ଇସଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଟେଲିଭିଜନ ଡିବେଟ କରିବାକୁ ଚାହୁଁଛନ୍ତି ଇମ୍ରାନ୍ ଖାନ୍। ଭାରତ ସ୍ୱାଧିନ ହେବା ପରଠାରୁ ଉଭୟ ଦେଶ ମଧ୍ୟରେ ୭୫ ବର୍ଷ ଧରି ସମ୍ପର୍କ ଭଲ ନାହିଁ। ଦେଶ ସ୍ୱାଧୀନ ହେବାଠାରୁ ଉଭୟ ଦେଶ ମଧ୍ୟରେ ୩ଟି ଯୁଦ୍ଧ ସଙ୍ଗଠିତ ହୋଇଥିବା ବେଳେ ସ୍ଥିତି ଜଟିଳ ରହି ଆସିଛି । ଆଜି ଇମ୍ରାନ୍ ଖାନ୍ କହିଛନ୍ତି ଯେ, ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତର୍କ କରିବାକୁ ଚାହୁଁଛନ୍ତି। ଏକ ସାକ୍ଷାତକାରରେ ରୁସିଆ ଗଣମାଧ୍ୟମ ରୟେଟରକୁ ଏକଥା କହିଛନ୍ତି ଇମ୍ରାନ୍।
ଯଦି ଟେଲିଭିଜନ୍ ଡିବେଟ୍ ମାଧ୍ୟମରେ ସମସ୍ୟା ସମାଧାନ ହୁଏ ତେବେ ଏହା ଭାରତର ଉପମହାଦେଶ ପାଇଁ ଫଳପ୍ରଦ ହେବ। ତେବେ ଇମ୍ରାନଙ୍କ ପ୍ରସ୍ତାବ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ପାକିସ୍ତାନ ସହ ସମ୍ପର୍କ ବାବଦରେ ନିକଟରେ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଆତଙ୍କ ଏବଂ ଆଲୋଚନା ଏକ ସଙ୍ଗେ ଚାଲିପାରିବ ନାହିଁ ବୋଲି ସିଧାସଳଖ ଶୁଣାଇ ଦିଆଯାଇଥିଲା। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକୁ ଦମନ କରୁ। ସେମାନଙ୍କୁ କଠୋର ଦଣ୍ଡ ଦେଉ । ସେହିପରି ଭାରତ-ପାକ୍ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରୁ । ନିଜ ମାଟିରେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି। ସେହିପରି ଅନଧିକୃତ ଭାବେ ଅକ୍ତିଆର କରିଥିବା କଶ୍ମୀର ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଜାରି ରଖିଛି। ଏସବୁ ପ୍ରସଙ୍ଗ ପରେ ଜାତିସଂଘରେ ମତ ରଖିଥିଲା ଭାରତ।
ଏହା ଛଡ଼ା ୨୦୦୮ରେ ମୁମ୍ବାଇ ଆକ୍ରମଣ, ୨୦୧୬ରେ ପଠାନକୋର୍ଟ ଆକ୍ରମଣ ଏବଂ ୨୦୧୯ରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରିଥିଲା ପଠାନକୋର୍ଟ ଆକ୍ରମଣ ପରେ ଭାରତର ବାୟୁ ସେନା ପକ୍ଷରୁ ଏଲଏଏସିରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ସେହିପରି ପୁଲୱାମା ଆକ୍ରମଣ ପରେ ବାଲାକୋର୍ଟ ଆତଙ୍କବାଦୀ ଆଡ୍ଡାରେ ଭାରତର ବାୟୁ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରି ଜବାବ ଦିଆଯାଇଥିଲା।
ଏହି ଦୁଇଟି ଷ୍ଟ୍ରାଇକ୍ କରି ଆତଙ୍କବାଦୀମାନଙ୍କୁ ଭାରତୀୟ ସେନା ଚେତବାନୀ ଦେଇଥିଲା। ଯଦି ଆତଙ୍କବାଦୀମାନେ ପୁନର୍ବାର ଯଦି କିଛି ଅସ୍ଥିରତା ସୃଷ୍ଟି କରନ୍ତି ତେବେ ଭାରତ ମଧ୍ୟ ଚୁପ୍ ବସିବ ନାହିଁ। ଯଦି ପାକିସ୍ତାନ ଆତଙ୍କ ମୁକ୍ତ ପରିବେଶ ତିଆରି କରେ ତେବେ ଆଲୋଚନା ସମ୍ଭବ ବୋଲି ଭାରତ ବାରମ୍ବାର କହି ଆସୁଛି। ତେବେ ମସ୍କୋ ଗସ୍ତରେ ଥିବା ବେଳେ ଇମ୍ରାନଙ୍କ ଉପରୋକ୍ତ ସାକ୍ଷାତକାର ସାମ୍ନାକୁ ଆସିଛି। ସେଠାରେ ସେ ରୁସ୍ ପ୍ରଧାନମନ୍ତ୍ରୀ ଭ୍ଲାଦମିରି ପୁଟିନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ଇମ୍ରାନଙ୍କ ଏହା ପ୍ରଥମ ରୁସ ଗସ୍ତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।