ସୀମା ବିବାଦ: ସେନା ପ୍ରତ୍ୟାହାର କଲେ ଭାରତ ଓ ଚାଇନା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦରେ ସାମାନ୍ୟ ଥଣ୍ଡା ପଡ଼ିଛି। ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ଯବାନଙ୍କୁ ପଛକୁ ହଟାଇଛନ୍ତି। ଉଭୟ ଦେଶ ମଧ୍ୟରେ ୯ମ ରାଉଣ୍ଡ ବୈଠକ ବେଳେ ଏପରି ବୁଝାମଣା ହୋଇଥିଲା। ବୁଝାମଣାକୁ ସମ୍ମାନ ଜଣାଇ ଉଭୟ ଦେଶ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ବୁଧବାର ଅପରାହ୍ନରେ ଡିଏନଗେଜମେଣ୍ଟର ସୂଚନା […]

India

Hemant Lenka
  • Published: Wednesday, 10 February 2021
  • , Updated: 10 February 2021, 08:19 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦରେ ସାମାନ୍ୟ ଥଣ୍ଡା ପଡ଼ିଛି। ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ଯବାନଙ୍କୁ ପଛକୁ ହଟାଇଛନ୍ତି। ଉଭୟ ଦେଶ ମଧ୍ୟରେ ୯ମ ରାଉଣ୍ଡ ବୈଠକ ବେଳେ ଏପରି ବୁଝାମଣା ହୋଇଥିଲା। ବୁଝାମଣାକୁ ସମ୍ମାନ ଜଣାଇ ଉଭୟ ଦେଶ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ବୁଧବାର ଅପରାହ୍ନରେ ଡିଏନଗେଜମେଣ୍ଟର ସୂଚନା ଦେଇ କହିଛନ୍ତି, ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଭୟ ଦେଶ ସେନା ମୁତୟନ କରିଥିଲେ। କିନ୍ତୁ ବୁଧବାର ଠାରୁ ଏମାନେ ପଛକୁ ହଟିବା ଆରମ୍ଭ କରିଛନ୍ତି। ଭାରତ ଓ ଚାଇନା ମଧ୍ୟରେ ୯ମ ଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ନିକଟରେ ଶେଷ ହୋଇଥିଲା।

ବୈଠକର ବୁଝାମଣା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଭୟ ଦେଶ ମୁତୟନ କରିଥିବା ଯବାନଙ୍କୁ ୧୦ ତାରିଖରୁ ପଛକୁ ହଟାଇବେ। ସୁସଂଗଠିତ ଓ ଶୃଙ୍ଖଳିତ ଢଙ୍ଗରେ ଡିସଏନଗେଜମେଣ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଡିସଏନଗେଜମେଣ୍ଟ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଚାଇନା ଏକଥା କହିଥିଲେ ହେଁ ଭାରତ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ୯ମ ରାଉଣ୍ଡ ବୈଠକ ବେଳେ ଭାରତ ସୀମାରେ ମେ’ ମାସ ପୂର୍ବରୁ ଥିବା ସ୍ଥିତାବସ୍ଥା ବଜାୟୀ ରଖିବାକୁ ଦାବି କରିଥିଲା। ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଡିସଏନଗେଜମେଣ୍ଟ ପାଇଁ ସହମତି ହୋଇଥିଲା। ଯୋଜନା ଅନୁଯାୟୀ, ଚାଇନାର ଯବାନମାନେ ଫିଙ୍ଗର ୮କୁ ଯିବେ।

ଭାରତୀୟ ସେନା ଧାନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ। ଏହା ଫିଙ୍ଗର ୨ ଓ ୩ ମଧ୍ୟରେ ରହିଛି। ଫିଙ୍ଗର ୪ ଯାଏ ଭାରତ କିମ୍ବା ଚାଇନା କେବେ ହେଲେ ନିଜର ପ୍ୟାଟ୍ରୋଲିଂ ଗାଡ଼ିକୁ ନେବେନାହିଁ। ଏହା ପର୍ଯ୍ୟାୟକ୍ରମେ ହେବ। ସେହିପରି ଉଭୟ ଦେଶ ଫିଙ୍ଗର ୪ ନିକଟରେ ମୁତୟନ କରିଥିବା ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ବି ପଛକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ବୈଠକ ବେଳେ ଏକାଧିକ ଫିକ୍ସନ ପଏଣ୍ଟରୁ ଚାଇନା ସେନା ପ୍ରତ୍ୟାହାର କରୁ ବୋଲି ମଧ୍ୟ ଭାରତ ଦାବି କରିଥିଲା। ଏହା ମଧ୍ୟରେ ଗୋଗ୍ରାଠାରେ ଥିବା ଦେଶପାଙ୍ଗ ଫିକ୍ସନ ପଏଣ୍ଟ ମଧ୍ୟ ରହିଥିଲା। ଦେଶପାଙ୍ଗରେ ଚାଇନା ଦୀର୍ଘ ୫ରୁ ୬ ବର୍ଷ ହେଲାଣି ନିଜର ସାମାରିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି।

ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ସୀମା ବିବାଦ ବେଳେ ବେଜିଂ ଏଠାରେ ଅଧିକ ନିର୍ମାଣ କାମ କରିବା ସହ ଟ୍ୟାଙ୍କ ମଧ୍ୟ ମୁତୟନ କରିଥିଲା। ଏହାକୁ ଭାରତ ଜୋରଦାର ବିରୋଧ କରିଥିଲା।

Related story