ବଡ଼ ଶିଳ୍ପରେ ପରିଣତ ହେଲାଣି ହସ୍ପିଟାଲ, ବନ୍ଦ କରିଦେବା ଭଲ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଉଛନ୍ତି। ରାଜ୍ୟ ସରକାରଗୁଡ଼ିକ ଘରୋଇ ଡାକ୍ତରଖାନାକୁ ଅନୁମତି ନଦେଇ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲିବା ଦରକାର। ଏଥିସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ନିଆଁ ଲାଗି ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ଦୁଃଖ ଉପରୁ ଲାଭ ଉଠାଇ ହସ୍ପିଟାଲଗୁଡ଼ିକ ନିଜକୁ ବଡ଼ବଡ଼ ଶିଳ୍ପସଂସ୍ଥାରେ ପରିଣତ […]

SC

Hemant Lenka
  • Published: Monday, 19 July 2021
  • , Updated: 19 July 2021, 04:15 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଘରୋଇ ହସ୍ପିଟାଲଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଉଛନ୍ତି। ରାଜ୍ୟ ସରକାରଗୁଡ଼ିକ ଘରୋଇ ଡାକ୍ତରଖାନାକୁ ଅନୁମତି ନଦେଇ ସରକାରୀ କ୍ଷେତ୍ରରେ ଅଧିକ ଉନ୍ନତ ହସ୍ପିଟାଲ ଖୋଲିବା ଦରକାର। ଏଥିସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ନିଆଁ ଲାଗି ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଲୋକଙ୍କ ଦୁଃଖ ଉପରୁ ଲାଭ ଉଠାଇ ହସ୍ପିଟାଲଗୁଡ଼ିକ ନିଜକୁ ବଡ଼ବଡ଼ ଶିଳ୍ପସଂସ୍ଥାରେ ପରିଣତ କରିବାରେ ଲାଗିଛନ୍ତି। ଏପରି ସ୍ଥିତିରେ ଏଗୁଡ଼ିକୁ ବନ୍ଦ କରିଦେବା ଭଲ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ରାଜ୍ୟ ସରକାରମାନେ ଛୋଟ ଛୋଟ ଆବାସିକ ଅଞ୍ଚଳରେ ଘରୋଇ ହସ୍ପିଟାଲକୁ ଅନୁମତି ଦେବା ବଦଳରେ ଲୋକଙ୍କୁ ସରକାରୀ କ୍ଷେତ୍ରରେ ଭଲ ହସ୍ପିଟାଲର ସୁବିଧା ଉପଲବ୍ଧ କରାଇପାରିବେ ବୋଲି କୋର୍ଟ ମତ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, “ହସ୍ପିଟାଲଗୁଡ଼ିକ ଏବେ ଲୋକଙ୍କ ଦୁଃଖ ଉପରେ ବଡ଼ବଡ଼ ଶିଳ୍ପସଂସ୍ଥାରେ ପରିଣତ କରିବାରେ ଲାଗିଛନ୍ତି। ଆମେ କେବେ ହେଲେ ସେମାନଙ୍କୁ ଲୋକଙ୍କ ଜୀବନକୁ ନେଇ ଏପରି ସଫଳତା କିମ୍ବା ଆର୍ଥିକ ସ୍ତରରେ ଶକ୍ତିଶାଳୀ ହେବାକୁ ଦେବୁନାହିଁ। ସେଭଳି ହସ୍ପିଟାଲଗୁଡ଼ିକୁ ଏବେ ବନ୍ଦ କରି ଦିଆଯାଉ। ଏହା ସମସ୍ତଙ୍କ ପାଇଁ ଭଲ ହେବ।”

ହସ୍ପିଟାଲଗୁଡ଼ିକ ପାଇଁ ଧାର୍ଯ୍ୟ ସୁରକ୍ଷା ସମ୍ପର୍କିତ ଅନୁମତିର ତାରିଖକୁ ଗୁଜରାଟ ସରକାର ବୃଦ୍ଧି କରିଥିବାରୁ ଏହାକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଯାଇଥିଲେ। ସେ ଗୋଟିଏ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥାଆନ୍ତେ। କିନ୍ତୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ ତାଙ୍କର ମୃତ୍ୟୁ ଘଟିଲା। ଦୁଇ ଜଣ ନର୍ସ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଗଲେ। ଏହି ଘଟଣା ଆମ ଆଖି ଆଗରେ ଘଟିଛି। ଏହା ସତ୍ତ୍ୱେ ଆମେ ଏପରି ହସ୍ପିଟାଲଗୁଡ଼ିକ ପାଇଁ ଧାର୍ଯ୍ୟ ସମୟକୁ ବୃଦ୍ଧି କରିବାରେ ଲାଗିଛେ।

