ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶଙ୍କ ଉଦ୍ୟମ ଜାରି, ଶରଦ ପାୱରଙ୍କୁ ଭେଟିଲେ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ୟମ ଜାରି ରହିଛି। ସେ ରାଜଧାନୀ ଦିଲ୍ଲୀ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏକାଧିକ ବାମଦଳର ନେତାଙ୍କୁ ନୀତୀଶ କୁମାର ଭେଟିଥିଲେ। ଏବେ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ସାକ୍ଷାତ କରି ଆଗାମୀ ରଣନୀତି ସମ୍ପର୍କରେ […]

nitish-kumar

  • Published: Wednesday, 07 September 2022
  • , Updated: 07 September 2022, 06:46 PM IST

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉଦ୍ୟମ ଜାରି ରହିଛି। ସେ ରାଜଧାନୀ ଦିଲ୍ଲୀ ଆସି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏକାଧିକ ବାମଦଳର ନେତାଙ୍କୁ ନୀତୀଶ କୁମାର ଭେଟିଥିଲେ।

ଏବେ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ସାକ୍ଷାତ କରି ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଆଜି ସକାଳେ ସେ ସିପିଆଇଏମଏଲର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଭେଟିଥିଲେ।

ଏହି ଭେଟଘାଟ ପରେ ନୀତୀଶ କୁମାର କହିଛନ୍ତି, “ମୁଁ ବିରୋଧୀ ମେଣ୍ଟର ନେତା ହୋଇ ନ ପାରେ। କିନ୍ତୁ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିବି। ବିଜେପି ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାହୁଁଛି। ଯଦି ସମସ୍ତେ ମିଳିତ ଭାବେ ନିର୍ବାଚନ ଲଢ଼ିବେ, ତା’ହେଲେ ରେଜଲ୍ଟ ଭିନ୍ନ ହେବ। ଆମେ ସବୁ ଲୋକଙ୍କ ସହ କଥାବାର୍ତ୍ତା ଜାରି ରଖିଛୁ।”

ସୋମବାର ଠାରୁ ନୀତୀଶ କୁମାର ଦିଲ୍ଲୀରେ ରହିଛନ୍ତି। ବିଜେପି ବିରୋଧରେ ମେଳି କରିବାକୁ ସେ ଏଠାକୁ ଆସିଛନ୍ତି। ଏହି ୩ ଦିନ ମଧ୍ୟରେ ସେ ରାହୁଲ ଗାନ୍ଧି ଓ କେଜ୍ରିୱାଲଙ୍କ ବ୍ୟତୀତ ଜେଡିଏସ୍‌ର ଏଚଡି କୁମାରସ୍ୱାମୀ, ସିପିଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳର ଓମ ପ୍ରକାଶ ଚୌତାଲା ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି।

ନୀତୀଶ କୁମାର ବିଜେପି ଠାରୁ ଅଲଗା ହୋଇଯାଇଥିବାରୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ସେ ମଧ୍ୟ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି। ହେଲେ ଏଯାଏ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇନାହାନ୍ତି କିମ୍ବା ନୀତୀଶ କୁମାର ଯେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ସେକଥା କହିନାହାନ୍ତି।

ନୀତୀଶ କୁମାରଙ୍କ ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନୀତୀଶ କୁମାର ଆଗକୁ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ବିରୋଧୀ ମେଳିରେ ସାମିଲ ହେବାକୁ ଉସକାଇ ପାରନ୍ତି। ସେହିପରି ମମତା ବାନାର୍ଜୀଙ୍କୁ ମଧ୍ୟ ସେ ଭେଟିବାର କାର୍ଯ୍ୟ ରହିଛି।

Related story