ନୂଆଦିଲ୍ଲୀ: ମାଡ଼ିଚାଲୁଛି ଲମ୍ପି ଚର୍ମ ରୋଗ । ଗୃହପାଳିତ ପଶୁପକ୍ଷୀ, ବିଶେଷ କରି ଗୋରୁ ଗାଇ ଏହି ରୋଗରେ ସଂକ୍ରମିତ ହେଉଛନ୍ତି । ଫଳରେ ଗାଇ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଚଳିତବର୍ଷ ଭାରତରେ ଲମ୍ପି ଚର୍ମରୋଗରେ ଦେଢ଼ଲକ୍ଷରୁ ଅଧିକ ଗୋରୁଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କେବଳ ରାଜସ୍ଥାନରେ ୭୫,୮୧୯ ଗୋରୁଙ୍କ ଜୀବନ ଏହି ରୋଗରେ ଯାଇଥିବା ରାଜ୍ୟସଭାରେ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।
ଲମ୍ପି ଚର୍ମରୋଗରେ ମହାରାଷ୍ଟ୍ରରେ ୨୪,୪୩୦, ପଞ୍ଜାବରେ ୧୭,୯୩୨, କର୍ଣ୍ଣାଟକରେ ୧୨,୨୪୪, ହିମାଚଳ ପ୍ରଦେଶରେ ୧୦,୬୮୧ ଓ ଗୁଜରାଟରେ ୬,୧୯୩ଟି ଗୋରୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସମୟରେ ଏହି ରୋଗ ନିୟନ୍ତ୍ରଣରେ ରହିଛି ଏବଂ ଗୋରୁଙ୍କ ଟିକାକରଣ ଚାଲିଥିବା ସରକାରଙ୍କ ତରଫରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଗୋରୁଙ୍କୁ ଟିକା ଦିଆଯାଇଥିବା ନେଇ ସରକାରଙ୍କ ତରଫରୁ କୁହାଯାଇଛି।
କେନ୍ଦ୍ର ପଶୁପାଳନ ବିଭାଗ ତରଫରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୨୯.୪୫ ଲକ୍ଷରୁ ଅଧିକ ଗୋରୁ ଏହି ଚର୍ମ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫.୫ ଲକ୍ଷରୁ ଅଧିକ ଗୋରୁ ସୁସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ଏହି ରୋଗ ଗୋରୁଙ୍କ ଠାରୁ ମଣିଷକୁ ବ୍ୟାପିବାର କୌଣସି ସୂଚନା ନଥିବା ସରକାରଙ୍କ ତରଫରୁ ଦର୍ଶାଯାଇଛି। ମୁଖ୍ୟତଃ ଗାଈ ଏହି ରୋଗରେ ପୀଡ଼ିତ ହେଉଥିବା ବେଳେ ବଦଳ, ଓଟ, ହରିଣ ଓ ଘୋଡ଼ାଙ୍କ ଠାରେ ଏହି ରୋଗ ଅଳ୍ପ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରୋଗର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ରିପୋର୍ଟର ଉଲ୍ଲେଖ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।