ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଯିବା ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ବାକଯୁଦ୍ଧ ଚାଲିଥିବା ବେଳେ ପୂରା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।
ସମ୍ଭବତଃ ଆସନ୍ତାକାଲି ସୁପ୍ରିମକୋର୍ଟ ଏହାର ଶୁଣାଣି କରିପାରନ୍ତି। ସେହିପରି ବିବାଦ ବଢ଼ୁଥିବାରୁ ପଞ୍ଜାବ ସରକାର ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଛନ୍ତି। କେଉଁ କାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟକଲରେ ତ୍ରୁଟି ଦେଖାଗଲା, ତା’ର କାରଣ ଏହି ପ୍ୟାନେଲ ଖୋଜିବ। ପ୍ୟାନେଲ ୩ ଦିନ ଭିତରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ।
ପଞ୍ଜାବ ସରକାର ଗଠନ କରିଥିବା ଦୁଇ ଜଣିଆ କମିଟିରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ଗିଲ ଓ ଗୃହ ଏବଂ ନ୍ୟାୟ ବିଭାଗର ପ୍ରିନ୍ସିପାଲ ସଚିବ ଅନୁରାଗ ବର୍ମା ରହିଛନ୍ତି।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ପ୍ରଥମେ ସେ ହେଲିକପ୍ଟରରେ ଯିବାର ଥିଲା। କିନ୍ତୁ ଖରାପ ପାଣିପାଗ ଯୋଗୁ ୧୦୦ କିମି ବାଟ ସେ କାରରେ ଯିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ରାଲି ହେଉଥିବା ସ୍ଥାନରୁ ୧୦ କିମି ଦୂରରେ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍ରେ ଅଟକି ଯାଇଥିଲା।
ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍ ଅଟକି ରହିଥିଲା। ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍ରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଏଥିପାଇଁ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଜବାବ ତଲବ କରିଛି।
ପ୍ରୋଟକଲ ଅନୁଯାୟୀ, ରାଜ୍ୟ ସରକାର ଯେଉଁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରିବା କଥା, ସେମିତି କରି ନଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ରୁଟ୍କୁ ମଧ୍ୟ କ୍ଲିୟର କରାଯିବାକୁ କୌଣସି ପଦକ୍ଷେପ ରାଜ୍ୟ ପୁଲିସ୍ ନେଇ ନଥିଲା। ତେଣୁ ଏହି ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରଣାଳୟ କହିଛନ୍ତି।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ଜାଣିଶୁଣି ଏପରି କରିଥିବା ବିଜେପି ଅଭିଯୋଗ କରିଛି। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି।
ତେବେ କଂଗ୍ରେସ ଓଲଟା କଥା କହିଛି। ମୋଦି ସାମିଲ ହେବାକୁ ଥିବା ରାଲିରେ ଆଶା ଅନୁଯାୟୀ ଲୋକ ଉପସ୍ଥିତ ନଥିବାରୁ ସେ ଜାଣିଶୁଣି ଅଧାରୁ ଦିଲ୍ଲୀ ଫେରି ଆସିଥିବା ଦଳ କହିଛି।