ନୂଆଦିଲ୍ଲୀ: ଆଗରୁ ମୁହଁ ମୋଡ଼ୁଥିଲେ। ଏବେ ଢ଼ଳିଲେ। ଯାହା ସହ ସମ୍ପର୍କ ନରଖିବାକୁ ଶପଥ କରିଥିଲେ ଏବେ ତାଙ୍କ ସହ ସାଥି ହେବାକୁ ମନ ବଳାଇଛନ୍ତି। ଯେଉଁ ଦଳର ଅସ୍ତିତ୍ୱକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇ ଥିଲେ ଏବେ ସେଇ ଦଳ ସହ ଭାବ ଯୋଡ଼ିବାକୁ ଇଚ୍ଛା କରିଛନ୍ତି। ଆମେ କହୁଛୁ ଜାତୀୟ ଦଳ କଂଗ୍ରେସ କଥା। କଂଗ୍ରେସକୁ ବାଦ ଦେଇ ଏକ ଦୃଢ଼ ବିରୋଧୀ ସାମ୍ମୁଖ୍ୟ ଅଭିଯାନରେ ବାହାରିଥିବା ମମତା ହଠାତ ଆଭିମୁଖ୍ୟ ବଦଳାଇଛନ୍ତି।
ଗତକାଲି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ବିଜେପିର ବିପୁଳ ବିଜୟ ପରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ୨୦୨୪ ପୂର୍ବରୁ ସଙ୍କେତ ବୋଲି କହିଥିଲେ। ୨୦୨୪ ଫାଇନାଲ ମ୍ୟାଚ୍ ପୂର୍ବରୁ ସେମିଫାଇନାଲରେ ବିଜେପିର ବିରାଟ ସଫଳତା ବିରୋଧୀଙ୍କୁ ଚକିତ କରିଛି।
ତେଣୁ ୨୦୨୪ ପୂର୍ବରୁ ବିଜେପିକୁ ମୁକାବିଲା ପାଇଁ ମମତା ଅଣ୍ଟାଭିଡ଼ିଛନ୍ତି। ଏଥିପାଇଁ ଜାତୀୟ ଦଳ କଂଗ୍ରେସ ସହ ମେଣ୍ଟ ପାଇଁ ଇଶାରା ଦେଇଛନ୍ତି। ଯଦି କଂଗ୍ରେସ ଚାହେଁ ତେବେ ସବୁ ବିରୋଧୀ ଏକାଠି ହୋଇ ଳଢ଼ିବାକୁ ମମତା ଆହ୍ୱାନ କରିଛନ୍ତି। ଯଦି ବିଜେପିକୁ ହରାଇବାକୁ ଚାହୁଁଛନ୍ତି ତେବେ ସବୁ ଦଳ ଗୋଟିଏ ମଞ୍ଚରେ ଏକାଠି ହେବାକୁ ମମତା କହିଛନ୍ତି । ଯଦି କଂଗ୍ରେସ ଚାହେଁ ତେବେ ଆମେ ସବୁ ବିପକ୍ଷ ଦଳ ଏକାଠି ହୋଇ ବିଜେପି ବିରୋଧରେ ଲଢ଼ିବୁ ବୋଲି ମମତା କହିଛନ୍ତି।
ପୂର୍ବରୁ କଂଗ୍ରେସର ଆଉ ସତ୍ତା ନାହିଁ ବୋଲି ମମତା କହିଥିଲେ ମମତା । ମୋଦିଙ୍କ ବିକଳ୍ପ ଭାବେ ନିଜକୁ ପ୍ରସ୍ତୁତ କରି ବିରୋଧୀଙ୍କ ସମର୍ଥନ ପାଇଁ ଅଭିଯାନ ଆରମ୍ଭ କରିଥିଲେ ମମତା। ଲକ୍ଷ୍ୟ ବିଜେପି ବିରୋଧରେ ସଶକ୍ତ ବିରୋଧୀ ସାମ୍ମୁଖ୍ୟ ଗଠନ । ସେତେ ବେଳେ ବିଭିନ୍ନ ଦଳର ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ମମତା।
ଏହି ସମୟରେ ମମତା କହିଥିଲେ ଯେ, ଦେଶରେ ଆଉ ୟୁପିଏର ସତ୍ତା ନାହିଁ। ତାହା ହଜିଗଲାଣି। କଂଗ୍ରେସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧିକ ଶକ୍ତିଶାଳୀ ହୋଇଛି। କଂଗ୍ରେସ ପାର୍ଟି କେବଳ ନାମକୁ ମାତ୍ର ବିଞ୍ଚିଛି। ତେଣୁ ବିଜେପି ଦିନକୁ ଦିନ ସଶକ୍ତ ହେଉଛି ବୋଲି ମମତା କହିଥିଲେ। ଏକଦା ମମତା ମଧ୍ୟ ୟୁପିଏର ଅଂଶ ଥିଲେ। କିନ୍ତୁ ଏବେ ମମତା କଂଗ୍ରେସ ଠାରୁ ଦୂରେଇ ଯାଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବି ସେ କଂଗ୍ରେସ ସହ କୌଣସି ଗଠବନ୍ଧନ କରି ନଥିଲେ। ବେଙ୍ଗଲରେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଦିନି ହ୍ୟାଟ୍ରିକ ବିଜୟ ସହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ କଂଗ୍ରେସ ମଧ୍ୟ ମମତାଙ୍କୁ ଜବାବ ଦେଇଥିଲା। ଦଳ କହିଥିଲା ଯେ, କଂଗ୍ରେସ ବିନା ବିଜେପିକୁ ପରାସ୍ତ କରିବା ଏକ ସ୍ୱପ୍ନ। ଭାରତୀୟ ରାଜନୀତିର ବାସ୍ତବତା ସମସ୍ତେ ଜାଣନ୍ତି। କଂଗ୍ରେସ ବିନା କେହି ବିଜେପିକୁ ପରାସ୍ତ କରିପାରିବେ ନାହିଁ ବୋଲି କଂଗ୍ରେସ କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।