ମନିଷା ବାଲ୍ମିକୀ, ମହିଳା ସୁରକ୍ଷା ଏବଂ ‘ଶବ’ର ମାନବିକ ଅଧିକାର

ସୂର୍ଯ୍ୟମଣି ମିଶ୍ର ଉତ୍ତରପ୍ରଦେଶର ହାଥରସ୍ ଯେଉଁଠି ମନିଷା ବାଲ୍ମିକୀ ନାମ୍ନି ଜଣେ ୨୦ ବର୍ଷିୟା ଝିଅକୁ ଦୁଷ୍କର୍ମ କଲା ପରେ ତାର ଜିଭ କାଟି ଦିଆଗଲା। ଏହା ପରେ ପୁଲିସ ପ୍ରଶାସନ ରାତି ୩ଟା ୩୦ ମିନିଟ ସମୟରେ ମନିଷାଙ୍କ ପରିବାରକୁ ତାଙ୍କ ଶବ ନଦେଇ ତରବରିଆ ଭାବେ ପୋଡ଼ିଦେଲେ। ଏହା ହେଉଛି ୧୪ ସେପ୍ଟେମ୍ବର, ୨୦୨୦ର ଘଟଣା।  ଯାହା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଶ୍ନ ହେଉଛି ଶବ’ର କଣ ସମ୍ମାନର ସହ ସଂସ୍କାରର ଅଧିକାର […]

Hathras

Hathras

Debendra Prusty
  • Published: Tuesday, 06 October 2020
  • Updated: 06 October 2020, 06:12 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

ଉତ୍ତରପ୍ରଦେଶର ହାଥରସ୍ ଯେଉଁଠି ମନିଷା ବାଲ୍ମିକୀ ନାମ୍ନି ଜଣେ ୨୦ ବର୍ଷିୟା ଝିଅକୁ ଦୁଷ୍କର୍ମ କଲା ପରେ ତାର ଜିଭ କାଟି ଦିଆଗଲା। ଏହା ପରେ ପୁଲିସ ପ୍ରଶାସନ ରାତି ୩ଟା ୩୦ ମିନିଟ ସମୟରେ ମନିଷାଙ୍କ ପରିବାରକୁ ତାଙ୍କ ଶବ ନଦେଇ ତରବରିଆ ଭାବେ ପୋଡ଼ିଦେଲେ। ଏହା ହେଉଛି ୧୪ ସେପ୍ଟେମ୍ବର, ୨୦୨୦ର ଘଟଣା।  ଯାହା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଶ୍ନ ହେଉଛି ଶବ’ର କଣ ସମ୍ମାନର ସହ ସଂସ୍କାରର ଅଧିକାର ନାହିଁ କି? ଆଉ ଏକ ପ୍ରଶ୍ନ ହେଉଛି ସରକାରଙ୍କୁ, ହେ ସରକାର  ମନିଷା ଯଦି ଆପଣଙ୍କ ଝିଅ ହୋଇଥାନ୍ତେ, ଆପଣଙ୍କ ଭିତରେ ତ ମଣିଷ ପଣିଆ ନିଶ୍ଚୟ ରହିଛି। ଥରେ କଳ୍ପନା କରନ୍ତୁ ତ ଆପଣଙ୍କ ଝିଅ ଯଦି ମନିଷା ତେବେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଆପଣଙ୍କୁ ଯଦି ବାରଣ କରାଯାଏ ତେବେ ଆପଣଙ୍କ ହୃଦୟ ନିଶ୍ଚୟ ଥରି ଉଠିବ। କୋହରେ ଭାଙ୍ଗିପଡ଼ିବେ ନିଶ୍ଚୟ ଆପଣ। ଆପଣ ଶେଷ ଥରକ ପାଇଁ ତାହାର ଚେହେରାକୁ ମନେ ପକାନ୍ତେ, କାରଣ  ଜନ୍ମଠାରୁ ତାର ଲାଳନ ପାଳନ କରିଛନ୍ତି। ନିଜ ହାତରେ ଖେଳାଇଥିଲେ, ବୁଲାଇ ଥିଲେ, ଚଳାଇ ଥିଲେ, କୋଳରେ ବସାଇ ଥିଲେ, ଆଙ୍ଗୁଳି ଧରି ବାଟ ଚଲାଇଥିଲେ, କାଖେଇ ଥିଲେ, କାନ୍ଧରେ ଧରି ବୁଲାଇଥିଲେ। ଆପଣ ସ୍ୱପ୍ନରେ ଭାବିନଥିଲେ ଯେ, ଆପଣଙ୍କ ଝିଅ ମନିଷା ଏଭଳି ନର ପିଶାଚଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେବ ଆଉ ପୁଲିସ ପ୍ରଶାସନ ଆପଣଙ୍କୁ ତାହାର ଶବଦାହର ସୁଯୋଗ ମଧ୍ୟ ଦେବନାହିଁ। ଏବେ ଆଉ ଏକ କଳ୍ପନା କରନ୍ତୁ ଆପଣ ଯଦି ମନିଷାର ମା’ ହୋଇଥାନ୍ତେ, ଗର୍ଭରେ ୯ ମାସ ଧରି ରଖିଥାନ୍ତେ, କ’ଣ ଆପଣ ଶେଷ ଥର ପାଇଁ ହଳଦୀ ବୋଳିବାର ସୁଯୋଗ ପାଇନଥାନ୍ତେ କି? ମଥାରେ ଚୁମା ଦେବା ପାଇଁ ଯଦି ବନ୍ଦ କରାଯାଇଥାନ୍ତା, ସଂସ୍କାର ସ୍ଥାନକୁ ଯିବାକୁ ବାଧା ଦିଆଯାଇଥାନ୍ତା ତେବେ ଆପଣ ନିଶ୍ଚୟ କାନ୍ଦିଥାନ୍ତେ। ଭୂମିରେ ଲୋଟିପଡ଼ି ଚିତ୍କାର କରିଥାନ୍ତେ। ଏଭଳି ଦୃଶ୍ୟ ମନୁଷ୍ୟକୁ ଜନ୍ମ ଦେଇଥିବା ବାପା ମା’ଙ୍କ ଠାରେ ଦେଖିବାକୁ ମିଳିଛି। ଶାସନ-ପ୍ରଶାସନ-ପୁଲିସ ମିଳିମିଶି ଷଡ଼ଯନ୍ତ୍ର କରି ମନିଷାଙ୍କ ଶବକୁ ପୋଡ଼ିଦେଲେ। ଯାହା ଅସମ୍ମାନଜନକ ଥିଲା। ମନିଷା ସାମାଜିକ ସ୍ତରରେ ଥିଲେ ଦଳିତ। ଆର୍ଥିକ କ୍ଷେତ୍ରରେ ଥିଲେ ଦୁର୍ବଳ। ରାଜନୈତିକ ସ୍ତରରେ ଥିଲେ ଅତି ଦୁର୍ବଳ। ତେଣୁ ମୃତ୍ୟୁ ପରେ ବି ତାଙ୍କ ଶବକୁ ଅସମ୍ମାନ କରାଗଲା। ଭାରତର ସମ୍ବିଧାନର ମୌଳିକ ଅଧିକାର ମଧ୍ୟରେ ଶବର ମଧ୍ୟ ମାନବିକ ଅଧିକାର ରହିଛି।

