ଦିଲ୍ଲୀ ଅବକାରୀ ନୀତି: ସିବିଆଇ ଚାର୍ଜଶିଟରେ ନାହିଁ ସିସୋଦିଆଙ୍କ ନାଁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ। ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟ ସିବିଆଇ ଓ ଇଡି ତାଙ୍କୁ ଜେରା କରିବା […]

Manish-sisodia

  • Published: Friday, 25 November 2022
  • , Updated: 25 November 2022, 04:11 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ।

ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟ ସିବିଆଇ ଓ ଇଡି ତାଙ୍କୁ ଜେରା କରିବା ସହ ତାଙ୍କ ଠିକଣାରେ ରେଡ୍‌ ମଧ୍ୟ କରିଥିଲେ। ହେଲେ ଏବେ ସିବିଆଇ ପୂରା ଘଟଣାରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାଁ ହିଁ ନାହିଁ।

ଆଜି ଦିଲ୍ଲୀର ଗୋଟିଏ କୋର୍ଟରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମ ଚାର୍ଜଶିଟ ଦାଖଲ କରିଛି। କିନ୍ତୁ ଏହି ଚାର୍ଜଶିଟରେ ସିସୋଦିଆଙ୍କ ବିଷୟରେ କିଛି ବି କୁହାଯାଇନି। ତାଙ୍କ ନାଁ ଚାର୍ଜଶିଟରେ ନଥିଲେ ମଧ୍ୟ ତାଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ସିବିଆଇ କହିଛି।

ଏହାର ଅର୍ଥ ତାଙ୍କ ବିରୋଧରେ ଏଯାଏ ଦୁର୍ନୀତି କରିଥିବାର ପ୍ରମାଣ ମିଳିନି। ଏହି କାରଣ ପାଇଁ ସମ୍ଭବତଃ ସିବିଆଇ ତାଙ୍କ ନାଁ ଚାର୍ଜଶିଟରେ ଉଲ୍ଲେଖ କରିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଏହା ସିବିଆଇର ପ୍ରଥମ ଚାର୍ଜଶିଟ୍‌। ଏଥିରେ ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ଏହି ୭ ଜଣଙ୍କ ମଧ୍ୟରେ ଆପ୍‌ର କମ୍ୟୁନିକେସନ ଇନଚାର୍ଜ ବିଜୟ ନାଏର ଓ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନପାଲ୍ଲୀଙ୍କ ନାଁ ରହିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ର, ଅଭିଷେକଙ୍କ ସହଯୋଗୀ ଅରୁଣ ପିଲ୍ଲାଇ, ମୁଥୁ ଗୌତମ ଓ ଅବକାରୀ ବିଭାଗର ଦୁଇ ପୂର୍ବତନ କର୍ମଚାରୀ।

ସିବିଆଇ ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ ଏମକେ ନାଗପାଲଙ୍କ ନିକଟରେ ଏପରି ଚାର୍ଜଶିଟ ଦାଖଲ କରାଯାଇଛି। ଚାର୍ଜଶିଟରେ ସିବିଆଇ କହିଛି ଯେ ଘଟଣାରେ ସାମିଲ ଥିବା ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ବିଶେଷ କରି ଲାଇସେନ୍ସ ପ୍ରଦାନରେ ହୋଇଥିବା ଷଡ଼ଯନ୍ତ୍ର ଓ ଆର୍ଥି ନେଣଦେଣ ଦିଗର ତଦନ୍ତ ପେଣ୍ଡିଂ ଅଛି। ପରବର୍ତ୍ତୀ ଅବସ୍ଥାରେ ଘଟଣାର ତଦନ୍ତ କରି ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରାଯିବ ବୋଲି ସିବିଆଇ କହିଛି।

କୋର୍ଟ ଏହି ୧୦ ହଜାର ପୃଷ୍ଠାର ଚାର୍ଜଶିଟ ପାଇବା ପରେ ମାମଲାର ଶୁଣାଣି ନଭେମ୍ବର ୩୦ରେ ହେବ ବୋଲି କହିଛନ୍ତି।

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଗତବର୍ଷ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।

ଗତବର୍ଷ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ଚଳିତ ବର୍ଷ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

Related story