କରୋନା ବେଳେ ଆବଶ୍ୟକତା ପୂରଣ ପାଇଁ ୨୮ ମେଟ୍ରିକ ଟନ୍‌ ସୁନା ବିକ୍ରି କରିଛନ୍ତି ଗୁଜରାଟୀ

ଅହମଦାବାଦ: ମହାମାରୀ କରୋନା ସମୟରେ ନିଜର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରିଛନ୍ତି। ବିଶେଷ କରି ମେଡିକାଲ ଖର୍ଚ୍ଚ ତୁଲାଇବା ପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୁଜରାଟର ଲୋକମାନେ ନିଜ ପାଖରେ ଥିବା ସୁନାକୁ ବିକ୍ରି କରିଛନ୍ତି। ମହାମାରୀ ଆରମ୍ଭ ହେବା ଦିନ ଠାରୁ ଇତି ମଧ୍ୟରେ ଗୁଜରାଟୀମାନେ ପ୍ରାୟ ୨୮ ମେଟ୍ରିନ […]

Gold

Hemant Lenka
  • Published: Friday, 21 January 2022
  • , Updated: 21 January 2022, 03:39 PM IST

ଅହମଦାବାଦ: ମହାମାରୀ କରୋନା ସମୟରେ ନିଜର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରିଛନ୍ତି। ବିଶେଷ କରି ମେଡିକାଲ ଖର୍ଚ୍ଚ ତୁଲାଇବା ପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ପ୍ରକାଶ ପାଇଥିଲା।

ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୁଜରାଟର ଲୋକମାନେ ନିଜ ପାଖରେ ଥିବା ସୁନାକୁ ବିକ୍ରି କରିଛନ୍ତି। ମହାମାରୀ ଆରମ୍ଭ ହେବା ଦିନ ଠାରୁ ଇତି ମଧ୍ୟରେ ଗୁଜରାଟୀମାନେ ପ୍ରାୟ ୨୮ ମେଟ୍ରିନ ଟନର ସୁନା ବିକ୍ରି କରି ନିଜର ଆର୍ଥିକ ଆବଶ୍ୟକତାକୁ ପୂରଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ବିଶ୍ୱ ସୁନା ପରିଷଦ(ଡବ୍ଲ୍ୟୁଜିସି)ର ଆକଳନ ଅନୁଯାୟୀ, ୨୦୨୦ ଏପ୍ରିଲ ମାସରୁ ୨୦୨୧ ଡିସେମ୍ବର ମଧ୍ୟରେ ଭାରତର ଲୋକମାନେ ପ୍ରାୟ ୧୪୨ ମେଟ୍ରିନ ଟନ୍‌ ସୁନା ବିକ୍ରି କରିଛନ୍ତି। ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନେ ଏପରି ପଦକ୍ଷେପ ନେଇଥିଲେ। ଏହା ମଧ୍ୟରୁ କେବଳ ଗୁଜରାଟୀମାନଙ୍କ ଭାଗ ୨୦% ରହିଛି।

ବିଶେଷଜ୍ଞଙ୍କ ମତରେ ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ଆର୍ଥିକ ପରିସ୍ଥିତି ସବୁ କ୍ଷେତ୍ର ଓ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା। ପରବର୍ତ୍ତୀ ସମୟରେ କିଛି ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରିଥିଲେ ହେଁ ଅନେକ ଲୋକ ଏବେ ବି ସମସ୍ୟାରେ ରହିଛନ୍ତି। ଆଇବିଜେଏର ହରେଶ ଆଚାର୍ଯ୍ୟ କହିଛନ୍ତି, ମହାମାରୀ ଆରମ୍ଭ ହେବା ଦିନ ଠାରୁ ଟ୍ରେଡ ଓ ଇଣ୍ଡଷ୍ଟ୍ରୀ ସେକ୍ଟରରେ ସେତେଟା ଆଖି ଦୃଶିଆ ଉନ୍ନତି ଆସିନି।

ଆଇଟି ଓ ଇ-କର୍ମସ ସେକ୍ଟର୍‌ରେ ଆଶାତୀତ ଲାଭ ହୋଇଛି। ହେଲେ ବାକି ନିର୍ମାଣ ସେକ୍ଟର ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଲୋକମାନଙ୍କ ଆୟରେ ଏଯାଏ ସୁଧାର ଆସିନି। କରୋନା ଯୋଗୁ ବନ୍ଦ ରହିଥିବା ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ଭଲ ଭାବେ ଆରମ୍ଭ ହୋଇପାରିନି।

କ୍ଷୁଦ୍ର ବ୍ୟବସାୟୀମାନେ ବାଧ୍ୟ ହୋଇ ଦୋକାନ ବନ୍ଦ କରି ଦେଇଛନ୍ତି। ସେମାନେ ଏବେ ଅନ୍ୟ କୌଣସି ଉପାୟରେ ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। ଋଣ ପରିଶୋଧ, ଘରର ଖର୍ଚ୍ଚ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଲୋକମାନେ ନିଜ ପାଖରେ ରଖିଥିବା ସୁନାକୁ ବିକ୍ରି କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ମହାମାରୀ କରୋନାର ଦ୍ୱିତୀୟ ୱେଭ ବେଳେ ଅନେକ ଲୋକ ସେମାନଙ୍କ ଘରର ରୋଜଗାର କରୁଥିବା ଲୋକଙ୍କୁ ହରାଇଛନ୍ତି। ଗ୍ରାମାଞ୍ଚଳ ସ୍ଥିତି ଆହୁରି ଖରାପ। ଗ୍ରାମାଞ୍ଚଳର ଲୋକମାନେ ନିଜର ମେଡିକାଲ ଆବଶ୍ୟକତା ପୂରଣ କରିବା ପାଇଁ ସୁନା ଠାରୁ ଆରମ୍ଭ କରି ମୂଲ୍ୟବାନ ଜିନିଷ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।

ଫଳରେ ସୁନା ବିକ୍ରି କରି ଲୋକେ ନଗଦ ଟଙ୍କା ହାସଲ କରିଛନ୍ତି। ମହାମାରୀ ଯୋଗୁ ଭାରତରେ ସୁନାର ରି-ସାଇକେଲିଂ ପ୍ରାୟ ୧୫% ବଢ଼ିଛି। ଏହାର ଅର୍ଥ ଲୋକମାନେ ଅଧିକରୁ ଅଧିକ ସୁନା ବିକ୍ରି କରି ନିଜର ଆବଶ୍ୟକତା ପୂରଣ କରୁଥିବା ରିପୋର୍ଟ ପ୍ରକାଶ ପାଇଛି।

Related story