ଅଗ୍ନିପଥ ଯୋଜନାକୁ ବିରୋଧ କରି ଲଙ୍କାକାଣ୍ଡ, ସଫେଇ ଦେଲେ ସରକାର

ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶର୍ଟ ଟର୍ମ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଯୋଜନାରେ ଯୁବବର୍ଗଙ୍କୁ ମାତ୍ର ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ତେଣୁ ଏହାପରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଆଶାୟୀମାନେ ବିହାର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିଛି ସ୍ଥାନରେ ଆନ୍ଦୋଳନ ଚାଲୁଥିବା ବେଳେ ବ୍ୟାପକ ପୋଡ଼ାଜଳା ଦେଖିବାକୁ […]

agnipath

Hemant Lenka
  • Published: Thursday, 16 June 2022
  • , Updated: 16 June 2022, 05:05 PM IST

ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶର୍ଟ ଟର୍ମ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଯୋଜନାରେ ଯୁବବର୍ଗଙ୍କୁ ମାତ୍ର ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ତେଣୁ ଏହାପରେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଆଶାୟୀମାନେ ବିହାର ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କିଛି ସ୍ଥାନରେ ଆନ୍ଦୋଳନ ଚାଲୁଥିବା ବେଳେ ବ୍ୟାପକ ପୋଡ଼ାଜଳା ଦେଖିବାକୁ ମିଳିଛି। ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଏହାକୁ ପ୍ରଶମିତ କରିବାକୁ ସ୍ପଷ୍ଟୀକରଣ ଦେଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଭ୍ରମ ବନାମ ପ୍ରକୃତ ତଥ୍ୟ’ ରିଲିଜ କରାଯାଇଛି। ନିଯୁକ୍ତିକୁ ନେଇ ଆଶାୟୀମାନେ ଉଠାଇଥିବା କିଛି ପ୍ରଶ୍ନର ଉତ୍ତର ମଧ୍ୟ ସରକାର ଏହା ମାଧ୍ୟମରେ ଦେଇଛନ୍ତି।

ସରକାର କହିଛନ୍ତି, ଅଗ୍ନିବୀର ଭାବେ କାମ କରିଥିବା ଯୁବକମାନେ ଅବ୍ୟାହତି ପାଇବା ପରେ ସେମାନଙ୍କୁ ଆର୍ଥିକ ପ୍ୟାକେଜ ଓ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ନୂଆ ଉଦ୍ୟେଗ ଆରମ୍ଭ କରିପାରିବେ। ଯେଉଁମାନେ ଆଗକୁ ପାଠ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ଦ୍ୱାଦଶ ଶ୍ରେଣୀର ପ୍ରମାଣ ପତ୍ର ମିଳିବ।

ଯେଉଁମାନେ ଦରମା ନେଇ ଚାକିରି କରିବାକୁ ଆଗ୍ରହ ଦେଖାଇବେ, ସେମାନଙ୍କୁ କେନ୍ଦ୍ରୀୟ ଆର୍ମଡ ଫୋର୍ସ ଓ ରାଜ୍ୟ ପୁଲିସ୍‌ ବିଭାଗରେ ଗୁରୁତ୍ୱ ଦିଆଯିବ। ବିଭିନ୍ନ କ୍ଷେତ୍ରରେ ଅଗ୍ନିବୀରଙ୍କୁ ଚାକିରି ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ସରକାର କହିଛନ୍ତି।

ଅଗ୍ନିପଥ ଯୋଜନା ଦ୍ୱାରା ରେଜିମେଣ୍ଟ ବାଇଡିଂ ଉପରେ ପ୍ରଭାବ ପଡ଼ିବ ବୋଲି ପୂର୍ବତନ ସେନା ଅଧିକାରୀମାନେ କହିଥିଲେ। ଏହାର ଜବାବରେ ସରକାର କହିଛନ୍ତି ଯେ “ଅଗ୍ନିପଥ ଯୋଜନା ଦ୍ୱାରା ରେଜିମେଣ୍ଟ ବ୍ୟବସ୍ଥାରେ କୌଣସି ପରିର୍ତ୍ତନ କରାଯିବ ନାହିଁ। ନୂଆ ଯୋଜନା ଏହି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। କାରଣ ଶ୍ରେଷ୍ଠ ଅଗ୍ନିବୀରମାନେ ହିଁ ଚୟନ ହୋଇ ଆଗକୁ କାମ କରିବେ। ଫଳରେ ସେନାର ୟୁନିଟ ଅଧିକ ଶକ୍ତିଶାଳୀ ହୋଇପାରିବ।”

