ପୁଲିସ୍‌କୁ ‘ମୁମ୍ବାଇ ୨୬/୧୧’ ପରି ହମଲାର ଧମକ, ଜାରି ହେଲା ହାଇଆଲର୍ଟ

ମୁମ୍ବାଇ: ୨୬/୧୧ ଭଳି ହମଲା କରିବାକୁ ଏକାଧିକ ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି କିଛି ଅଜଣା ଦୁର୍ବୃତ୍ତ। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଥିବା ହ୍ୱାଟସଆପ୍‌ ନମ୍ବରକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଯେଉଁଭଳି ଭାବେ ମୁମ୍ବାଇରେ ରକ୍ତରହୋଲି ଖେଳିଥିଲେ, ଏବେ ଅନୁରୂପ ହମଲା କରାଯିବ ବୋଲି ଏହି ମେସେଜ ଜରିଆରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ହାଉଆଲର୍ଟ ଜାରି […]

Mumbai

  • Published: Saturday, 20 August 2022
  • , Updated: 20 August 2022, 04:33 PM IST

ମୁମ୍ବାଇ: ୨୬/୧୧ ଭଳି ହମଲା କରିବାକୁ ଏକାଧିକ ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି କିଛି ଅଜଣା ଦୁର୍ବୃତ୍ତ। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଥିବା ହ୍ୱାଟସଆପ୍‌ ନମ୍ବରକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଯେଉଁଭଳି ଭାବେ ମୁମ୍ବାଇରେ ରକ୍ତରହୋଲି ଖେଳିଥିଲେ, ଏବେ ଅନୁରୂପ ହମଲା କରାଯିବ ବୋଲି ଏହି ମେସେଜ ଜରିଆରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ହାଉଆଲର୍ଟ ଜାରି କରାଯାଇଛି।

କିଛି ଦିନ ତଳେ ରାଇଗଡ଼ ସମୁଦ୍ର କୂଳରୁ ଅସ୍ତ୍ର ବୋଝେଇ ସନ୍ଦିଗ୍ଧ ଡଙ୍ଗା ଠାବ କରାଯାଇଥିଲା। ଏହାର ଯାଞ୍ଚ ଚାଲିଥିବା ବେଳେ ଆଜି ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, “ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଧମକପୂର୍ଣ୍ଣ ମେସେଜ ଆସିଛି। କେନ୍ଦ୍ରୀୟ ମୁମ୍ବାଇର ୱର୍ଲି ଠାରେ ଥିବା ମୁମ୍ବାଇ ପୁଲିସ୍‌ର ଟ୍ରାଫିକ କଣ୍ଟ୍ରୋଲ ରୁମ ଫୋନକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି।

ଏକାଧିକ ମେସେଜ କରି ଦୁର୍ବୃତ୍ତମାନେ ୨୬/୧୧ ଷ୍ଟାଇଲରେ ପୁଣି ମୁମ୍ବାଇରେ ହମଲା ହେବ ବୋଲି ଧମକ ଦେଇଛନ୍ତି। ଏହାକୁ ପୁଲିସ୍‌ ଗୁରୁତ୍ୱର ସହ ନେଇଛି। ଏଥିସହ ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି।”

ମୁମ୍ବାଇ ପୁଲିସ୍‌ କମିଶନର ବିବେକ ଫାନସଲକର କହିଛନ୍ତି, ପାକିସ୍ତାନ କୋଡ ଥିବା ଗୋଟିଏ ଫୋନ ନମ୍ବରରୁ ମେସେଜ ଆସିଛି। ପୁଲିସ୍‌ ଏ ସମ୍ପର୍କରେ ତଟରକ୍ଷୀ ବାହିନୀ ସହ ଯୋଗାଯୋଗ କରିଛି। ସୁରକ୍ଷା ବ୍ୟବସ୍ଥାକୁ ଜଳପଥ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଡ଼ାକଡ଼ି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ମେସେଜରେ କୁହାଯାଇଛି ଯେ ୬ ଜଣ ପୂରା ଆକ୍ରମଣ ଯୋଜନାକୁ ରୂପରେଖ ଦେବେ। ମୁମ୍ବାଇକୁ ସଂପୂର୍ଣ୍ଣ ଉଡ଼ାଇ ଦେବାକୁ ଯୋଜନା ହୋଇଛି। ଏପରି ହମଲା ସମସ୍ତଙ୍କୁ ୨୬/୧୧ କଥା ମନେ ପକାଇ ଦେବ। ତେଣୁ ଖୁବଶୀଘ୍ର ଆମେ ଆସୁଛୁ ବୋଲି ମେସେଜରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ରେ ୧୦ ଜଣ ଆତଙ୍କୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଭୟଙ୍କର ହମଲା କରିଥିଲେ। ଏଥିରେ ୧୬୬ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଭାରତୀୟ ଇତିହାସରେ ଏହା ସବୁଠାରୁ ‍ବଡ଼ ଆତଙ୍କୀ ହମଲା ଥିଲା।

Related story