ପାଟିତୁଣ୍ଡ ପରେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ସହଯାତ୍ରୀ

କୋଲକାତା: ସୋଶାଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଚମକାଇ ଦେବା ଭଳି ଭିଡିଓ। ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଆଉ ଜଣେ ସହ ଯାତ୍ରୀ ଠେଲି ଦେବା ବେଳର ଲୋମହର୍ଷଣକାରୀ ଦୃଶ୍ୟ ଏହି ଭିଡିଓରେ ରହିଛି। ପଶ୍ଚିମବଙ୍ଗର ହାୱାଡା-ମାଲଦା ଟାଉନ ଇଣ୍ଟରସିଟି ଏକ୍ସପ୍ରେସରେ ଏହି ଘଟଣା ଘଟିଛି। ତାରାପୀଠ ରୋଡ ଓ ରାମପୁରହାତ ଷ୍ଟେସନ ମଝିରେ ଯୁବକଙ୍କୁ ସହଯାତ୍ରୀ ଜଣଙ୍କ ଠେଲି ଦେଇଛନ୍ତି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପକ୍ଷରୁ ଜଣଙ୍କୁ […]

train

  • Published: Tuesday, 18 October 2022
  • , Updated: 18 October 2022, 08:24 PM IST

କୋଲକାତା: ସୋଶାଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଚମକାଇ ଦେବା ଭଳି ଭିଡିଓ। ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଆଉ ଜଣେ ସହ ଯାତ୍ରୀ ଠେଲି ଦେବା ବେଳର ଲୋମହର୍ଷଣକାରୀ ଦୃଶ୍ୟ ଏହି ଭିଡିଓରେ ରହିଛି। ପଶ୍ଚିମବଙ୍ଗର ହାୱାଡା-ମାଲଦା ଟାଉନ ଇଣ୍ଟରସିଟି ଏକ୍ସପ୍ରେସରେ ଏହି ଘଟଣା ଘଟିଛି।

ତାରାପୀଠ ରୋଡ ଓ ରାମପୁରହାତ ଷ୍ଟେସନ ମଝିରେ ଯୁବକଙ୍କୁ ସହଯାତ୍ରୀ ଜଣଙ୍କ ଠେଲି ଦେଇଛନ୍ତି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଆଉ କିଛି ଲୋକ ମଧ୍ୟରେ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ହେଉଛନ୍ତି ସଜଲ ଶେଖ। ସେ କୁଆଡ଼େ ଟ୍ରେନରେ ଯାତ୍ରା କରୁଥିବା ସହଯାତ୍ରୀଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର କରିଥିଲେ। ଅନ୍ୟ ଯାତ୍ରୀମାନେ ବସିଥିବା ସିଟ୍‌ରେ ଗୋଡ଼ ଥୋଇ ସେ ଫୋନରେ କଥା ହୋଇଥିଲେ। ସହଯାତ୍ରୀମାନେ ବିରୋଧ କରିବାରୁ ସେ ଧମକ ଦେଇଥିଲେ।

ଏହାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଶେଖଙ୍କ ପାଟିତୁଣ୍ଡ ହୋଇଥିଲା। ଏପରି କି ଟ୍ରେନ ମଧ୍ୟରେ ବ୍ୟକ୍ତି ଜଣଙ୍କ ଶେଖଙ୍କ ସହ ଠେଲାପେଲା କରିଥିଲେ। କିଛି ସେକେଣ୍ଡ ପରେ ସ୍ଥିତି ଏପରି ହୋଇଥିଲା ଯେ ବ୍ୟକ୍ତି ଜଣଙ୍କ ଶେଖଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ। ଚଳନ୍ତା ଟ୍ରେନରୁ ଶେଖ ଖସି ପଡ଼ିଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଆଦୌ ବିଚଳିତ ହୋଇ ନଥିଲେ। ସେ ବେଶ ଆରାମରେ ପୁଣି ଯାଇ ନିଜ ସିଟ୍‌ରେ ବସିଥିଲେ।

ଘଟଣାର କିଛି ସମୟରେ ରେଳ ଧାରଣାରୁ ଶେଖଙ୍କୁ ଜିଆପି ଉଦ୍ଧାର କରିଥିଲା। ଏବେ ତାଙ୍କର ଚିକିତ୍ସା ରାମପୁରହାଟ ମେଡିକାଲରେ ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଶେଖ ହସ୍ପିଟାଲ ବେଡ୍‌ରୁ ପୁଲିସକୁ କହିଛନ୍ତି ଯେ, “ସୈନିଥିଆରୁ ମୁଁ ଟ୍ରେନରେ ଚଢ଼ିଥିଲେ। ମୁଁ ଆମ ଘରକୁ ଯାଉଥିଲି। ମୋ ପାଖରେ ଆଉ ୩ରୁ ୪ ଜଣ ଲୋକ ବସିଥିଲା।

ସେମାନେ ବଡ଼ ପାଟିରେ କଥା ହେବା ସହ ଅତ୍ୟନ୍ତ ଅଶ୍ଳୀଳ କମେଣ୍ଟ କରୁଥିଲେ। ସେଠାରେ ଅନ୍ୟ ମହିଳା ଯାତ୍ରୀ ମଧ୍ୟ ଥିଲେ। ତେଣୁ ମୁଁ ସେମାନଙ୍କୁ ଏପରି ଭାଷା ପ୍ରୟୋଗ ନ କରିବାକୁ କହିଥିଲି। ବାସ୍‌ ଏହା ହିଁ ଥିଲା ମୋ ଭୁଲ।

ଏହାପରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୋ କଲାର ଧରି ମାଡ଼ ମାରିଥିଲେ। ମୁଁ ତାଙ୍କୁ ଡରାଇବା ପାଇଁ ପକେଟରୁ ବ୍ଲେଡ ବାହାର କରିଥିଲି। ହେଲେ ସେ ମୋତେ ଟ୍ରେନରୁ ତଳକୁ ଠେଲି ଦେଇଥିଲେ। ମୁଁ ତଳେ ପଡ଼ିବା ପରେ ଅଚେତ ହୋଇଯାଇଥିଲି। ଚେତା ଫେରିଲା ବେଳକୁ ମୁଁ ରେଳ ଧାରଣାରେ ପଡ଼ିଥିଲି। ମୋ ଗୋଡ଼ହାତ ପ୍ରବଳ ବିନ୍ଧୁ ଥିଲା। ମୋ ମୁଣ୍ଡ ବି ଫାଟି ଯାଇଥିଲା।” ପୁଲିସ୍‌ ଏବେ ଶେଖଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

Related story