ନୂଆଦିଲ୍ଲୀ: ‘ନାଟୋର ଆଶ୍ୱସନା ମିଛ ଥିଲା। ମୁଁ ସାହାଯ୍ୟ ପାଇଁ ନେହୁରା ହୋଇଥିଲି। କିନ୍ତୁ ସେମାନେ ଆମକୁ ଏକା ଛାଡ଼ିଦେଲେ। ଆମେ ଏକାକ ଲଢ଼ିଲୁ।’ ଯୁଦ୍ଧ ଜର୍ଜରିତ ଦେଶ ୟୁକ୍ରେନ୍ ରାଷ୍ଟ୍ରପତି କ୍ଷୋଭର ସହ ଏହା କହିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି କହିଛନ୍ତି ଯେ, ନାଟୋ ୟୁକ୍ରେନ୍ ସହ ସାଥ ଦେବା ପାଇଁ ଭୟ କଲା। ସେ କହିଛନ୍ତି ଯେ, ମୁଁ ସେମାନଙ୍କୁ ପଚାରିଲି ଆପଣ ଆମ ସହିତ ଅଛନ୍ତି ତ? ସେମାନେ ହଁ ଭରିଲେ। କିନ୍ତୁ ଆମକୁ ତାଙ୍କ ମେଣ୍ଟରେ ସାମିଲ କଲେନି। ଏମିତି ମୁଁ ଇୟୋରୋପର ୨୭ ଜଣ ନେତାଙ୍କ ସହ ଆଲୋଚନା କରିଛି । ମୁଁ ୟୁକ୍ରେନକୁ ନାଟୋରେ ସାମିଲ କରିବା ପାଇଁ ବହୁ ନିବେଦନ କରିଥିଲି। କିନ୍ତୁ ସେମାନେ ସମସ୍ତେ ଭୟ କଲେ। ଆଉ ଆମେ ଏକା ହୋଇଗଲୁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି । ଯୁଦ୍ଧ ସମୟରେ ଆମେ ଧୋକା ଖାଇଗଲୁ। କେହି ଆମକୁ ସାହାଯ୍ୟ କଲେନି ।
ମସ୍କୋ ସହ ୟୁକ୍ରେନ ଏକା ଲଢ଼ିଲା। ତେବେ ଯୁଦ୍ଧକୁ ନେଇ ରୁଷର ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ସେ ରାଜି ଅଛନ୍ତି। କିନ୍ତୁ ତାଙ୍କ ଦେଶର ସୁରକ୍ଷାକୁ ନିଶ୍ଚିତ ହେବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି । ରୁଷ ଆକ୍ରମଣ କରିବା ପରେ ସେ ନାଟୋ ସଦସ୍ୟଙ୍କ ସହ ଆଲୋଚନା କରି ସାହାଯ୍ୟ ଭିକ୍ଷା ମାଗିଥିଲେ । କିନ୍ତୁ ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ କେହି ସାଥ ଦେଲେନି। ଶୁକ୍ରବାର ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ଆଲୋଚନା ପାଇଁ ରାଜି ଅଛୁ ହେଲେ ୟୁକ୍ରେନ୍ର ସ୍ୱତନ୍ତ୍ର ସତ୍ତାକୁ ଯେପରି ପୂର୍ବଭଳି ବଜାୟ ରୁହେ ସେଥିପାଇଁ ତୃତୀୟ ପକ୍ଷ ଗ୍ୟାରେଣ୍ଟି ରହିବା ଉଚିତ୍।
ସେ କହିଛନ୍ତି ଯେ, ଆମେ ରୁଷକୁ ଭୟ କରୁ ନାହିଁ। ରୁଷ ସହ ଆଲୋଚନା ପାଇଁ ମଧ୍ୟ ଡରୁ ନାହୁଁ। କିନ୍ତୁ ଆମର ସୁରକ୍ଷା କାଏମ ରହିବା ପାଇଁ ଆମେ ଚାହୁଁଛୁ । ଆମେ ଏବେ ନାଟୋ ସହିତ ନାହୁଁ। ତେଣୁ ଆମ ପାଇଁ କିଏ ବାହାରିବ। ଆମର ନିଜସ୍ୱ ସତ୍ତାର ସୁରକ୍ଷା ସୁନିଶ୍ଚିତ କରିବାକୁ କିଏ ଗ୍ୟାରେଣ୍ଟି ଦେବ ? କେଉଁ ଦେଶ ଏଥିପାଇଁ ଆଗେଇ ଆସବ ବୋଲି ସେ ପ୍ରଶ୍ନ କରିଛନ୍ତି। ତଥାପି ରୁଷର ବର୍ବର ଆକ୍ରମଣ ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।