

ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ସାମିଲ ହେବା ପୂର୍ବରୁ ସେ ଶିମଲାର ସେଣ୍ଟ ଏଡୱାର୍ଡ ସ୍କୁଲରୁ ଡିଗ୍ରୀ ହାସଲ କରିଥିଲେ। ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ତାଲିମ ନେବା ପରେ ସେ ସେନାରେ ସାମିଲ ହୋଇଥିଲେ। ପୂର୍ବ ଭାଗରେ ଚାଇନା ସହ ଲାଗିଥିବା ସୀମାରେ କାର୍ଯ୍ୟ କରୁଥିବା ବାଟାଲିୟନର କମାଣ୍ଡର ଭାବେ ଜେନେରାଲ ବିପିନ ରାୱତ କାର୍ଯ୍ୟ କରି ସାରିଛନ୍ତି। ଏଥିସହ କଶ୍ମୀରରେ ଗୋଟିଏ ଇନଫାଣ୍ଟ୍ରୀ ଡିଭିଜନର ନେତୃତ୍ୱ ମଧ୍ୟ ସେ ନେଇଥିଲେ। ନର୍ଥଇଷ୍ଟରେ ମଧ୍ୟ ସେ କାମ କରି ତାଙ୍କ ବିଳିଷ୍ଠ ନେତୃତ୍ୱର ପରିଚୟ ଦେଇଥିଲେ।

୨୦୧୬ ମସିହା ଡିସେମ୍ବର ୩୧ରେ ଜେନେରାଲ ରାୱତ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ପଦ ପାଇଁ ତାଙ୍କୁ ଡିସେମ୍ବର ୧୭ରେ ମନୋନୀତ କରାଯାଇଥିଲା। ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ସହ ନୂଆ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିଆରି କରିଥିବା ମିଲିଟାରୀ ବ୍ୟାପାର ବିଭାଗର ସେ ମୁଖ୍ୟ ଭାବେ କାମ ଆରମ୍ଭ କରିଥିଲେ।

ଦେଶରେ ସେବାରେ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ସେ ବ୍ରିଗେଡ କମାଣ୍ଡର, ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ(ଜିଓସି-ସି), ମିଲିଟାରୀ ଅପରେସନ ଡିରେକ୍ଟୋରେଟ୍‌ରେ ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ-୨ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।

ମିଆଁମାରରେ ୨୦୧୫ରେ ହୋଇଥିବା ସୀମା ପାର ଅପରେସନ ଓ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ପଛରେ ଜେନାରାଲ ରାୱତଙ୍କ ଭୂମିକା ରହିଥିଲା। ୨୦୧୫ରେ ନାଗାଲାଣ୍ଡ-ଖାଫଲାଙ୍ଗ ଆତଙ୍କବାଦୀମାନେ ସେନା ଉପରେ ହମଲା କରିଥିଲେ। ଏହାପରେ ଭାରତୀୟ ସେନା ମିଆଁମାର ସୀମାରେ ଅପରେସନ କରିଥିଲା। ଏହି ସମୟରେ ଜେନେରାଲ୍ ରାୱତ୍ ତୃତୀୟ-କର୍ପସ୍ ଦ୍ୱାରା ପରିଚାଳିତ ଏହି ମିଶନର ତଦାରଖ କରିଥିଲେ।

୨୦୧୬ରେ ଜେନେରାଲ ରାୱତ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଷ୍ଟ୍ରାଇକ ପାଇଁ ହୋଇଥିବା ପ୍ଲାନିଂରେ ସେ ସାମିଲ ଥିଲେ। ଯୋଜନା ଅନୁସାରେ ଭାରତୀୟ ସେନାର ଗୋଟିଏ ଟିମ୍ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହି ସମୟରେ ଜେନେରାଲ ରାୱତ ନୂଆଦିଲ୍ଲୀର ସାଉଥ ବ୍ଲକରୁ ପୂରା ଘଟଣା ଉପରେ ନଜର ରଖିଥିଲେ।

ଦେଶ ପ୍ରତି ତାଙ୍କର ଅବଦାନ ପାଇଁ ଜେନେରାଲ ରାୱତଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ଓ ସେନା ପଦକରେ ସମ୍ମାନୀତ କରାଯାଇଛି।

Related story