ବେଙ୍ଗାଲୁରୁ: ପ୍ରେମରେ ବିଫଳ ହେବା ପରେ ଉନ୍ମତ୍ତକାଣ୍ଡ ଘଟାଇଲା ପ୍ରେମିକ। ଭଲ ପାଇବାବାର ପ୍ରସ୍ତାବକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିବା ପରେ ହତାଶିଆ ପ୍ରେକିକ ଜଣକ ଭୟଙ୍କର ପ୍ରତିଶୋଧ ନେଇଛି। ସେ ଭଲ ପାଉଥିବା ଯୁବତୀଙ୍କ ଉପରକୁ ଏସିଡ ମାଡ଼ କରିଛି । ଆଜି ବେଙ୍ଗାଲୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏସିଡ ମାଡ଼ରେ ଶିକାର ହୋଇଥିବା ୩୨ ବର୍ଷୀୟ ଯୁବତୀ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ଛୁଆ ଅଛନ୍ତି। ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ଘଟି ମହିଳା ଜଣକର ଛାଡ଼ପତ୍ର ହୋଇଛି। ଏହି ସ୍ୱାମୀ ପରିତ୍ୟକ୍ତା ମହିଳା ଜଣକ ଏବେ ଗୁରୁତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଯୁବତୀ ଜଣକ ବିପଦମୁକ୍ତ ଥିବା ପୁଲିସ କହିଛି।
ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଆଂଶିକ ରିକଭରି ହୋଇଥିବା ଜଣାପଡ଼ିଛି। ତେବେ ଖୁବ୍ଶୀଘ୍ର ସେ ସୁସ୍ଥ ହେବା ନେଇ ଆଶା ଥିବା ମେଡିକାଲର ଜଣେ ଡାକ୍ତର କହିଛନ୍ତି। ତେବେ ଅଭିଯୁକ୍ତ ଅହମ୍ମଦ ଫେରାର ଥିବା ଜଣାପଡ଼ିଛି। ପୁଲିସ କହିଛି ଯେ, ଉଭୟ ପରସ୍ପରକୁ ଜାଣିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ୩ ବର୍ଷ ଧରି ସମ୍ପର୍କ ଥିଲା। ଉଭୟେ ଗୋଟିଏ କମ୍ପାନୀରେ ସାଥି ହୋଇ କାମ କରନ୍ତି।
ଯୁବତୀ ଜଣକକୁ ଅହମ୍ମଦ ଗତ କିଛି ସପ୍ତାହ ଧରି ତାଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ। ଏଥିପାଇଁ ସେ ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ ମଧ୍ୟ କରି ଆସୁଥିଲେ। ଏଥିରେ ଯୁବତୀ ଜଣକ ରାଜି ନହେବାରୁ ଯୁବକ ଜଣକ ଉତକ୍ଷିପ୍ତ ହୋଇପଡ଼ିଥିଲେ। ପ୍ରେମରେ ବିଫଳ ହେବା ପରେ ଆଜି ଯୁବକ ଜଣକ ତାଙ୍କୁ ଏସିଡ୍ ମାଡ଼ କରିଥିଲେ। ୨ ମାସ ପୂର୍ବରୁ ବେଙ୍ଗାଲୁରୁରେ ଆଉ ଜଣେ ମହିଳାଙ୍କୁ ମଧ୍ୟ ଏସିଡି ମାଡ଼ ହୋଇଥିଲା। ଏହି ଘଟଣାରେ ତାମିଲନାଡ଼ୁର ଏକ ଆଶ୍ରମରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।