ମାନବାଧିକାର ନା କେବଳ ଜୀବିତ ମନୁଷ୍ୟଙ୍କର ରହିଛି ବରଂ ‘ଶବ’ର ମଧ୍ୟ। ସମ୍ବିଧାନର ମୌଳିକ ଅଧିକାର ମଧ୍ୟରେ ଗୋଟିଏ ଅଧିକାର ହେଉଛି ସମ୍ମାନର ସହ ବଞ୍ଚିବାର ଅଧିକାର। ଏହି ଅଧିକାର ମାନବୀୟ ମୂଲ୍ୟ, ଜୀବନର ମୌଳିକ ଆବଶ୍ୟକତା ଅନୁଯାୟୀ ଦିଆଯାଇଛି। ଏହି ଅଧିକାର ଅନୁଯାୟୀ ମୃତ୍ୟୁ ପରେ ‘ଶବ’ର ଅଧିକାର ରହିଛି। ନିକଟରେ ରାଜସ୍ଥାନର ମାନବିକ ଅଧିକାର କମିଶନ ଏ ସଂପର୍କରେ ମତ ଦେଇ କହିଛନ୍ତି ଯେ, ସମ୍ମାନଜନକ ଭାବେ ଅନ୍ତିମ ସଂସ୍କାର ହେବା ଉଚିତ୍। ‘ଶବ’କୁ ଅପମାନଜନକ ଭାବରେ ପ୍ରଦର୍ଶିତ କରାନଯିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିବା ଉଚିତ୍ ବୋଲି କମିଶନ୍ ନିଜ ସୁପାରିଶରେ କହିଛନ୍ତି। ଶବ’ ରଖି ଦାବି କରିବାର ପ୍ରବୃତ୍ତି ଠାରୁ ଦୂରେଇ ଯିବାର ଆବଶ୍ୟକତା ଉଚିତ୍। କମିଶନ ଆପତ୍ତି ଉଠାଇ କହିଛନ୍ତି ଯେ, ‘ଶବ’ ପ୍ରତି ଅସମ୍ମାନଜନକ ବ୍ୟବହାର ଏହା ମାନବିକ ଅଧିକାରର ଉଲ୍ଲଙ୍ଘନ। ସେ ସରକାରଙ୍କୁ ନିଜ ସୁପାରିଶରେ ଜଣାଇଛନ୍ତି ‘ଶବ’ ରଖି ଦାବି କରିବାର ପ୍ରିକ୍ରିୟାକୁ ନିୟନ୍ତ୍ରଣ କରାଯାଉ। ଏପରି କାର୍ଯ୍ୟକୁ ଦଣ୍ଡନୀୟ ଅପରାଧ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ‘ଶବ’କୁ ଅନାବଶ୍ୟକ ଭାବରେ ଘରେ ରଖିବା ଏବଂ ସାର୍ବଜନିକ ସ୍ଥାନରେ ରଖିବା ଦଣ୍ଡନୀୟ ବୋଲି ଆଇନ ପ୍ରଣୟନ କରାଯାଉ। ଏହିପରି ଶବକୁ କୌଣସି ଆନ୍ଦୋଳନ ପାଇଁ ଉପଯୋଗ କରାନଯାଉ। ଏପରି କରାଯାଉ ଯେ, ଶବକୁ ଅସମ୍ମାନ କଲେ ରାଜ୍ୟ ସରକାର ଶବ ସଂସ୍କାରର ଦାୟିତ୍ୱ ନିର୍ବାହ କରନ୍ତି। ଅଧିକ ସମୟ ଯାଏ ଶବକୁ ନରଖିବା ପାଇଁ ନିୟମ ପ୍ରଣୟନ ହେଉ। କମିଶନଙ୍କ କହିବା କଥା ଶବର ଦୁରୁପଯୋଗ ଆଦୌ ଗ୍ରହଣୀୟ ନୁହେଁ। ସମତା ପୂର୍ବକ  ଅନ୍ତିମ ସଂସ୍କାରର ଅଧିକାରକୁ ସୁନିଶ୍ଚିତ କରାଯାଉ। ମାନନୀୟ ସୁପ୍ରିମକୋର୍ଟ ଅନେକ ନିଷ୍ପତ୍ତିରେ ଏହା କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ-୨୧(ଜୀବନର ଅଧିକାର)ରେ ରାଇଟ୍ ଟୁ ଡିସେଣ୍ଟ ବରିଆଲ୍ ସଂଯୁକ୍ତ। ଅନ୍ତିମ ସଂସ୍କାର ମୃତକଙ୍କ ଧାର୍ମିକ ବିଶ୍ୱାସ ଆଧାରରେ ହେବା ଉଚିତ୍ ଏବଂ ଏହା ବୁରିଆଲ୍‌ର ଅଧିକାର ଅନ୍ତର୍ଭୁକ୍ତ। ଇଣ୍ଟରନ୍ୟାସନାଲ୍ ଲ’ରେ ମଧ୍ୟ ଏହି ବ୍ୟବସ୍ଥା ରହିଛି। ଏହି କାରଣରୁ ଯୁଦ୍ଧରେ ମୃତ ସୈନିକଙ୍କ ଶବକୁ ଶତ୍ରୁ ଦେଶକୁ ସମର୍ପି ଦିଆଯାଏ। ମୃତ ସୈନିକଙ୍କ ବିଶ୍ୱାସ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ। ଅନୁଚ୍ଛେଦ-୧ରେ ଏହା ସୂଚାଇ ଦିଆଯାଇଛି।

