ନୂଆଦିଲ୍ଲୀ: କଟକର ମହାନଦୀପଠାରେ ହେଉଥିବା ନିର୍ମାଣ କାର୍ଯ୍ୟରେ ବାଜିଛି ଏନ୍ଜିଟି ଛାଟ। ମହାନଦୀପଠାରେ ତିଆରି ହେଉଥିବା ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୋଭମେଣ୍ଟ ଉପରେ ରୋକ ଲଗାଇ ନିର୍ମାଣ କାର୍ଯ୍ୟକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ନିଷିଦ୍ଧ କରିଛନ୍ତି। ସେହିପରି ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ । ମହାନଦୀକୁ ନେଇ ଏଭଳି ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ଅନ୍ୟାଦେଶ ନ ଆସିବା ଯାଏଁ ମହାନଦୀ ପଠାରେ କୌଣସି ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ଏନଜିଟି । କଟକର ଜୋବ୍ରା ବ୍ୟାରେଜ୍ରେ ଅତ୍ୟଧିକ ଜଳ ପ୍ରବାହକୁ ହ୍ରାସ କରିବା ପାଇଁ ଏହି ନିର୍ମାଣ କରାଯାଉଛି। ତେବେ ଏହା ନଦୀର ଇକୋ ସିଷ୍ଟମକୁ ପ୍ରଭାବିତ କରିବା ସହ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆବେଦନରେ ଦର୍ଶାଯାଇଛି।
ତେବେ ସେଠାରେ କୌଣସି ସ୍ଥାୟୀ ନିର୍ମାଣ ହୋପାରିବ ନାହିଁ ବୋଲି ଏନଜିଟି ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପଠାରେ ହେଥିବା ନିର୍ମାଣ ପାନୀୟ ଜଳ ଯୋଗାଣ ଉପରେ ପ୍ରଭାବ ପକାଇବ । ଏଥିସହ ସହରରେ ବନ୍ୟା ସୃଷ୍ଟି ପାଇଁ ମୁଖ୍ୟ କାରଣ ପାଲଟିବ। ଆବେଦନ ପରେ ଯାଞ୍ଚ ପାଇଁ ଏନଜିଟି ପକ୍ଷରୁ ଏକ ପ୍ୟାନେଲ ଗଠନ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଓକିଲ ଦର୍ଶାଇଥିଲେ । ଉକ୍ତ ନଦୀପଠାରେ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଥିବା ବେଳେ ରିଭର ଫ୍ରଣ୍ଟ ନେଇ ମଧ୍ୟ ନିର୍ମାଣ ଚାଲିଥିଲା। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଚ ମେଡିକାଲ କଲେଜ(ଏସ୍ସିବି)ର ନବକଳେବର, ବରଫି (ବାଲିଯାତ୍ରା ରିଭର୍ ଫ୍ରଣ୍ଟ ପ୍ରୋଜେକ୍ଟ)ରେ ମଧ୍ୟ ବହୁବିଧ ବିକାଶ ପାଇଁ ମହାନଦୀର ଶଯ୍ୟାକୁ ବାଲିରେ ପୋତାଯାଉଛି। ବାଲିଯାତ୍ରା ପଡ଼ିଆକୁ ମଧ୍ୟ ବାଲିରେ ପୂରଣ କରାଯାଉଛି।
ତେବେ ପରିବେଶ ସୁରକ୍ଷା ଓ ମହାନଦୀ ପଠାର ସୁରକ୍ଷା ଉପରେ ଏନଜିଟି ଗୁରୁତ୍ୱାରୋପ କରିବା ସହିତ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ନଦୀଶଯ୍ୟା ସହିତ ପରିବେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ତିନି ମାସ ଭିତରେ କମିଟି ରିପୋର୍ଟ ଦାଖଲ କରିବ । କମିଟି ନିକଟରେ ଆବେଦନକାରୀ ଓ ରାଜ୍ୟ ସରକାର ନିଜ ପକ୍ଷ ରଖିବାକୁ କୁହାଯାଇଛି । ୭ଜଣିଆ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଆସନ୍ତା ଅପ୍ରେଲ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ମେ’ ମାସ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।