ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା। ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ କରିଛି ହଲ୍ଲାବୋଲ। କେନ୍ଦ୍ର ସରକାରଙ୍କ ବିରୋଧରେ ସଂସନ ବାହାରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଲୋକସଭାରେ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରି ହଙ୍ଗାମା କରିଛନ୍ତି। ଫଳରେ ବାଚସ୍ପତି ଓମ୍ ବିର୍ଲା ଉଭୟ ଗୃହକୁ ମଧ୍ୟାହ୍ଣ ୧୨ଟା ୨୦ ମିନିଟ୍ ଯାଏଁ ସ୍ଥଗିତ ରଖିଛନ୍ତି।
ଆଜି ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ପାରିତ ହୋଇଥା'ନ୍ତା। ତେବେ ଏହା ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଗାନ୍ଧି ମୂର୍ତ୍ତି ଆଗରେ ସମସ୍ତ ନେତା ମନ୍ତ୍ରୀ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି। ଏହି ଅବସରରେ ଦଳର କାର୍ଯ୍ୟକାରିଣୀ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବିଶେଷ ଭାବେ ଉପସ୍ଥିତ ଥିଲେ।
ଲୋକସଭାରେ କୃଷକଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଡ଼ନ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଆଜି ସଂସଦର ପ୍ରଥମ ଦିନ, ଜନତା ସବୁ ଦେଖୁଛି ବୋଲି କହିଛନ୍ତି। ସେପଟେ ପ୍ରଧନାମନ୍ତ୍ରୀ ମୋଦି ସଂସଦରେ ଶାନ୍ତି ବଜାୟ ରଖି ପ୍ରଶ୍ନ ପ୍ରଚାରିବା ପାଇଁ ବିରୋଧୀଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୁଝାମଣା ଏବଂ ଏକତା ସହିତ ଜାତୀୟ ସ୍ୱାର୍ଥର ବିଷୟ ଉପରେ ଆଲୋଚନା କରିବା ଆବଶ୍ୟକ। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ଅପିଲଙ୍କୁ ବିରୋଧୀ ମାନି ନାହାନ୍ତି।
ଆଜି ସଂସଦରେ ତିନି କୃଷି ଆଇନ୍ ପ୍ରତ୍ୟାହାର ବିଧେୟକ ପାରିତା ହେବା ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ୍ କରି ଆଜି ସଂସଦରେ ଅନ୍ନଦାତାଙ୍କ ନାଁରେ ସୂର୍ଯ୍ୟ ଉଦୟ ହେବ ବୋଲି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।