ଆମ ସମାଜରେ ଆଜି ଏପରି ସ୍ଥିତି ଦେଖିବାକୁ ମିଳୁଛି ଯେଉଁଠି ମନ ହେଉଛି ଝିଅ ହେବା, ଦଳିତ ହେବା, ଆଦିବାସୀ ହେବା, ପଛୁଆବର୍ଗର ହେବା ଗୋଟିଏ ଗୋଟିଏ ଅଭିଶାପର ବିଷୟ। ନିର୍ଭୟା କାଣ୍ଡ ଘଟଣା ହେଉ ବା ହାଇଦ୍ରାବାଦର ଡାକ୍ତରଙ୍କ ଉପରେ ପାଶବିକ ଅତ୍ୟାଚାର ଘଟଣା ହେଉ, ଆମ ଓଡ଼ିଶାର ଇତିଶ୍ରୀ ହେଉ ଅବା ବେବିନା, ନିକଟରେ ଉତ୍ତରପ୍ରଦେଶର ମନିଷାଙ୍କ ଘଟଣା। ଯାହା ସୂଚାଇ ଦେଉଛି ସାମନ୍ତୀ ମାନସିକତା ତଥା ପୁରୁଷବାଦୀ ମାନସିକତା ଏବେବି ଅପରିବଲର୍ତ୍ତିତ ରହିଛି। କଥାରେ କଥାରେ ଆମ ଦେଶର ବଡ଼ପଣ୍ଡାମାନେ କହନ୍ତି, ଯେଉଁଠି ନାରି ପୂଜା ପାଆନ୍ତି ସେଠାରେ ଦେବତା ଥାଆନ୍ତି। ଆଉ ସେଥିପାଇଁ ତ କନ୍ୟା ପୂଜନ ତଥା ଶକ୍ତିପୂଜା ବର୍ଷରେ ଥରେ ଥରେ ହୁଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଆଜି ଆମ ଦେଶର ଶାସନ-ପ୍ରଶାସନରେ ଏପରି କିଛି ସାମନ୍ତୀ ମାନସିକତାର ମଣିଷ ରହିଛନ୍ତି ଯେଉଁମାନେ ଏଭଳି ବର୍ବରକାଣ୍ଡ ଭିଆଇ ସମଗ୍ର ସମାଜ ପାଇଁ ନାରୀଙ୍କ ପ୍ରତି ଅସମ୍ମାନ ଘଟଣା ଘଟାଇ ଚାଲିଥିଲେ ମଧ୍ୟ ବ୍ୟଥିତ ହୁଅନ୍ତି ନାହିଁ। ଆମ ଓଡ଼ିଶାର ପ୍ରସଙ୍ଗକୁ ଏଠାରେ ଉଲ୍ଲେଖ କରିବା ଉଚିତ୍ ହେବ। ଓଡ଼ିଶାରେ ମହିଳା ଅସୁରକ୍ଷିତ। ମହିଳାଙ୍କ ପ୍ରତି ୨୦୧୭ରେ ୨୦ହଜାର ୮୯୮, ୨୦୧୮ ୨୦ହଜାର ୨୭୪, ୨୦୧୯ରେ ୨୩ ହଜାର ୧୮୩ ଅପରାଧ ଘଟଣା ଘଟିଛି।