ହସ୍ପିଟାଲଗୁଡ଼ିକ ଏବେ ରିୟଲ-ଇଷ୍ଟେଟ ସଂସ୍ଥାରେ ପରିଣତ ହୋଇଛି। ଦୁଃଖରୁ ରୋଗୀଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ହସ୍ପିଟାଲଗୁଡ଼ିକ ସେମାନଙ୍କୁ ଟଙ୍କା ଉପାର୍ଜନର ମେସିନ ଭାବେ ବ୍ୟବହାର କରିବାରେ ଲାଗିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟା ଖଣ୍ଡପୀଠଙ୍କୁ କହିଥିଲେ ଯେ ଯଦି ଗୋଟିଏ ୧୦ ମହଲା ବିଲଡିଂରେ କୋଭିଡ ରୋଗୀଙ୍କ ପାଇଁ ୪ରୁ ୫ଟି ବେଡ ରହିଛି ଓ କୋଠାକୁ ବ୍ୟବହାର ଅନୁମତି ମିଳିନାହିଁ ତେବେ ତାହାକୁ ବନ୍ଦ କରିଦେଲେ କି ପ୍ରଭାବ ପଡ଼ିବ କଳ୍ପନା କରାଯାଉ। ଯଦି ଏପରି ହସ୍ପିଟାଲକୁ ଆମେ ବନ୍ଦ କରିଦେବା, ତା’ହେଲେ ମୋଟ ୩୦ ହଜାର ହସ୍ପିଟାଲ ବେଡ୍‌ ଉପଲବ୍ଧ ହେବନାହିଁ ବୋଲି ସେ କହିଛନ୍ତି।

ଏହାର ଜବାବରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଏଭଳି ବିଲ୍ଡିଂରେ ଥିବା ନର୍ସିଂ ହୋମର ଦୋଷତ୍ରୁଟିକୁ କେବେ ହେଲେ ମାର୍ଜନା କରାଯାଇ ପାରିବ ନାହିଁ। ଜଷ୍ଟିସ ଶାହ ଏହି ସମୟରେ କହିଛନ୍ତି ଯେ କୋର୍ଟ ଯଦି କୌଣସି ନିର୍ଦ୍ଦେଶନାମା ଜାରି କରୁଛନ୍ତି, ତା’ହେଲେ ଏହାକୁ ହସ୍ପିଟାଲଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ, ତା’କୁ ଆପଣ ଦେଖନ୍ତୁ।

ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ କୋଭିଡ କେୟାର ସେଣ୍ଟରରେ ଉପଲବ୍ଧ କରାନ୍ତୁ। ଆମେ କେବେ ହେଲେ ଛୋଟ ଛୋଟ ଆବାସିକ ଅଞ୍ଚଳରେ ଏପରି ହସ୍ପିଟାଲକୁ ଅନୁମତି ଦେଇପାରିବୁ ନାହିଁ। ଆପଣ ଏବେ ୨୦୨୨ ଜୁନ୍‌ ମାସ ଯାଏ ହସ୍ପିଟାଲଗୁଡ଼ିକୁ ସରକାରୀ ନିୟମ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଉଛନ୍ତି। ଏହାର ଅର୍ଥ ଜୁନ୍‌ ୨୦୨୨ ଯାଏ ଲୋକମାନେ ହସ୍ପିଟାଲରେ ଯାଇ ପ୍ରାଣ ହରାଇବେ ଓ ଜୀବନ୍ତ ଦଗ୍ଧ ହେବାକୁ ଅନୁମତି ଦେଉଛନ୍ତି। ଗୁଜରାଟ ସରକାର ହସ୍ପିଟାଲଗୁଡ଼ିକ ପ୍ରତି କୋହଳ ନୀତି ପୋଷଣ କରିଥିବା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି କୋର୍ଟ କହିଛନ୍ତି।

Related story