ନୂଆଦିଲ୍ଲୀ: ପୂର୍ବତନ ଏମପି ଅଜୟ ଚୌତାଲା ୧୦ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି। ହରିୟାଣାର ଶିକ୍ଷକ ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ଥିବା ଚୌତାଲା ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡିତ ହୋଥିଲେ। ଦିଲ୍ଲୀର ତିହାର ଜେଲରେ ୧୦ ବର୍ଷ କାରାଦଣ୍ଡ ଭୋଗିବା ପରେ ଚୌତାଲା ଜେଲରୁ ବାହାରିଛନ୍ତି। ଶିକ୍ଷକ ଦୁର୍ନୀତି ମାମଲାରେ ଅଜୟ ଚୌତାଲା, ତାଙ୍କ ବାପା ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସମେତ ୫୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୩୦୦୦ ଶିକ୍ଷକଙ୍କୁ ବେଆଇନ ନିଯୁକ୍ତିରେ ଏମାନଙ୍କ ସିଧାସଲଖ ସମ୍ପୃକ୍ତି ଥିଲା। ଭାରତୀୟ ଲୋକଦଳର ନେତା ଅଜୟ ଚୌତାଲା ଏବଂ ତାଙ୍କ ବାପା ନକଲି କାଗଜପତ୍ର ଆଧାରରେ ୩୦୦୦ ଶିକ୍ଷକଙ୍କୁ ହାୟାର କରିଥିଲେ। ଫଳରେ ଯୋଗ୍ୟ ଆବେଦନକାରୀମାନେ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ତେବେ ଆଜି ଅଜୟ ଚୌତାଲା ଜେଲରୁ ମୁକୁଳିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ। ତାଙ୍କ ପୁଅ ଦୁଶ୍ୟନ୍ତ ଚୌତାଲା ଏବେ ହରିୟାଣାର ଡେପୁଟି ମୁଖ୍ୟମନ୍ତ୍ରୀ ଅଛନ୍ତି।
ଜନନାୟକ ଜନତା ପାର୍ଟି(ଜେଜେପି)ର ସୁପ୍ରିମୋ ହେଉଛନ୍ତି ଦୁଶ୍ୟନ୍ତ। ୨୦୧୮ରେ ଭାରତୀୟ ଲୋକ ଦଳ ଭାଙ୍ଗିବାପରେ ଜନନାୟକ ଜନତା ପାର୍ଟି ନାମରେ ନୂଆ ଦଳ ଗଠନ କରିଥିଲେ ଦୁଶ୍ୟନ୍ତ। ହରିୟଣାର ଶିକ୍ଷକ ନିଯୁକ୍ତି ଜାଲିଆତି ମାମଲାର ୨୦୦୮ରେ ସିବିଆଇ ଚାର୍ଜସିଟ୍ ଫାଇଲ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।