୭ ବର୍ଷ ପୂର୍ବରୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିଜେପିର ନାରା ଥିଲା ‘ବହୁତ ହୁଆ ମହିଳା ପର୍ ବା ଅବ୍‌କି ବାର୍ ମୋଦି ସରକାର’ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି ‘ଗାଁକୁ କାମ ମା’କୁ ସମ୍ମାନ’। କିନ୍ତୁ କଣ ଘଟି ଚାଲିଛି ଦେଶ ଓ ରାଜ୍ୟରେ? ମନିଷାଙ୍କ ଭଳି ଗତ ୭ ବର୍ଷରେ ୨ଲକ୍ଷ ୪୮ ହଜାର ୬୦୦ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହା ଦେଶର ଚିତ୍ର। ଓଡ଼ିଶାର ଚିତ୍ର ତ ପୂର୍ବରୁ ସୂଚାଇ ଦିଆଯାଇଛି। ବିଶ୍ୱର ଏକ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ରରେ ତଥା ଆମ ରାଜ୍ୟ ଓଡ଼ିଶାରେ କେତେ ଯେ ମନିଷା ଟଳି ପଡୁଛନ୍ତି ଆଉ ଦୁଷ୍କର୍ମର ଶିକାର ହୋଇ ହଜି ଯାଉଛନ୍ତି ତାହାର ହିସାବ ରଖାଯାଉନାହିଁ। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ‘ଶବକୁ’ ମଧ୍ୟ ସମ୍ମାନ ମିଳୁନି ଯାହା ସମ୍ବିଧାନ ପ୍ରଦତ୍ତ ଅଧିକାର ତଥା ସମତା ପୂର୍ବକ ଅନ୍ତିମ ସଂସ୍କାର ବିରୋଧରେ ଯାଉଛି। ଦେଶର ଓ ରାଜ୍ୟର ସରକାର କେବେ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବେ ଏବଂ ଶବକୁ ସମ୍ମାନ ପ୍ରଦାନ କରିବେ ତାହା ନେଇ ପ୍ରଶ୍ନ ଉଠିଛି। ଆଉ ଦେଶରେ ଦେଖାଦେଇଛି ଆନ୍ଦୋଳନ ସମତାପୂର୍ବକ ବଂଚିବାର ଅଧିକାରକୁ ନେଇ ଓ ସମତାପୂର୍ବକ ଅନ୍ତିମ ସଂସ୍କାର ପାଇଁ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଦୂରଭାଷ: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos