ପାଟନା: ବିହାରର ସାରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୨୦୦ରେ ପହଞ୍ଚିଛି। ଗୁରୁତର ଅସୁସ୍ଥ ଲୋକଙ୍କ ଚିକିତ୍ସା କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ବିହାର ରାଜନୀତି ସରଗରମ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୨୬ ଜଣ ଚୋରା ମଦ ବେପାରୀଙ୍କୁ ଧରାଯାଇଥିଲା ବେଳେ ମୋଟ ୪୦୦୦ ଲିଟର ଦେଶୀମଦ ଜବତ କରାଯାଇଥିବା କୁହାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ମାନବ ଅଧିକାର ଆୟୋଗ ପ୍ରତ୍ୟେକ୍ଷ ଭାବେ ଏହାର ତଦନ୍ତ ଲାଗି ଏକ ଦଳକୁ ଘଟଣାସ୍ଥଳକୁ ପଠାଇବାକୁ ନିଷ୍ପତ୍ତି ନେଇଛି।
ଅସୁସ୍ଥମାନଙ୍କୁ କେଉଁଠାରେ ଏବଂ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଛି ତାହା ଜାଣିବାକୁ ଆୟୋଗ ଚାହୁଁଛନ୍ତି। ଆୟୋଗ କହିଛନ୍ତି ଯେ ଅଧିକାଂଶ ପୀଡିତ ଲୋକ ଗରିବ ପରିବାରର ଅଟନ୍ତି। ସେମାନଙ୍କ ପାଇଁ ଘରୋଇ ଡାକ୍ତରଖାନାରେ ବ୍ୟୟବହୁଳ ଚିକିତ୍ସା ସମ୍ଭବ ନୁହେଁ।
ଆୟୋଗ କହିଛନ୍ତି, ପୀଡ଼ିତଙ୍କୁ ରାଜ୍ୟ ସରକାର ଯଥା ସମ୍ଭବ ଚିକିତ୍ସା ଯୋଗାଇଦେବା ଉଚିତ୍। ଏକ ବିଜ୍ଞପ୍ତିରେ ଆୟୋଗ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ରିଲିଫ୍ ଏବଂ ଥଇଥାନ ବିଷୟରେ ଜାଣିବାକୁ ଆୟୋଗ ଚାହାଁନ୍ତି ଏବଂ ସାରା ରାଜ୍ୟରେ ଥିବା ବେଆଇନ ମଦ ଭାଟି ହଟାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜାଣିବାକୁ ଚାହାନ୍ତି। ଏହା ପୂର୍ବରୁ ମାନବାଧିକାର ଆୟୋଗ ବିହାରର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।