ସନ୍ଧ୍ୟା ୫ରୁ ଭୋର ୫ ଯାଏ ସମୁଦ୍ର କୂଳ ଓ ପାର୍କ ମନା, ୧୫ ଯାଏ କଟକଣା

ମୁମ୍ବାଇ: ୨୦୨୧ ବର୍ଷର ଶେଷ ଦିନରେ କରୋନା ପାଇଁ କଡ଼ା କଟାକଣା ଲାଗୁ ହୋଇଛି। ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ମୁମ୍ବାଇ ପୁଲିସ୍‌ ଆଜି ନୂଆ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରୁ ଭୋର ୫ ଯାଏ କେହି ବି ସମୁଦ୍ର କୂଳ, ପାର୍କ, ଖୋଲା ପଡ଼ିଆ ଓ ଚାଲିବା ପାଇଁ ଉର୍ଦ୍ଦିଷ୍ଟ ଥିବା ସ୍ଥାନଗୁଡ଼ିକୁ ଯାଇ ପାରିବେ ନାହିଁ। ଏହି ନିୟମ ଆଜି ସନ୍ଧ୍ୟା ୫ଟାରୁ ଜାନୁଆରୀ ୧୫ […]

sea

Hemant Lenka
  • Published: Friday, 31 December 2021
  • , Updated: 31 December 2021, 03:07 PM IST

ମୁମ୍ବାଇ: ୨୦୨୧ ବର୍ଷର ଶେଷ ଦିନରେ କରୋନା ପାଇଁ କଡ଼ା କଟାକଣା ଲାଗୁ ହୋଇଛି। ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ମୁମ୍ବାଇ ପୁଲିସ୍‌ ଆଜି ନୂଆ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ, ଆଜି ସନ୍ଧ୍ୟା ୫ଟାରୁ ଭୋର ୫ ଯାଏ କେହି ବି ସମୁଦ୍ର କୂଳ, ପାର୍କ, ଖୋଲା ପଡ଼ିଆ ଓ ଚାଲିବା ପାଇଁ ଉର୍ଦ୍ଦିଷ୍ଟ ଥିବା ସ୍ଥାନଗୁଡ଼ିକୁ ଯାଇ ପାରିବେ ନାହିଁ। ଏହି ନିୟମ ଆଜି ସନ୍ଧ୍ୟା ୫ଟାରୁ ଜାନୁଆରୀ ୧୫ ଯାଏ ବଳବତ୍ତର ରହିବ।

ମୁମ୍ବାଇରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ଏଠାରେ ୧୪୪ ଧାରା ଲାଗୁ କରାଯାଇଥିଲା। ତଥାପି ସଂକ୍ରମଣରେ ବ୍ରେକ ଲାଗୁ ନଥିବାରୁ ମୁମ୍ବାଇ ପୁଲିସ୍‌ ନୂଆବର୍ଷର ଠିକ୍‌ ପୂର୍ବରୁ ନୂଆ ଗାଇଡଲାଇନ ଜାରି କରିଛି।

ମୁମ୍ବାଇ ପୁଲିସ୍‌ ଜାରି କରିଥିବା ଗାଇଡଲାଇନ ଆଜି ଦିନ ୧ଟାରୁ ହିଁ ଲାଗୁ ହୋଇଛି। ଗାଇଡଲାଇନରେ ସମସ୍ତ ପ୍ରକାରର ଭିଡ଼ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି। ଏହି ନିୟମ ୧୫ ତାରିଖ ଯାଏ ଲାଗୁ ହେବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ଏସ୍‌ ଚୈତନ୍ୟ ସୂଚନା ଦେଇଛନ୍ତି।

ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମୁମ୍ବାଇରେ ଏବେ ବି ସଂକ୍ରମଣ ବଢ଼ୁଛି। ଏହା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଛି। ମାନବ ଜୀବନ ପ୍ରତି ରହିଥିବା ବିପଦ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସଂକ୍ରମଣକୁ ହ୍ରାସ କରିବା ପାଇଁ ଏପରି କଟକଣା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫,୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଗତକାଲି ତୁଳନାରେ ୩୭% ଅଧିକ। ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୯୮ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ମୁମ୍ବାଇ କଥା ବିଚାରକୁ ନେଲେ, ଗୋଟିଏ ଦିନରେ ୩,୬୭୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏହା ବୁଧବାର ତୁଳନାରେ ୪୬% ଅଧିକ। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯୦ ଜଣ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି। ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଞ୍ଚିବାର କ୍ଷମତା ରଖିଛି। ଏଥିପାଇଁ ମୁମ୍ବାଇ ପୁଲିସ୍‌ କଟକଣା ଲଗାଇବା ଆରମ୍ଭ କରିଛି।

Related story