ଅଗ୍ନିପଥ ଯୋଜନା ସେନା ବାହିନୀର ପ୍ରଭାବକୁ ପ୍ରଭାବିତ କରିବ ବୋଲି ଯେଉଁ କୁହାଯାଉଛି, ଏହାକୁ ସରକାର ଭ୍ରମ ବା ଭିତ୍ତିହୀନ ବୋଲି କହିଛନ୍ତି। ସରକାର ଏହା ଉପରେ ସଫେଇ ଦେଇ କହିଛନ୍ତି, ପ୍ରଥମ ବର୍ଷ ନିଯୁକ୍ତି ପାଇବାକୁ ଥିବା ଅଗ୍ନିବୀରଙ୍କ ସଂଖ୍ୟା ସେନା ବାହିନୀର ମୋଟ ସଂଖ୍ୟାର ୩% ରହିବ। ୪ ବର୍ଷ ପରେ ପୁଣି ଆର୍ମିରେ ନିଯୁକ୍ତି ପାଇବା ପୂର୍ବରୁ ଅଗ୍ନିବୀରଙ୍କ ପ୍ରଦର୍ଶନକୁ ଯାଞ୍ଚ କରାଯିବ। ତେଣୁ ସୁପରଭାଇଜୋରୀ ରାଙ୍କର ଅଫିସରଙ୍କୁ ଆର୍ମି ଟେଷ୍ଟ ପରେ ହିଁ ପାଇପାରିବ।

ଅନେକ ଦେଶରେ ଶର୍ଟ ଟର୍ମ ବ୍ୟବସ୍ଥା ଲାଗୁ ହୋଇଛି। ଏହାକୁ ସେମାନେ ପରୀକ୍ଷାମୂଳକ ଭାବେ ଆରମ୍ଭ କରି ଅଧିକ ଲାଭ ପାଇଥିବା ମଧ୍ୟ ସରକାର କହିଛନ୍ତି।
୨୧ ବର୍ଷ ବୟସର ଯୁବଗୋଷ୍ଠୀ ସେନାରେ କାମ କରିବାକୁ ଅପରିପକ୍ୱ ଓ ଭରସାଯୋଗ୍ୟ ହୋଇପାରିବେ ନାହିଁ ବୋଲି କୁହାଯାଉଛି। ‌ଏହି ଆଲୋଚନା ଉପରେ ସରକାର କହିଛନ୍ତି, “ପୂରା ଦୁନିଆରେ ଯୁବଗୋଷ୍ଠୀଙ୍କ ଉପରେ ସେନା ନିର୍ଭର କରୁଛି। କୌଣସି ବି ସମୟରେ ଅଭିଜ୍ଞ ଲୋକଙ୍କ ତୁଳନାରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ ହେବନି। ଏହି ଯୋଜନା ଯୁବଗୋଷ୍ଠୀ ଓ ଅଭିଜ୍ଞଙ୍କ ମଧ୍ୟରେ ୫୦%-୫୦%ର ନିୟମ ଲାଗୁ କରିବ।”

୨୧ ବର୍ଷ ବୟସରେ ବନ୍ଧୁକ ଚାଳନା ଶିଖିବା ପରେ ଚାକିରି ଅଭାବରୁ କିଛି ଯୁବକ ‌ଆତଙ୍କବାଦୀ କିମ୍ବା ଦେଶଦ୍ରୋହ ତତ୍ତ୍ୱରେ ସାମିଲ ହେବାର ଆଶଙ୍କା ଥିବା ମଧ୍ୟ କିଛି ଲୋକ କହୁଛନ୍ତି। କିନ୍ତୁ ସରକାର ଏହାକୁ ଭାରତୀୟ ସେନାର ମୂଳ ନୀତି ଓ ଆଦର୍ଶର ଅପମାନ ବୋଲି କହିଛନ୍ତି।

ଯେଉଁ ଯୁବଗୋଷ୍ଠୀମାନେ ଥରେ ସେନା ପୋଷାକ ପିନ୍ଧିବେ, ସେମାନେ ସାରା ଜୀବନ ଦେଶର ବିଶ୍ୱସ୍ତ ହୋଇ କାମ କରିବେ। ଅନେକ ଅବସର ପ୍ରାପ୍ତ ସେନା ଅଧିକାରୀମାନେ ସବୁଥିରେ ପାରଙ୍ଗମ। ହେଲେ ସେମାନେ କେବେ ହେଲେ ଦେଶ ବିରୋଧୀ ସଂଗଠନରେ ସାମିଲ ହେବାର ନଜିର ନାହିଁ ବୋଲି ସରକାର କହିଛନ୍ତି।

Related story